• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆଜିଠୁ ରାଜ୍ୟରେ ଖୋଲିଲା ସ୍କୁଲ ।

  • ହେଲେ ଭୟରେ ଆସିଲେନି ଛାତ୍ର ଛାତ୍ରୀ ।

ଦେଶରେ କରୋନା ମହାମାରୀର ପ୍ରକୋପ ଧିରେ ଧିରେ କମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ସ୍କୁଲ ଖୋଲିଥିବା ନେଇ ଜଣାପଡ଼ିଛି । ତେଲେଙ୍ଗାନାରେ ମଧ୍ୟ ଆଜିଠାରୁ ସ୍କୁଲ ଖୋଲିଛି । କରୋନାର ଦ୍ୱିତୀୟ ଲହର ଆରମ୍ଭରୁ ବନ୍ଦ ରହିଥିବା ସ୍କୁଲକୁ ରାଜ୍ୟ ସରକାର ଖୋଲିବା ଲାଗି କିଛିଦିନ ପୂର୍ବରୁ ନିଷ୍ପତ୍ତି ନେଇଥିଲେ । ଏହାସହ କୋଭିଡ୍ ପ୍ରୋଟୋକଲ୍‌ ଅନୁସାରେ ଆଜିଠାରୁ ସ୍କୁଲଗୁଡ଼ିକ ଖୋଲିଛି । ଖୋଲିବା ପୂର୍ବରୁ ସ୍କୁଲ ଗୁଡ଼ିକୁ ସାନିଟାଇଜ କରାଯାଇଥିଲା ।

ସେପଟେ ରାଜ୍ୟ ସରକାରଙ୍କ ଅନୁମତି ସତ୍ତ୍ୱେ ଅନେକ ସ୍କୁଲ ଖୋଲିନଥିବା ଦେଖିବାକୁ ମିଳିଛି । ପିଲା ଓ ଅଭିଭାବକଙ୍କ ମଧ୍ୟରେ ତୃତୀୟ ଲହରକୁ ନେଇ ଆଶଙ୍କା ଥିବାରୁ ସ୍କୁଲ ଖୋଲିନଥିବା ଦେଖିବାକୁ ମିଳିଛି । ତେବେ ଏନେଇ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କୁହାଯାଇଛି ।

ମଧ୍ୟପ୍ରଦେଶର ଭୋପାଳରେ ଆଜିଠାରୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଛି । କୋଭିଡ୍ ଗାଇଡଲାଇନ ଭିତରେ ୫୦ ପ୍ରତିଶତ ପିଲାଙ୍କ ଉପସ୍ଥାନରେ ସ୍କୁଲ ଗୁଡ଼ିକ ଖୋଲିଛି । ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏସ୍ଓପି ଜାରି କରାଯାଇଛି । ସ୍କୁଲ ଖୋଲିବା ପୂର୍ବରୁ କ୍ୟାମ୍ପସକୁ ସାନିଟାଇଜ୍ କରାଯାଇଛି । 

ପିଲାମାନଙ୍କ ପାଇଁ ସ୍କୁଲ ଗେଟ୍ ପାଖରେ ସାନିଟାଇଜର ରଖାଯାଇଛି । ଏହାସହ ଶ୍ରେଣୀଗୃହରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧାକୁ ବାଧ୍ୟତାମୂଳକ କରାଯାଇଛି । ଦୀର୍ଘଦିନ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଖୁସି ଥିଲେ । ତେବେ ରାଜ୍ୟ ସରକାରଙ୍କ ଏସଓପି ପାଳନ କରି ସ୍କୁଲ ଖୋଲିଥିବା ଶିକ୍ଷୟିତ୍ରୀ କହିଛନ୍ତି । 

ସେହିପରି ରାଜସ୍ଥାନରେ ମଧ୍ୟ ଆଜିଠାରୁ ସ୍କୁଲ ଖୋଲିଛି । କରୋନାର ଦ୍ୱିତୀୟ ଲହର ପାଇଁ ବନ୍ଦ ଥିବା ସ୍କୁଲ ଆଜି ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିଛି । କୋଭିଡ୍ କଟକଣା ମାନି ସ୍କୁଲ ଖୋଲାଯାଇଥିବା କୁହାଯାଇଛି । ତେବେ ଦୀର୍ଘଦିନ ପରେ ସ୍କୁଲ ଖୋଲିଥିବାରୁ ଖୁସି ଲାଗୁଥିବା ଛାତ୍ରଛାତ୍ରୀ କହିଛନ୍ତି ।

ସେହିଭଳି ତାମିଲନାଡୁରେ ମଧ୍ୟ ଆଜିଠାରୁ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ପାଠପଢ଼ା ଆରମ୍ଭ ହୋଇଛି । ପିଲାମାନେ ସ୍କୁଲରେ ପହଞ୍ଚି ହାତ ଧୋଇବା ସହ ସାନିଟାଇଜର ଲଗାଇଥିଲେ । ଏହାସହ ଶ୍ରେଣୀଗୃହରେ ପିଲାଙ୍କ ମଧ୍ୟରେ ସାମାଜିକ ଦୂରତା ରଖାଯାଇଥିବା ଦେଖିବାକୁ ମିଳିଛି ।

ଉତ୍ତରପ୍ରଦେଶରେ ମଧ୍ୟ ଆଜିଠାରୁ ସ୍କୁଲ ଖୋଲିଛି । ରାଜ୍ୟର ସମସ୍ତ ଅଞ୍ଚଳରେ ପ୍ରଥମରୁ ପଞ୍ଚମ ଯାଏ ସ୍କୁଲ ଖୋଲିଛି । ତେବେ ସ୍କୁଲ ଖୋଲିବା ପୂର୍ବରୁ କୋଭିଡ୍ ଗାଇଡଲାଇନକୁ ପ୍ରାଥମିକତା ଦିଆଯାଇଛି । ପିଲାମାନେ ଆସିବା ପୂର୍ବରୁ ସ୍କୁଲକୁ ସାନିଟାଇଜ୍ କରାଯାଇଥିଲା । ଏହାସହ ଗେଟ୍ ପାଖରେ ପିଲାଙ୍କ ପାଇଁ ସାନିଟାଇଜର ମଧ୍ୟ ରଖାଯାଇଥିଲା ।