• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯମୁନା ପାଣିରେ ଉବୁଟୁବୁ ଦିଲ୍ଲୀ । ପ୍ରତି ଘଣ୍ଟାରେ ବିଗିଡ଼ୁଛି ରାଜଧାନୀ ଦିଲ୍ଲୀର ସ୍ଥିତି । ଯମୁନାର ଜଳସ୍ତର କମିଛି କିନ୍ତୁ ଦୁଦ୍ଦର୍ଶା କମିନି । ଏବେ ବି କାଶ୍ମିରୀ ଗେଟ୍, ମଜନୁ କା ଟିଲା, ସିଗନେଚର୍ ବ୍ରିଜ୍, ବସ୍ ଟର୍ମିନାଲ୍ ଭଳି ପୁରୁଣା ଦିଲ୍ଲୀର ଅନେକ ଇଲାକା ଏବେ ପାଣି ଘେରରେ। ପରିସ୍ଥିତି ଏମିତି ହୋଇଛି କି ଲୋକେ ଡଙ୍ଗାରେ ଯାଆସ କରୁଛନ୍ତି । ଦିଲ୍ଲୀରେ ଗତ ତିନି ଦିନ ଧରି ବର୍ଷା ହୋଇନି କିନ୍ତୁ ଉପର ମୁଣ୍ଡରୁ ଆସୁଥିବା ପାଣି ଯମୁନାର ଜଳସ୍ତରକୁ ଅଧିକ ବଢ଼ାଇଛି । ତାସହ ବିଭିନ୍ନ ସ୍ଥାନରେ ଡ୍ରେନେଜ୍ ସମସ୍ୟା ଏହାର ସ୍ଥିତିକୁ ସଙ୍ଗୀନ କରିବାରେ ଲାଗିଛି । ଏବେ ଯମୁନା ନଦୀର କୂଳ ଓ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ପାଣିରେ, ଏପରିକି ଦିଲ୍ଲୀର ଅନେକ ଭିଭିଆଇପି ଅଞ୍ଚଳରେ ବି ବନ୍ୟା ପାଣି ପହଞ୍ଚିଛି ।

ପାଣିରେ ବୁଡ଼ିଛି ଅଧା ଦିଲ୍ଲୀ । ଯମୁନା ନଦୀର ବନ୍ୟା ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ଆଉ ତା’ ପରେ ଦେଶର ରାଜଧାନୀର ସ୍ଥିତି ବିଗିଡ଼ିବାରେ ଲାଗିଛି । ଘର ଦ୍ୱାର, ଜାତୀୟ ରାଜପଥ, ମେଡିକାଲ, ସଚିବାଳୟ, ଏପରିକି ଲାଲକିଲ୍ଲାରେ ମଧ୍ୟ ପଶିଛି ବନ୍ୟା ପାଣି । ବିପଦସଙ୍କୁଳ ଅବସ୍ଥାରୁ ଲୋକଙ୍କୁ ଉଦ୍ଧାର ପାଇଁ ନିୟୋଜିତ ହୋଇଛି ୧୨ରୁ ଅଧିକ NDRF ଟିମ୍ । 

ବୁଡ଼ିଯାଇଛି ବସ୍... ବୁଡ଼ି ଯାଇଛି ଜାତୀୟ ରାଜପଥ । ବୁଡ଼ିଗଲା ସବୁକିଛି । ଯମୁନାର ଉଚ୍ଛୁଳା ପାଣି ଏବେ ରାଜଧାନୀ ଦିଲ୍ଲୀର ଘରଠୁ ଆରମ୍ଭ କରି ସଚିବାଳୟ ଯାଏଁ ପହଞ୍ଚିଛି । ଲାଲକିଲ୍ଲାରେ ପଶିଛି ବନ୍ୟା ପାଣି । ଆଖପାଖରେ ଥିବା ଗଛ, ରାସ୍ତା ସବୁ ପାଣିରେ ଡୁବି ଯାଇଛି । ପାଣିର ଗଭୀରତାକୁ ଜାଣିନପାରି ଜଣେ ରିକ୍ସା ଚାଳକ ୟା ଭିତରକୁ ପଶି ଆସିଥିଲେ । ଆଉ ତାପରେ...ପାଣିର ସୁଅରେ ରିକ୍ସା ସହ ଭାସି ଭାସି ଆର ପଟକୁ ପହଞ୍ଚି ଯାଇଥିଲେ । ଘର ଭିତରେ ପାଣି ପଶିଯିବା ଯୋଗୁ ଏବେ ଡଙ୍ଗାରେ ଯାଆସ କରୁଛନ୍ତି ଲୋକେ ।

ଗୋଟିଏ କି ଦୁଇଟି ନୁହେଁ ବସ୍, ଟ୍ରକ, କାର୍ ସବୁ ଏବେ ପାଣି ଘେରରେ । କାଶ୍ମୀର ଗେଟରୁ ଆଇଟିଓକୁ ଯାଉଥିବା ବେଳେ ହଠାତ୍ ଫ୍ଲାଏଓଭର ତଳ ରାସ୍ତାରେ ପାଣି ଜମିବାରୁ ଏଭଳି ସ୍ଥିତି ଉପୁଜିଛି । କୌଣସି ବାଟ ନପାଇ ଶେଷରେ ନିଜ ନିଜ ଗାଡ଼ିକୁ ଏଠି ସେଠି ଥୋଇ ଲୋକେ ଆଶ୍ରୟ ନେଇଛନ୍ତି । ପାଣି ଧିରେ ଧିରେ ସଚିବାଳୟ ମୁଖ୍ୟ ଗେଟ୍ ଦେଇ ଭିତରକୁ ପଶୁଛି । ଗୋଟିଏ ପଟ ରାସ୍ତା ବି ବୁଡ଼ିଗଲାଣି । ପାଖରେ ଥିବା ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ- ସାଇ ଅଫିସ, ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମରେ ବି ପଶିଯାଇଛି ବନ୍ୟା ପାଣି ।