• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ସାରା ଦେଶ ୯୦ ତମ ବାୟୁସେନା ଦିବସ ପାଳନ କରୁଛି । ବାୟୁସେନା ଇତିହାସରେ ପ୍ରଥମ ଥର ପାଇଁ ବାୟୁସେନା ଦିବସ ଦିଲ୍ଲୀ ବାହାରେ ଚଣ୍ଡିଗଡ଼ରେ ପାଳନ ହେଉଛି । ଆଉ ଆମ ବାୟୁସେନାର ଶକ୍ତି କେତେ, ତାହାର ଗର୍ଜନ ଚୀନ୍ ସୀମାରୁ ପାକିସ୍ତାନ ପର୍ଯ୍ୟନ୍ତ ଶୁଣାଯାଇଛି ବୋଲି କୁହାଯାଉଛି ।

ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଙ୍କ କଥା ଯଦି କହିବା ତେବେ ଆମେରିକା, ଚୀନ୍, ଋଷ ପରେ ଚତୁର୍ଥ ନମ୍ବରରେ ଆସୁଛି ଭାରତ । ଦିନକୁ ଦିନ ନିଜର ସାମରିକ ଶକ୍ତି ବଢାଉଛି ଭାରତ । କିନ୍ତୁ ବର୍ତ୍ତମାନ ସାଧାରଣରେ ସବୁବେଳେ ଗୋଟିଏ ପ୍ରଶ୍ନ ଉଠେ କି ଭାରତୀୟ ବାୟୁସେନା ଏବଂ ପାକିସ୍ତାନ ବାୟୁସେନା ମଧ୍ୟରେ ସବୁଠୁ ଅଧିକ ଶକ୍ତିଶାଳୀ କିଏ ? ଆମେ ସମସ୍ତେ ଜାଣନ୍ତି ପାକିସ୍ତାନ ଅପେକ୍ଷା ଭାରତର ଶକ୍ତି ବହୁ ଅଧିକ । ହେଲେ ଚୀନର ଚକ୍ରାନ୍ତରେ ପଡି ଏବେ ନିଜକୁ ଅଧିକ ଶକ୍ତିଶାଳୀ କରିବାରେ ଲାଗିଛି ପାକିସ୍ତାନ । ଆସନ୍ତୁ ଜାଣିବା କାହାର କେତେ ଶକ୍ତି ?

୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । କିନ୍ତୁ ଭାରତୀୟ ବାୟୁସେନା ପୂର୍ବରୁ ପାକିସ୍ତାନ୍ ବାୟୁସେନା ପ୍ରତିଷ୍ଠା ହୋଇସାରିଥିଲା । ୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ପାକିସ୍ତାନ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ଯଦି ଆମେ ୱାର୍ଲ୍ଡ ରାଙ୍କିଙ୍ଗ୍ ରିପୋର୍ଟକୁ ଦେଖିବା ତେବେ ପାକିସ୍ତାନ ବାୟୁସେନା ୮ମ ସ୍ଥାନରେ ରହିଥିବା ବେଳେ ଭାରତୀୟ ବାୟୁସେନା ୪ର୍ଥ ସ୍ଥାନରେ ରହିଛି ।

ଭାରତୀୟ ବାୟୁସେନା ପାଖରେ ୧,୭୦,୫୭୬ ସକ୍ରିୟ ସୈନିକ ଅଛନ୍ତି । ୧.୪୦ ଲକ୍ଷ ରିଜର୍ଭ ଫୋର୍ସ ଅଛନ୍ତି । ଏହାସହ ଆମ ପାଖରେ ୧୯୨୬ରୁ ଅଧିକ ଏୟାରକ୍ରାପ୍ଟ ରହିଛି । ତେବେ ପାକିସ୍ତାନ ବାୟୁସେନା ପାଖରେ ୭୦ ହଜାର ସକ୍ରିୟ ସୈନ୍ୟ, ୮ ହଜାର ରିଜର୍ଭ ଫୋର୍ସ ୯୭୦ରୁ ଅଧିକ ଏୟାରକ୍ରାପ୍ଟ ରହିଛି ।

ଯଦି ଆମେ ଫାଇଟର୍ ଜେଟ୍ କଥା କହିବା, ଭାରତ ପାଖରେ ଋଷ ନିର୍ମିତ ୨୮୩ଟି ସୁଖୋଇ-୩୦ ଏକେଆଇ ରହିଛି । ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ କଠିନରୁ କଠିନ ପାଣିପାଗରେ ବି ଲଢିବା ପାଇଁ ସକ୍ଷମ । ମଲ୍ଟି ରୋଲ ଫାଇଟର୍ ଜେଟ୍ କଥା ଯଦି କହିବା ତେବେ ଭାରତ ୩୬ଟି ଡାସଲ୍ଟ ରାଫେଲ ଫାଇଟର ଏୟାରକ୍ରାପ୍ଟ, ୬୯ଟି ମିକୋୟାନ୍ ମିଗ୍-୨୯, ୫୯ ମିରାଜ, ୧୨୩ଟି ତେଜସ ଯୁଦ୍ଧ ବିମାନ କିଣିବାକୁ ଅର୍ଡର ଦେଇସାରିଛି । ଏବେ ଭାରତ ପାଖରେ ୫ଟି ତେଜସ୍, ୧୩୯ ସେପରକ୍ୟାଟ୍ ଜାଗୁଆର୍ ଏବଂ ୧୨୫ଟି ମିଗ୍-୨୧ ବାଇସନ୍ ଏୟାରକ୍ରାପ୍ଟ ରହିଛି ।

ସେହିପରି ପାକିସ୍ତାନ୍ ପାଖରେ ଆମେରିକା ତିଆରି ୭୫ଟି ଏଫ୍-୧୬, ୧୩୪ ଚୀନ ନିର୍ମିତ ଜେଏଫ୍-୧୭ ରହିଛି । ଏହାଛଡା ୮୦ଟି ମିରାଜ-୩ ଫାଇଟର ଜେଟ୍, ୯୦ଟି ମିରାଜ୍-୫, ଏବଂ ୧୪୦ଟି ଏଫ୍-୭ ପିଜି କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି । କିନ୍ତୁ ସେଥିମଧ୍ୟରୁ ଏଫ୍-୧୬ ଏବଂ ଏଫ୍-୧୭କୁ ଛାଡିଦେଲେ ଆଉ କୌଣସି ଯୁଦ୍ଧ ବିମାନ ମଲ୍ଟି ରୋଲ ଫାଇଟର ଜେଟ୍ ନୁହେଁ ।

ଫିକ୍ସଡ ୱିଂଗ୍ସ ଏୟାରକ୍ରାପ୍ଟ କଥା କୁହାଗଲେ, ଭାରତ ତୁଳନାରେ ପାକିସ୍ତାନ ବହୁତ ପଛରେ ରହିଛି । ଭାରତ ପାଖରେ ମୋଟ ୮୯୭ ଫିକ୍ସଡ ୱିଂଗ୍‌ସ କମ୍ବାକ୍ଟ ଏୟାରକ୍ରାପ୍ଟ ରହିଛି । ସେହି ତୁଳନାରେ ପାକିସ୍ତାନ ପାଖରେ ୭୫୫ ଫିକ୍ସଡ ୱିଂଗ୍‌ସ ଲଢୁଆ ଏୟାରକ୍ରାପ୍ଟ ରହିଛି । ଭାରତୀୟ ବାୟୁସେନା ପାଖରେ ୨୨ଟି ଆପାଚେ ଆଟାକ୍ ହେଲିକପ୍ଟର । ୬୮ଟି ଏଚଏଲ ଲାଇଟ୍ କମ୍ବାକ୍ଟ ହେଲିକପ୍ଟର, ୧୫ ଚିନୁଖ୍ ହେବି ଲିପ୍ଟ ହେଲିକପ୍ଟର, ୧୫୦ଟି ଏମଆଇ-୧୭ବି ରହିଛି । କିନ୍ତୁ ପାକିସ୍ତାନ ପାଖରେ କୌଣସି ଏପରି କମ୍ବାକ୍ଟ ହେଲିକପ୍ଟର ନାହିଁ ।

ତେବେ ମୋଟ୍‌ ଉପରେ କହିବାକୁ ଗଲେ ଭାରତ ସାମ୍ନାରେ ଲଢେଇ କରିବାକୁ ପାକିସ୍ତାନ ପାଖରେ ବିଶେଷ କିଛି ଅସ୍ତ୍ରଶସ୍ତ୍ର ନାହିଁ । କିନ୍ତୁ ଚୀନର ବଳରେ ବଳିଆନ ହେଉଛି ପାକିସ୍ତାନ। ତେବେ ଆଜି ବାୟୁସେନା ଦିବସରେ ନିଜର ରଣକୌଶଳ ଦେଖାଇଛି ଇଣ୍ଡିଆନ ଏୟାରଫୋର୍ସ ।