• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍ୱାଧୀନତା ଦିବସ: ସ୍ୱାଧୀନତାର ୭୫ତମ ବାର୍ଷିକୀ ଅବସରରେ ପୁଣି ନିଜ ଦାବି ଦୋହରାଇଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ ଅନୀତା ବୋଷ ଫାଫ । ସୋମବାର ସେ କହିଛନ୍ତି ନେତାଜୀଙ୍କ ଅବଶେଷକୁ ଭାରତକୁ ଫେରାଇ ଅଣାଯାଉ । ଏଥିପାଇଁ ସେ ସରକାରଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ, ଟୋକିଓର ରେଙ୍କୋଜି ମନ୍ଦିରରେ ତାଙ୍କ ପିତାଙ୍କ ମରଶରୀର ରହିଛି । ଜର୍ମାନୀରେ ରହୁଥିବା ୭୯ ବର୍ଷୀୟ ଅନୀତା ବୋଷ ଫାଫ୍‌ କହିଛନ୍ତି ଯେ, ସେ ଜାପାନର ରାଜଧାନୀର ମନ୍ଦିରରେ ସଂରକ୍ଷିତ ନେତାଜୀଙ୍କ ଅବଶିଷ୍ଟାଂଶରୁ ଡିଏନ୍ଏ ବାହାର କରିବାକୁ ପ୍ରସ୍ତୁତ ଅଛନ୍ତି ।

ସେ ଆହୁରି କହିଛନ୍ତି, ‘ଆଧୁନିକ ଜ୍ଞାନକୌଶଳ ସହିତ ବର୍ତ୍ତମାନ ଜଟିଳ ଡିଏନ୍ଏ ପରୀକ୍ଷଣର ସମସ୍ତ ସାଧନ ଯୋଗାଇ ଦେଇପାରିବେ । ଯଦି ନେତାଜୀଙ୍କ ଅବଶିଷ୍ଟାଂଶରୁ ଡିଏନ୍ଏ ବାହାର କରାଯାଇପାରିବ । ଯେଉଁମାନେ ଏବେ ବି ସନ୍ଦେହ ଘେରରେ ରହିଛନ୍ତି ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୮ ଅଗଷ୍ଟ ୧୯୪୫ରେ ନେତାଜୀଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ପାଇଁ ମଧ୍ୟ ଏହା ଏକ ବଡ଼ ସୁଯୋଗ । ସେମାନଙ୍କର ସନ୍ଦେହ ଦୂର ହୋଇପାରିବ । ଟୋକିଓର ଏହି ମନ୍ଦିରରେ ଥିବା ନେତାଜୀଙ୍କ ଅବଶିଷ୍ଟାଂଶରୁ ଯଦି ଡିଏନ୍‌ଏ ସଂଗ୍ରହ ହୋଇପାରିବ ତେବେ ତାହା ଖୁବ୍‌ଶୀଘ୍ର ସ୍ପଷ୍ଟ ହେବ । କାରଣ ମନ୍ଦିରରେ ଥିବା ନେତାଜୀଙ୍କ ଅବଶିଷ୍ଟାଂଶ ହେଉଛି ଖୋଦ୍‌ ନେତାଜୀଙ୍କର ।

ସେ ଆହୁରି ମଧ୍ୟ କହିଛନ୍ତି, ନେତାଜୀଙ୍କ ମୃତ୍ୟୁର ସରକାରୀ ରିପୋର୍ଟ ଅନୁଯାୟୀ ରେଙ୍କୋଜି ମନ୍ଦିରର ପୁରୋହିତ ଏବଂ ଜାପାନ ସରକାର ଏହି ଡିଏନ୍‌ଏ ପରୀକ୍ଷା ପାଇଁ ସହମତ ପ୍ରକାଶ କରିଛନ୍ତି ।

ବ୍ରିଟିଶ ଶାସନ ବିରୁଦ୍ଧରେ ଲଢ଼ିବା ପାଇଁ ଆଜାଦ୍ ହିନ୍ଦ ଫୌଜ ଗଠନ କରିଥିବା ନେତାଜୀଙ୍କ କାହାଣୀ ମଧ୍ୟ ଭାରତୀୟ ଇତିହାସର ଏକ ବଡ଼ ରହସ୍ୟ । ନେତାଜୀଙ୍କ ଏକମାତ୍ର ସନ୍ତାନ ଅନୀତା ବୋଷ ଫାଫ ଦୀର୍ଘ ଦିନ ଧରି ଯୁକ୍ତି ବାଢ଼ି ଆସିଛନ୍ତି ଯେ, ତାଙ୍କ ପିତା ମୃତ୍ୟୁ ବହୁ ପୂର୍ବରୁ ହୋଇସାରିଥିଲା ଏବଂ ତାଙ୍କର ଅବଶିଷ୍ଟାଂଶ ରେଙ୍କୋଜି ମନ୍ଦିରରେ ରହିଛି । ତେବେ ନେତାଜୀଙ୍କର ଅନ୍ୟ କିଛି ସମ୍ପର୍କୀୟ ଯୁକ୍ତି ବାଢ଼ୁଛନ୍ତି ଯେ, ୧୮ ଅଗଷ୍ଟ ୧୯୪୫ରେ ଫର୍ମୋସାଠାରେ ଏକ ଜାପାନୀ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିନ୍ତୁ ସେହି ଦୁର୍ଘଟଣାରୁ ସେ ବର୍ତ୍ତିଯାଇଥିଲେ । ସେହି ଫର୍ମୋସାକୁ ଏବେ ତାଇୱାନ ବୋଲି କୁହାଯାଉଛି । ତେବେ ତାଇୱାନ୍‌ରୁ ନେତାଜୀ କେଉଁଆଡ଼େ ଉଭାନ୍‌ ହେଲେ ତାହା କାହାରିକୁ ଜଣାନାହିଁ । ତେଣୁ ସରକାରଙ୍କ ଦାୟିତ୍ୱ ନେତାଜୀ କେଉଁଆଡ଼େ ଗଲେ ତାହାର ତଦନ୍ତ କରିବା ।