• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଚିତାବାଘଙ୍କୁ ଆଣିବ ବାଘମୁହାଁ ବିମାନ । ବ୍ୟାଘ୍ରଚିତ୍ରିତ ସ୍ୱତନ୍ତ୍ର ବୋଇଂ-747 ଜୁମ୍ବୋ ଜେଟ୍‌ରେ ୧୦ ଘଣ୍ଟାର ନିରବଚ୍ଛିନ୍ନ ଯାତ୍ରା କରି ଆଫ୍ରିକାର ନାମିବିୟାରୁ ଭାରତ ଆସିବେ ୮ଟି ଚିତା । ସେଥିରୁ ୫ଟି ମାଈ ଓ ୩ଟି ଅଣ୍ଡିରା । ମାଈ ଚିତା ଗୁଡ଼ିକ ୨ରୁ ୫ ବର୍ଷର, ଅଣ୍ଡିରା ଗୁଡ଼ିକର ବୟସ ସାଢ଼େ ୪ରୁ ସାଢ଼େ ୫ ବର୍ଷ ।

ଏମାନଙ୍କ ମଧ୍ୟରେ ୨ଟି ଭାଇ ଥିବା ବେଳେ, ୨ଟି ମାଈ ବାଘ ପରସ୍ପରର ବେଷ୍ଟ୍ ଫ୍ରେଣ୍ଡ୍ ବୋଲି କୁହାଯାଉଛି । ଏହି ୮ଟି ଯାକ ଆଫ୍ରିକୀୟ ଚିତାକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯିବ । ଆସନ୍ତା ଶନିବାର ନିଜ ଜନ୍ମଦିନରେ ବାଘଗୁଡ଼ିକୁ ଛାଡ଼ିବେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ ୭ ଦଶନ୍ଧି ପରେ ଚିତା ଭାରତରେ ପୁଣି ଥରେ ପାଦ ଥାପିବାକୁ ଯାଉଥିବା ବେଳେ, ଏଥିପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି ।

ଆସନ୍ତୁ ଜାଣିବା ଚିତାବାଘ ସ୍ଥାନାନ୍ତରଣର ପୂରା ପ୍ରକ୍ରିୟା ଉପରେ । ପ୍ରୋଟୋକୋଲ୍ ଅନୁସାରେ, ନାମିବିୟାରେ ମାସେ ହେଲା ଏନ୍‌କ୍ଲୋଜର୍‌ ଭିତରେ ୮ଟି ଯାକ ଚିତାକୁ ରଖାଯାଇ, ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଥିଲା । ସେମାନଙ୍କୁ ଟିକା ଦିଆଯିବା ସହିତ ବେକରେ ରେଡିଓ କଲାର୍ ଲଗାଯାଇଛି । ବିମାନଯାତ୍ରା ବେଳେ ବାନ୍ତି ହେବାର ଓ ସ୍ୱାସ୍ଥ୍ୟ ବିଗିଡ଼ିବାର ଭୟ ଥିବାରୁ, ସେମାନଙ୍କୁ ଖାଲି ପେଟରେ ଭାରତ ଅଣାଯିବ । ଟ୍ରାଙ୍କୁଲାଇଜ୍ ନକରି, ସଚେତ ଅବସ୍ଥାରେ ସେମାନଙ୍କୁ ଉଚ୍ଚ ପିଞ୍ଜରାରେ ବିମାନରେ ଲୋଡ୍ କରାଯିବ । ଏଥିପାଇଁ ବୋଇଂ-747ର ସବୁ ଇକୋନୋମିକ୍ ସିଟ୍‌କୁ ହଟାଯାଇଛି ।

 

ବିମାନରେ ଭାରତ, ନାମିବିୟା ଓ ଦକ୍ଷିଣ ଆଫ୍ରିକାର ୩ ଜଣ ପ୍ରାଣୀ ଚିକିତ୍ସକଙ୍କ ସମେତ ୮ଜଣିଆ ଟିମ୍ ଉପସ୍ଥିତ ରହିବେ । ଶୁକ୍ରବାର ନାମିବିୟା ରାଜଧାନୀ ଓ୍ୱିଣ୍ତହୋକ୍‌ରୁ ବିମାନ ଉଡ଼ାଣ ଆରମ୍ଭ କରି ଶନିବାର ସକାଳୁ ରାଜସ୍ଥାନର ଜୟପୁରରେ ଓହ୍ଲାଇବ । ସେଠାରୁ ବାଘ ଗୁଡ଼ିକୁ ହେଲିକପ୍ଟର ଯୋଗେ କୁନୋ-ପାଲପୁର ନ୍ୟାସନାଲ ପାର୍କକୁ ଅଣାଯିବ । ପ୍ରଧାନମନ୍ତ୍ରୀ ଚିତାମାନଙ୍କୁ ଅଭୟାରଣ୍ୟରେ ଛାଡ଼ିବା ପରେ, ସେମାନଙ୍କୁ ମାସେ ପାଇଁ ୬ଟି ଆବଦ୍ଧ ସ୍ଥାନରେ କ୍ୱାରେଣ୍ଟିନ୍ କରି ରଖାଯିବ । ମାସେ ପରେ ସେମାନଙ୍କୁ ୬ ବର୍ଗ କିଲୋମିଟରର ଆଉ ଏକ ବିଶାଳ କ୍ୱାରେଣ୍ଟିନକୁ ଛଡ଼ାଯିବ । ସେଠାରେ ସେମାନେ ଶିକାର କରିବାର ସୁଯୋଗ ପାଇବେ । ଶେଷରେ କ୍ୱାରେଣ୍ଟିନରୁ ମୁକ୍ତି ପାଇ ୭୪୦ ବର୍ଗ କିଲୋମିଟର କୁନୋ ଜାତୀୟ ଉଦ୍ୟାନ ଓ ଆଖପାଖ ୫ହଜାର ବର୍ଗକିଲୋମିଟର ଅଞ୍ଚଳରେ ଅବାଧ ବିଚରଣ କରିବେ ୮ଟି ଯାକ ଚିତାବାଘ । ଏଥିପାଇଁ ପ୍ରାୟ ୨୫ଟି ଗାଁର ୫ହଜାର ଲୋକଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି ।

୧୯୪୭ ମସିହାର ଏକ ଚର୍ଚ୍ଚିତ ଫଟୋ । ମଧ୍ୟପ୍ରଦେଶ କୋରିଆର ରାଜା ରାମାନୁଜ ପ୍ରତାପ ସିଂଦେଓଙ୍କର ଏକ ଫଟୋରେ ସେ ଶିକାର କରିଥିବା ୩ଟି ଚିତାବାଘକୁ ଭାରତର ଶେଷ ଚିତା ବୋଲି କୁହାଯାଏ । ତେବେ ୧୯୫୨ରେ ସରକାରୀ ଭାବେ ଭାରତରେ ଚିତାକୁ ଲୁପ୍ତ ଜୀବ ଭାବେ ଘୋଷଣା କରାଯାଇଥିଲା ।

ଏହାପରେ ୧୯୬୦ରେ ଇରାନରୁ ଏସୀୟ ଚିତାକୁ ଆଣିବା ପାଇଁ ଯୋଜନା ହୋଇଥିଲେ ବି, ସେଠାରେ ଏହି ବାଘସଂଖ୍ୟା ଖୁବ୍ ନଗଣ୍ୟ ଥିବାରୁ ଇରାନ୍‌ର ଶାହ୍ ଏଥିରେ ରାଜି ହୋଇନଥିଲେ । ଶେଷରେ ୨୦୦୯ରେ ଆରମ୍ଭ ହୋଇଥିଲା ଆଫ୍ରିକାନ୍ ଚିତା ଇଂଟ୍ରୋଡକସନ୍ ପ୍ରୋଜେକ୍ଟ । ଜୁଲାଇରେ ନାମିବିୟା ସହିତ ହୋଇଥିବା ଚୁକ୍ତି ଅନୁସାରେ ପ୍ରଥମ ବ୍ୟାଚ୍‌ରେ ୮ଟି ଚିତା ଭାରତ ଆସିବାକୁ ଥିବା ବେଳେ, ଚଳିତବର୍ଷ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ଆସିବ । ୫ ବର୍ଷ ଭିତରେ ୫୦ଟି ଚିତା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର ।