• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ରର ଅଗ୍ନିପଥ ସ୍କିମ୍‌କୁ ନେଇ ଦେଶବ୍ୟାପୀ ଅସନ୍ତୋଷର ବହ୍ନି । ଚାରିବର୍ଷିଆ ଚାକିରିକୁ ବିରୋଧ କରି ବହୁ ରାଜ୍ୟରେ ନିଯୁକ୍ତି ଆଶାୟୀଙ୍କ ହଙ୍ଗାମା । କେନ୍ଦ୍ର ସରକାରଙ୍କ ପାଇଁ ଅଗ୍ନି ପରୀକ୍ଷା ଆଣିବ କି ନୂଆ ଅଗ୍ନିପଥ ସ୍କିମ୍ ? ୩ ସେନା ବାହିନୀରେ ଅଗ୍ନିବୀର ଭାବେ ଯୁବକ ଯୁବତୀଙ୍କୁ ଭର୍ତ୍ତି କରିବା ପାଇଁ ୨ ଦିନ ତଳେ ଘୋଷଣା ହୋଇଛି ଅଗ୍ନିପଥ ଯୋଜନା । ତେବେ ଏଥିରେ ୪ ବର୍ଷ ଚାକିରି ଅବଧିକୁ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଇଛି ।

ବିହାରରେ ବିକ୍ଷୋଭକାରୀ ଟ୍ରେନ୍‌ରେ ନିଆଁ ଲଗାଇଦେବା ସହିତ ଏକ ଷ୍ଟେସନରେ ମଧ୍ୟ ଭଙ୍ଗାରୁଜା ହୋଇଛି । ବିଶେଷଜ୍ଞଙ୍କ ମଧ୍ୟରେ ବି ଏହାକୁ ନେଇ ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା । ଅନ୍ୟପକ୍ଷରେ ଏହି ଯୋଜନା ସେନାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି କହିଥିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ତିନି ସେନା ମୁଖ୍ୟ ।

ଅଗ୍ନିପଥ ସ୍କିମ୍‌କୁ ବିରୋଧ କରି ଜଳୁଛି ନିଆଁ । କେଉଁଠି ରାସ୍ତା ଉପରେ ଲଙ୍କାକାଣ୍ଡ, ତ ଆଉ କେଉଁଠି ରେଳ ଷ୍ଟେସନ୍ ଓ ରେଳ ଧରଣା ଉପରେ । ହରିୟାଣା, ରାଜସ୍ଥାନ, ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ଶହ ଶହ ସଂଖ୍ୟାରେ ଯୁବକ ବିକ୍ଷୋଭ, ନାରାବାଜି ଓ ରାସ୍ତା ଅବରୋଧ କରିଥିବା ବେଳେ, ବିହାରରେ ଆନ୍ଦୋଳନ ହିଂସାର ରୂପ ନେଇଛି । ସେନାରେ ନିଯୁକ୍ତି ଆଶାୟୀମାନେ ବିହାରର ଆରା, ଛାପ୍ରା, ଭଭୁଆ ରୋଡ୍, ନଓ୍ୱାଦା, ମୁଙ୍ଗେର, ମୁଜଫରପୁର, ବକ୍ସର୍ ଓ ଜହାନାବାଦ ଆଦି ସ୍ଥାନରେ ରାସ୍ତାରୋକ, ରେଳରୋକ ସହିତ ଷ୍ଟେସନ୍‌ରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି ।

ତିନି ତିନିଟି ସ୍ଥାନରେ ଟ୍ରେନ୍‌ରେ ନିଆଁ ଲଗାଇଦେଇଛନ୍ତି ଆନ୍ଦୋଳନକାରୀ । ଏଥିଯୋଗୁଁ ୨୨ଟି ଟ୍ରେନ୍ ବାତିଲ ହୋଇଛି ଓ ୫ଟି ଅଧାରେ ଅଟକିଛି । ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ କିଛି ସ୍ଥାନରେ ଲୁହବୁହା ଗ୍ୟାସ୍ ଛଡ଼ାଯାଇଛି । ବିହାର ନଓ୍ୱାଦାରେ ବିଜେପି କାର୍ଯ୍ୟାଳୟରେ ବି ନିଆଁ ଲଗାଇଦେଇଛନ୍ତି ଆନ୍ଦୋଳନକାରୀ । ହରିୟାଣା ଗୁରୁଗ୍ରାମ୍‌ରେ ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ଦିଲ୍ଲୀ-ଜୟପୁର ହାଇେଓ୍ୱ ଜାମ୍ ହୋଇଯାଇଛି । ଅଗ୍ନିପଥ ଯୋଜନାରେ ୪ ବର୍ଷର ଚାକିରି ଅବଧିକୁ ବିରୋଧ କରିବା ସହିତ, ଏହା ପରେ ସେମାନଙ୍କ ଭବିଷ୍ୟତ କଣ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି ଆନ୍ଦୋଳନକାରୀ ।

ଅଗ୍ନିପଥ ସ୍କିମ୍‌ର କିଛି ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଉପରେ ନଜର ପକାଇବା ଯଦି, ସାଢେ ୧୭ ବର୍ଷରୁ ୨୧ ବର୍ଷର ଯୁବକଯୁବତୀଙ୍କୁ ତିନି ସେନାରେ ନିଯୁକ୍ତି ମିଳିବ । ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ । ମାସକୁ ୩୦ରୁ ୪୦ ହଜାର ଟଙ୍କା ଦରମା । ୪୮ ଲକ୍ଷ ଟଙ୍କାର ବୀମାଭୁକ୍ତ ହେବେ ଅଗ୍ନିବୀର । ୬ ମାସ ପ୍ରଶିକ୍ଷଣକୁ ମିଶାଇ ଚାକିରି ଅବଧି ୪ ବର୍ଷ । ଏହାପରେ ୨୫ ପ୍ରତିଶତଙ୍କୁ ସ୍ଥାୟୀ କରାଯିବ । ସେମାନେ ୧୫ ବର୍ଷ ଲାଗି କାର୍ଯ୍ୟ କରିବେ । ୪ ବର୍ଷ ପରେ ଅବସର ନେଉଥିବା ଅଗ୍ନିବୀରଙ୍କୁ ଏକକାଳୀନ ୧୧ ଲକ୍ଷ ଟଙ୍କା ମିଳିବ । ଯେଉଁମାନଙ୍କ ନିଯୁକ୍ତି ଅବଧି ବଢିବ, ସେମାନେ ଅବସର ପରେ ପେନସନ୍ ପାଇବେ । ୪ ବର୍ଷର ନିଯୁକ୍ତି ସାରି ଅବସର ପରେ ସବୁ ଅଗ୍ନିବୀରଙ୍କୁ ସ୍କିଲ୍ ପ୍ରମାଣପତ୍ର ମିଳିବ, ଯାହାକି ଅନ୍ୟାନ୍ୟ ସଂସ୍ଥାରେ ଚାକିରୀ ପାଇବାରେ ସହାୟକ ହେବ ।

ତେବେ ବିରୋଧୀ ଦଳମାନେ ମଧ୍ୟ ଏହି ସ୍କିମ୍‌କୁ ସମାଲୋଚନା କରିଛନ୍ତି । ଦେଶର ବେରୋଜଗାର ଯୁବାଙ୍କୁ ଅଗ୍ନିପଥରେ ଚଲାଇ, ପ୍ରଧାନମନ୍ତ୍ରୀ ସେମାନଙ୍କ ସଂଯମତାର ଅଗ୍ନିପରୀକ୍ଷା ନିଅନ୍ତୁ ନାହିଁ ବୋଲି ଟୁଇଟ୍ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ସେନାରେ ଭର୍ତ୍ତି ହେବାକୁ ଆଶାୟୀ ଯୁବାଙ୍କୁ ୪ ବର୍ଷ ନୁହେଁ, ସାରା ଜୀବନ ଦେଶ ସେବାର ସୁଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ।

ଅନ୍ୟପକ୍ଷରେ, କେନ୍ଦ୍ର ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରିଛି ଯେ, ସେନାରେ ୪ ବର୍ଷ ପୂରଣ ପରେ ଅଗ୍ନିବୀରଙ୍କୁ CAPF ଓ ଆସାମ ରାଇଫଲ୍‌ରେ ଭର୍ତ୍ତି ପାଇଁ ପ୍ରାଥମିକତା ମିଳିବ । ତେଣେ ପୋଲିସ ଓ ଅନ୍ୟସେବାରେ ନିଯୁକ୍ତି ପାଇଁ ମଧ୍ୟ ସେମାନଙ୍କୁ ଅଗ୍ରାଧିକାର ମିଳିବ ବୋଲି ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କାହାରି ପ୍ରରୋଚନାରେ ନପଡ଼ିବାକୁ ଯୁବପୀଢ଼ିଙ୍କୁ ସେ ଅପିଲ୍ କରିଛନ୍ତି । ଏଣେ ଅବସରପ୍ରାପ୍ତ ସେନାଧିକାରୀ ଓ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମଧ୍ୟରେ ବି ଏନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି ।