ମୁମ୍ବାଇ ଉପକୂଳରେ ବଡ଼ ଧରଣର ଟ୍ରାଜେଡି । ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଡଙ୍ଗାକୁ ପିଟିଲା ନୌସେନାର ସ୍ପିଡ୍ ବୋଟ୍ । ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ଭିତରେ ଅଛନ୍ତି ୧୦ ଜଣ ସାଧାରଣ ଲୋକ ଓ ୩ ଜଣ ନୌସେନା କର୍ମଚାରୀ । ନିଖୋଜ ଅଛନ୍ତି ଆଉ କିଛି ଲୋକ । ପାଖାପାଖି ଶହେରୁ ଅଧିକ ଜଣଙ୍କୁ ଉଦ୍ଧାର କରାଯାଇଛି ।
ନିଖୋଜଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ସର୍ଚ୍ଚ ଅପରେସନ୍ । ମୁମ୍ବାଇ ଗେଟ୍ ୱେ ଅଫ୍ ଇଣ୍ଡିଆ ନିକଟରେ ଗତକାଲି ଅପରାହ୍ଣ ୩ଟା ୫୫ ମିନିଟରେ ଏହି ଅଘଟଣ ଘଟିଥିଲା । ମିଳିଥିବା ସୂଚନା ଅନୁଯାୟୀ, ପର୍ଯ୍ୟଟକଙ୍କୁ ନେଇ ଏଲିଫାଣ୍ଟା ଯାଉଥିଲା ଏହି ଡଙ୍ଗା । ଏଥିରେ ୫ କ୍ରିଉ ମେମ୍ବରଙ୍କୁ ନେଇ ପ୍ରାୟ ଶହେରୁ ଅଧିକ ଯାତ୍ରୀ ଥିଲେ ବୋଲି କୁହାଯାଉଛି ।
Also Read
ଅଧିକ ପଢ଼ନ୍ତୁ: ରାଜ୍ୟରେ ସଡ଼କ ସୁରକ୍ଷାର ଚିନ୍ତାଜନକ ସ୍ଥିତି; ଦୁର୍ଘଟଣାରେ ଦିନକୁ ଯାଉଛି ହାରାହାରି ୧୫ ଜୀବନ
ଏତିକି ବେଳେ କରଞ୍ଜ ନିକଟ ଉରାନରେ ହଠାତ୍ ନୌସେନାର ସ୍ପିଡ୍ ବୋଟ ଆସି ଡଙ୍ଗାକୁ ଧକ୍କା ଦେଇଥିଲା । ନୌସେନା ପକ୍ଷରୁ କୁହାଯାଇଛି ସ୍ପିଡ ବୋଟ ସମୁଦ୍ରରେ ଟ୍ରାଏଲ୍ କରୁଥିଲା । ଇଞ୍ଜିନରେ ତ୍ରୁଟି ଯୋଗୁ ଭାରସାମ୍ୟ ହରାଇ ଯାତ୍ରୀବାହୀ ଡଙ୍ଗାକୁ ଧକ୍କା ଦେଇଥିଲା । ନୌସେନାର ସ୍ପିଡ୍ ବୋଟ୍ ଡ୍ରାଇଭରଙ୍କ ନାଁରେ ମାମଲା ରୁଜୁ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । କେଉଁ ପରିସ୍ଥତିରେ ଏତେବଡ଼ ଦୁର୍ଘଟଣା ଘଟିଲା ଉଭୟ ପୋଲିସ ଓ ନୌସେନା ତଦନ୍ତ କରିବେ ।