• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଢ଼ିଲା ଛାତ୍ରଛାତ୍ରୀଙ୍କ ଚିନ୍ତା । ସାର୍ଟିଫିକେଟ୍ ପାଇଁ ଯିବାକୁ ପଡିବ ୟୁକ୍ରେନ୍ । ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଭରସିଟି ରଖିଲା ସର୍ତ୍ତ । ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କ ବଢ଼ିଲା ସମସ୍ୟା । ଅରିଜିନାଲ ସାର୍ଟିଫିକେଟ୍ ପାଇବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ପୁଣି ଯିବାକୁ ପଡିବ ସେହି ଯୁଦ୍ଧତ୍ରସ୍ତ ଦେଶକୁ । କାରଣ, ୟୁକ୍ରେନର ୟୁନିଭରସିଟି ଗୁଡିକ ରଖିଛନ୍ତି ଏଭଳି ସର୍ତ୍ତ । ସ୍ପଷ୍ଟ ଭାବେ କୁହାଯାଇଛି, ୟୁକ୍ରେନ ଫେରି ସମସ୍ତ ଡକ୍ୟୁମେଣ୍ଟ, ବହି, ହଷ୍ଟେଲ ସାମଗ୍ରୀ ନ ଫେରାଇଲେ ଅରିଜିନାଲ ସାର୍ଟିଫିକେଟ ମିଳିବନି । ଯାହାକୁ ନେଇ ଏବେ ଚିନ୍ତାରେ ୟୁକ୍ରେନ୍‌ରୁ ଫେରିଥିବା ଛାତ୍ରଛାତ୍ରୀ ।

ଲାଇବ୍ରେରୀରୁ ନେଇଥିବା ବହି, ହଷ୍ଟେଲ ସାମଗ୍ରୀ ଓ ଡକ୍ୟୁମେଂଟ୍ ଦାଖଲ କଲେ ହିଁ ସାର୍ଟିଫିକେଟ୍ ଦିଆଯିବ । ୟୁନିଭରସିଟିର ଏଭଳି ଘୋଷଣା ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତା ବଢାଇଛି । କାରଣ, ସାର୍ଟିଫିକେଟ୍ ନଥିଲେ ଅନ୍ୟ ସ୍ଥାନରେ ଆଡମିଶନ ହେବନି । ଛାତ୍ରଛାତ୍ରୀ କହିଛନ୍ତି, ଭୟଙ୍କର ଯୁଦ୍ଧ ଭିତରେ ଭାରତ ଫେରିବା ବେଳେ ସେମାନେ ହଷ୍ଟେଲରେ ସବୁ କିଛି ଛାଡିଆସିଛନ୍ତି । ବହି, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସବୁକିଛି ହଷ୍ଟେଲରେ ଥିଲା । ଏବେ ଆଣିବେ କେଉଁଠୁ । ତେଣୁ ଅରିଜିନାଲ ସାର୍ଟିଫିକେଟ୍ ପାଇଁ ଶୀଘ୍ର ବ୍ୟବସ୍ଥା କରନ୍ତୁ ସରକାର ।

ୟୁକ୍ରେନ୍‌ର ପଶ୍ଚିମାଂଚଳରେ ଥିବା ଉଝୋର୍ଦ୍ଦ ନ୍ୟାସନାଲ ମେଡିକାଲ ୟୁନିଭରସିଟି ଓ ଇଭାନୋ-ଫ୍ରାଙ୍କିସ୍କ ନ୍ୟାସନାଲ ମେଡିକାଲ ୟୁନିଭରସିଟି ଭଳି ବିଶ୍ୱବିଦ୍ୟାଳୟ, ପୁଣି ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଫେରିବାକୁ କହୁଛନ୍ତି । ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ହୋଇଥିବା କହି, ପୁଣି ଥରେ ସେଠାରେ ପଢିବାକୁ ଡାକୁଛନ୍ତି । ନଚେତ୍ ଅରିଜିନାଲ୍ ସାର୍ଟିଫିକେଟ୍ ଦେବେ କଣ, ଟ୍ରାନ୍ସଫର ପାଇଁ ବି ସିଧାସଳଖ ମନା କରୁଛନ୍ତି ।

ସେପଟେ ଗତ ସେପଟେମ୍ବର ୫ ତାରିଖରେ ୟୁକ୍ରେନରେ ପଢୁଥିବା ଭାରତୀୟ ମେଡିକାଲ୍ ଛାତ୍ରଛାତ୍ରୀଙ୍କୁ ବିଶ୍ୱର ଯେକୌଣସି ୟୁନିଭରସିଟିକୁ ସାମୟିକ ଟ୍ରାନ୍ସଫର ପାଇଁ ଅନୁମତି ଦେଇଛି ନ୍ୟାସନାଲ ମେଡିକାଲ କମିଶନ । ଫଳରେ ୟୁକ୍ରେନରୁ ଫେରିଥିବା ପ୍ରାୟ ୧୮ ହଜାର ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ମିଳିଛି । ତେବେ ଏହା ଏତେ ସହଜ ମନେ ହେଉନାହିଁ । କାରଣ, ୟୁକ୍ରେନ୍‌ରେ ଏବେବି ସ୍ଥିତି ସ୍ୱାଭାବିକ ହୋଇନି । ଯୁଦ୍ଧରେ ଧ୍ୱଂସ ପାଇଥିବା ୟୁନିଭରସିଟିରୁ ଛାତ୍ରଛାତ୍ରୀଙ୍କ ଡକ୍ୟୁମେଂଟ୍ ଅନ୍ୟ ୟୁନିଭରସିଟିକୁ ଯିବ କେମିତି ? ସାର୍ଟିଫିକେଟ୍ ନଥିଲେ ପିଲାଙ୍କ ଆଡମିଶନ ହେବ କେମିତି ?