• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ବିରୋଧୀଙ୍କ ହାଲ୍ଲାବୋଲ, ସାଧାରଣ ଜନତାଙ୍କ ଆନ୍ଦୋଳନ ଓ ଡାକ୍ତରମାନଙ୍କ ପ୍ରତିବାଦ ମମତା ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛି । ମହିଳା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିରୋଧୀ ଉପରେ ଦୋଷ ଲଦି ରାଜରାସ୍ତାକୁ ଓହ୍ଲାଇଥିବା ପଶ୍ଚିବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭାରି ପଡ଼ିଛି ତାଙ୍କ ଜିଦ୍‌ । ଏହି ଘଟଣାରେ ବିଜେପି ସାଂସଦ ସମ୍ବିତ ପାତ୍ରଙ୍କ ପ୍ରେସ୍‌ମିଟ୍‌ ପରେ ବୋଧହୁଏ ଦିଦିଙ୍କ ମୁଣ୍ଡରେ ବୁଦ୍ଧି ପଶିଛି । ଆଉ ମହିଳାଙ୍କ ସୁରକ୍ଷା ପାଇଁ ଆଣିଛନ୍ତି ନୂଆ ଯୋଜନା । ଯାହାର ନାଁ ‘ରାତିର ସାଥୀ’ ରଖାଯାଇଛି । ଡେରିରେ ହେଉ ପଛେ ଏବେ ମମତା ଦିଦିଙ୍କ ଚେତା ପଶିଛି । 

ମହିଳା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏବେ ଆନ୍ଦୋଳନ ତୀବ୍ର ହେଲାଣି । କେବଳ ପଶ୍ଚିମବଙ୍ଗ କି କୋଲକାତାରେ ନୁହେଁ ଏହି ପ୍ରତିବାଦ ଓ ବିରୋଧର ନିଆଁ ସାରା ଦେଶକୁ ବ୍ୟାପି ସାରିଛି । ଗତ ଶନିବାର ଓଡ଼ିଶାର କଟକ ଓ ଭୁବନେଶ୍ୱରର ବିଭିନ୍ନ ମେଡିକାଲରେ ଡାକ୍ତରମାନେ ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ପ୍ରତିବାଦ କରିଥିଲେ । ଆଉ ଏହାର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଆଉ ଏ ସବୁ ପରେ ଆହୁରି ଘନେଇଥିଲା ରାଜନୀତି । ବିଜେପି ଏ ସବୁକୁ ନେଇ ପ୍ରେସମିଟ୍‌ କରିବା ସହ ମମତା ସରକାରଙ୍କ ଉପରେ ଖୁବ୍‌ ବର୍ଷିଥିଲା । ପରେ ମମତା ସରକାର ମହିଳା କର୍ମଚାରୀଙ୍କ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି । 

ଏଣିକି ରାତିରେ କାମ କରୁଥିବା ମହିଳା କର୍ମଚାରୀଙ୍କ ନିମନ୍ତେ ସରକାର ‘ରାତିର ସାଥୀ’ ନାଁରେ ଯୋଜନା ଆଣିବାକୁ ଯାଉଛନ୍ତି ।

୧. ଏହି ଯୋଜନାରେ ସବୁ ସରକାରୀ ଡାକ୍ତରଖାନାରେ ପୁରୁଷ ଓ ମହିଳା ସୁରକ୍ଷାକର୍ମୀ ମୁତୟନ ହେବେ  ।
୨. ମହିଳା ଡାକ୍ତରମାନେ ଏକାଥରକେ ୧୨ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ କରିବେ ନାହିଁ ।
୪. ମହିଳାଙ୍କ ପାଇଁ ଏ ସବୁ କାର୍ଯ୍ୟସ୍ଥଳୀରେ ସ୍ବତନ୍ତ୍ର ବିଶ୍ରାମକକ୍ଷ ଏବଂ ଶୌଚାଳୟର ବନ୍ଦୋବସ୍ତ କରାଯିବ ।
୩. ଏହି ସବୁ ବ୍ୟବସ୍ଥା ଡାକ୍ତରଖାନା, ମେଡିକାଲ କଲେଜ, ଲେଡିଜ ହଷ୍ଟେଲ ଏବଂ ଅନ୍ୟକିଛି ସ୍ଥାନର କାର୍ଯ୍ୟରତ ମହିଳାଙ୍କ ନିକଟରେ ଲାଗୁ ହେବ । 
୫. ରାତିରେ ମହିଳା କର୍ମଚାରୀଙ୍କୁ ଜଗିବାକୁ ମହିଳା ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ । 
୬. ସ୍ଥାନୀୟ ଥାନା ସହ ସଂଯୋଗ କରୁଥିବା ଆପକୁ ମହିଳା କର୍ମଚାରୀଙ୍କ ଫୋନରେ ଅପଲୋଡ କରାଯିବ । 
୭. ଏଥି ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୦ ଓ ୧୧୨ ହେଲପ୍‌  ଲାଇନ ନମ୍ବର ବନ୍ଦୋବସ୍ତ କରାଯାଇଛି  ।

ମହିଳା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପ୍ରବଳ ବିରୋଧ ଯୋଗୁ ଏପରି ଏକ ପଦକ୍ଷେପ ନେଇଛନ୍ତି ମମତା ସରକାର । ଖୁବ୍‌ ଶୀଘ୍ର ଏହି ସବୁ ବ୍ୟବସ୍ଥା କରାଯିବାକୁ ମଧ୍ୟ କୁହାଯାଇଛି । ହେଲେ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ନେଇ ସରକାର କ’ଣ ପଦକ୍ଷେପ ଗ୍ରହଣ କରୁଛନ୍ତି ସେନେଇ କିଛି ଏଯାଏଁ ସ୍ପଷ୍ଟ ହୋଇନାହିଁ । 

OTV is now on Whatsapp

Join and get latest news update delivered to you via whatsapp

Join Now