/odishatv-khabar/media/post_attachments/uploadimage/library/16_9/16_9_0/Budget_1738345490.jpg)
Budget
ରାତି ପାହିଲେ ଖୋଲିବ ଅର୍ଥମନ୍ତ୍ରୀଙ୍କ ବଜେଟ ପେଡ଼ି। ସାଧାରଣ ବଜେଟରେ ଏଥର କେଉଁ କ୍ଷେତ୍ରକୁ ପ୍ରାଧାନ୍ୟ ମିଳିବ? ତା’ଉପରେ ରହିଛି ସାରା ଦେଶର ନଜର। ଦରଦାମ ବୃଦ୍ଧିରେ ଅତିଷ୍ଠ ମଧ୍ୟବିତ୍ତଙ୍କୁ ମହଙ୍ଗା ମାଡରୁ ଆଶ୍ୱସ୍ତି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିପାରନ୍ତି ବଡ ଘୋଷଣା। ଆଜି ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନ ମଧ୍ୟ ସେ ଦିଗରେ ସଙ୍କେତ ଦେଇଛି।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ। ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ସରକାରଙ୍କ ଏହି ବହୁ ପ୍ରତୀକ୍ଷିତ ବଜେଟ୍ ଉପରେ ରହିଛି ସାରା ଦେଶବାସୀଙ୍କ ନଜର। ବିଶେଷ କରି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ ନେଇ ସରକାର କି ନିଷ୍ପତ୍ତି ନେଉଛନ୍ତି, ତାକୁ ଚାହିଁ ରହିଛି ମଧ୍ୟବିତ୍ତ।
ବଜେଟରେ ମିଡିଲ କ୍ଲାସ ବା ମଧ୍ୟବିତ୍ତଙ୍କୁ ମିଳିପାରେ ବଡ଼ ଆଶ୍ୱସ୍ତି। ଆୟକର ଛାଡ ନେଇ ଗୁଡ୍ନ୍ୟୁଜ ଦେଇପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟରୁ ଏମିତି କିଛି ସଙ୍କେତ ମିଳିଛି।
ମା' ଲକ୍ଷ୍ମୀଙ୍କ ବନ୍ଦନାରୁ ସମ୍ବୋଧନ ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଥିଲେ, ମାଆ ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରୁଛି କି ଦେଶର ଗରିବ ଓ ମଧ୍ୟବିତ୍ତଙ୍କ ଉପରେ କୃପା ଦୃଷ୍ଟି ରଖି ଥାଆନ୍ତୁ। ପ୍ରଧାନମନ୍ତ୍ରୀଙ୍କ ଏଭଳି ସମ୍ବୋଧନ ପରେ କରଦାତାଙ୍କ ଆଶା ବଢ଼ି ଯାଇଛି।
ବଜେଟରେ ମିଶନ୍ ଶକ୍ତି, ଜନନୀ ସୁରକ୍ଷା ଯୋଜନା ଓ ମାତୃ ବନ୍ଦନା ଯୋଜନା ଭଳି ମହିଳା କୈନ୍ଦ୍ରିକ ସ୍କିମ ଗୁଡ଼ିକୁ ବ୍ୟୟବରାଦରେ ବଢ଼ାଇପାରନ୍ତି ସରକାର। ପୂର୍ବ ବଜେଟରେ ଏହି ସ୍କିମ ଗୁଡ଼ିକ ପାଇଁ ୩ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ସେହିପରି ଗରିବଙ୍କ ଉପରେ ଗୁରୁତ୍ୱ ଦେବା ସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟୟବରାଦ ବଢ଼ିପାରେ। ସେହିପରି ଦେଶର ଅର୍ଥନୈତିକ ଅଭିବୃଦ୍ଧି ତଥା ଶିଳ୍ପ କ୍ଷେତ୍ରକୁ ବଳ ଦେବା ଲାଗି ରିୟଲ ଇଷ୍ଟେଟ୍, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, AI ସହ ପୁଞ୍ଚିନିବେଶକୁ ଅଧିକ ଗୁରୁତ୍ୱ ଦେଇପାରନ୍ତି ସରକାର।
୨୦୨୪ ବଜେଟରେ ମୋଟ ବ୍ୟୟ ପରିମାଣ ୪୮ ଦଶମିକ ୨୧ ଲକ୍ଷ କୋଟି ଟଙ୍କା ଥିଲା। ଯାହା ୨୦୨୩-୨୪ ତୁଳନାରେ ୮.୫ ପ୍ରତିଶତ ଅଧିକ। ଚଳିତ ବଜେଟରେ ମୋଟ ବ୍ୟୟ ପରିମାଣ ୫୦ ଲକ୍ଷ କୋଟି ଟଙ୍କା ହେବା ଆଶା କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)