ଉତ୍ତରାଖଣ୍ଡର ଗୌରୀକୁଣ୍ଡ ନିକଟରେ କେଦାରନାଥ ଧାମ ଯାତ୍ରା ରାସ୍ତାରେ ଭୂସ୍ଖଳନ ଯୋଗୁଁ ହଜାର ହଜାର ଯାତ୍ରୀ ଅଟକି ରହିଛନ୍ତି। ପ୍ରବଳ ବର୍ଷା କାରଣରୁ ଏହି ଭୂସ୍ଖଳନ ଘଟିଛି । ଗୌରୀକୁଣ୍ଡରୁ କେଦାରନାଥ ଆଡକୁ ଯାଉଥିବା ଯାତ୍ରୀ ଅଟକି ରହିଛନ୍ତି । ସେହିପରି କେଦାରନାଥ ପଟୁ କୌଣସି ଯାତ୍ରୀଙ୍କୁ ଏହି ରାସ୍ତାରେ ଛଡାଯାଉନାହିଁ । ସେମାନଙ୍କୁ କେଦାରନାଥରେ ଅସ୍ଥାୟୀ ଶିବିରରେ ରଖାଯାଇଛି ।
ଏହି ରୁଟରେ ବାରମ୍ୱାର ଭୂସ୍ଖଳନ ଘଟୁଛି । ଗୌରୀକୁଣ୍ଡରୁ କେଦାରନାଥ ଧାମ ଯିବା ରାସ୍ତାରେ ଏକାଧିକ ସ୍ଥାନରେ ଭୂସ୍ଖଳନ ହୋଇଥିବାର ଜଣାପଡିଛି । ଉତ୍ତରାଖଣ୍ଡ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ସଫା କରାଯିବା କାମ ଆରମ୍ଭ ହୋଇଛି ।
ଗୌରୀକୁଣ୍ଡରୁ କେଦାରନାଥ ଧାମ ଯାତ୍ରା ପଥରେ ପ୍ରାୟ ୧୫ କିଲୋମିଟର ଟ୍ରେକିଂ ରୁଟରେ ଏକାଧିକ ସ୍ଥାନରେ ରାସ୍ତା ଅବରୋଧ ହୋଇଛି। ଏହି ପାହାଡିଆ ରାସ୍ତା ଉପରେ ମାଟି ଓ ପଥର ଜମା ହୋଇ ରହିଛି ।
କିଛି ମାସ ତଳେ ଏହି ଉପତ୍ୟକାରେ ଭୂମିକମ୍ପ ହୋଇଥିଲା । ଅତ୍ୟଧିକ ଜଙ୍ଗଲ କଟା ଓ ଅନିୟନ୍ତ୍ରିତ ନିର୍ମାଣ ପାଇଁ ଏପରି ବାରମ୍ୱାର ଘଟୁଥିବା ପରିବେଶବିତମାନେ ଆଶଙ୍କା କରୁଛନ୍ତି । ପ୍ରାୟ ୧୦ ହଜାରରୁ ଅଧିକ ଯାତ୍ରୀ ଗୌରୀକୁଣ୍ଡ, ସୋନପ୍ରୟାଗ ଓ ନିକଟବର୍ତ୍ତୀ ଅଞ୍ଚଳରେ ଅଟକି ରହିଛନ୍ତି। ଅନେକ ଯାତ୍ରୀ ରାସ୍ତାରେ ଅଟକି ରହିଥିବା ଗାଡ଼ି ଏବଂ ଅସ୍ଥାୟୀ ଶିବିରରେ ଆଶ୍ରୟ ନେଇଛନ୍ତି।
ଅନେକ ଅଞ୍ଚଳରେ ଖାଦ୍ୟ ଓ ପାନୀୟ ଜଳର ଅଭାବ ଦେଖାଦେଇଛି । ଅନେକ ଯାତ୍ରୀ ଅସ୍ଥାୟୀ ତମ୍ବୁ କିମ୍ବା ସ୍ଥାନୀୟ ଗେଷ୍ଟ ହାଉସରେ ରହୁଛନ୍ତି । ଏବେ ବି ବର୍ଷା ଲାଗିରହିଛି । ଥଣ୍ଡା ଏବଂ ଆର୍ଦ୍ର ପାଗ ଯୋଗୁଁ ବୟସ୍କ ଯାତ୍ରୀମାନେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନେକ ଯାତ୍ରୀଙ୍କୁ ଭୂସ୍ଖଳନର ଭୟରେ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଫୋର୍ସ , ରାଷ୍ଟ୍ରୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଏବଂ ସ୍ଥାନୀୟ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ ଏକ ସାଧାରଣ ସମସ୍ୟା ହୋଇଗଲାଣି । ୨୦୧୩ରେ ଘଟିଥିବା ଭୟାବହ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ହଜାର ହଜାର ଯାତ୍ରୀ ପ୍ରାଣ ହରାଇଥିଲେ। ୨୦୨୩ ଓ ୨୦୨୪ରେ ମଧ୍ୟ ବର୍ଷା ଋତୁରେ ଏହି ରାସ୍ତାରେ ମଧ୍ୟ ଭୂସ୍ଖଳନ ଘଟିଥିଲା । ଯାହାଦ୍ୱାରା ଯାତ୍ରା ବାଧାପ୍ରାପ୍ତ ହୋଇଥିଲା।