• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଗ୍ନିପଥ ବିରୋଧୀ ଆନ୍ଦୋଳନକାରୀଙ୍କୁ ସେନାର କଡ଼ା ଚେତାବନୀ । ଯୋଜନା ପ୍ରତ୍ୟାହାରର ତ ପ୍ରଶ୍ନ ଉଠୁନି ବରଂ ଉପଦ୍ରବ ଓ ହିଂସାକାଣ୍ଡରେ ସାମିଲ ଯୁବକଙ୍କ ପାଇଁ ସବୁଦିନ ଲାଗି ବନ୍ଦ ହୋଇଯିବ ସେନାରେ ଭର୍ତ୍ତି ହେବାର ବାଟ । ଶୃଙ୍ଖଳା ଭାରତୀୟ ସେନାର ମୂଳଦୁଆ ହୋଇଥିବାରୁ, ହିଂସା ଓ ଉପଦ୍ରବକାରୀଙ୍କ ପାଇଁ ସେଠାରେ କୌଣସି ସ୍ଥାନ ନାହିଁ ବୋଲି କଡ଼ା ଶବ୍ଦରେ କହିଛନ୍ତି ସେନା ବ୍ୟାପାର ବିଭାଗ ଅତିରିକ୍ତ ସଚିବ ଲେଫ୍ଟେନାଣ୍ଟ ଜେନେରାଲ୍ ଅନୀଲ ପୁରୀ ।

ଅଗ୍ନିବୀର ନିଯୁକ୍ତି ପୂର୍ବରୁ ପ୍ରାର୍ଥୀମାନଙ୍କୁ ଲିଖିତ ଆକାରରେ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ ଯେ, ସେମାନେ ଆନ୍ଦୋଳନ ବା ହିଂସାରେ ସାମିଲ ନଥିଲେ । କେବଳ ଏତିକି ନୁହେଁ, ସେନାରେ ଅଗ୍ନିବୀରଙ୍କ ଭର୍ତ୍ତି ପୂର୍ବରୁ ପୋଲିସ କ୍ଲିୟରାନ୍ସ ମଧ୍ୟ ନିହାତି ଆବଶ୍ୟକ । ସେମାନଙ୍କ ନାଁରେ ଏଫ୍‌ଆଇଆର୍ ହୋଇଥିଲେ ସେମାନେ ସେନାରେ ଯୋଗ ଦେଇପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେଣୁ ଏସବୁରେ ସମୟ ନଷ୍ଟ ନକରି ସେନାରେ ସାମିଲ ହେବାକୁ ନିଜ ପ୍ରସ୍ତୁତି ଉପରେ ଧ୍ୟାନ ଦେବାକୁ ସେ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି ।

ଏଥିସହ ଲେଫ୍ଟେନାଣ୍ଟ ଜେନେରାଲ୍ ଅନୀଲ ପୁରୀ ସୂଚନା ଦେଇଛନ୍ତି ଯେ, ଅଗ୍ନିପଥ ସ୍କିମ ଏବେକାର ଯୋଜନା ନୁହେଁ । ୧୯୮୯ରୁ ସେନାରେ ଏଭଳି ଅନେକ ସଂସ୍କାର କଥା ଯୋଜନା ରହିଛି ଏବଂ କ୍ରମାଗତ ଭାବେ ଏହାକୁ ଲାଗୁ କରାଯାଉଛି । ଅଗ୍ନିବୀରଙ୍କୁ ଚାକିରୀ ବେଳେ ଓ ଚାକିରୀ ପରେ ମିଳିବାକୁ ଥିବା ଆର୍ଥିକ ଓ ଦକ୍ଷତାଗତ ସୁବିଧା ସଂପର୍କରେ ସୂଚନା ଦେବା ସହିତ, ନିକଟ ଭବିଷ୍ୟତରେ ନିଯୁକ୍ତି ସଂଖ୍ୟା ୧ ଲକ୍ଷ ୨୫ ହଜାରକୁ ବଢ଼ିବ ବୋଲି ସେ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି କୌଣସି ସ୍ଥିତିରେ ସେମାନଙ୍କୁ ସେନାରେ ନ୍ୟୁନ ଭାବେ ବିଚାର କରାଯିବ ନାହିଁ ।

ତିନିସେନାରେ ଖୁବ୍‌ଶୀଘ୍ର ଆରମ୍ଭ ହୋଇଯିବ ଅଗ୍ନିବୀରଙ୍କ ନିଯୁକ୍ତି ପ୍ରକ୍ରିୟା । ଆର୍ମି ପାଇଁ ଜୁଲାଇ ୧ରେ ବିଜ୍ଞପ୍ତି ପ୍ରକାଶ ପାଇବ, ଏହାପରେ ଜଏନ୍ ଇଣ୍ଡିଆନ୍ ଆର୍ମି ୱେବସାଇଟରେ ଆବେଦନ ଓ ପଞ୍ଜୀକରଣ ହୋଇପାରିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ଥଳସେନା ଆଡ୍‌ଜଟାଣ୍ଟ ଜେନେରାଲ୍ ସୂଚନା ଦେଇଛନ୍ତି । ଏହାପରେ ଅଗଷ୍ଟ ପ୍ରଥମାର୍ଦ୍ଧରୁ ନଭେମ୍ବର ଭିତରେ ସାରା ଦେଶରେ ୮୩ଟି ରାଲି ହେବ ଏବଂ ଡିସେମ୍ବର ଓ ଆସନ୍ତା ଫେବୃଆରୀରେ ୨ଟି ବ୍ୟାଚ୍ ଅଗ୍ନିବୀର ସେନାରେ ଯୋଗଦେବେ ବୋଲି ସେ କହିଛନ୍ତି ।

ବାୟୁସେନା ଏୟାର୍ ଅଫିସର୍ ଇନ୍‌ଚାର୍ଜ ପର୍ସନେଲ୍ ଜଣାଇଛନ୍ତି ଯେ, ଏୟାରଫୋର୍ସରେ ଜୁନ୍ ୨୪ରୁ ଅଗ୍ନିବୀରଙ୍କ ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ । ଜୁଲାଇ ୨୪ରେ ପରୀକ୍ଷା ଏବଂ ଡିସେମ୍ବର ୩୦ରୁ ଟ୍ରେନିଂ ଆରମ୍ଭ ହେବ । ନୌସେନା ଚିଫ୍ ଅଫ୍ ପର୍ସନେଲ୍ କହିଛନ୍ତି, ଜୁନ୍ ୨୫ ଭିତରେ ବିଜ୍ଞପ୍ତି ପ୍ରକାଶ ପାଇବ । ନଭେମ୍ବର ୨୧ରେ ପ୍ରଥମ ବ୍ୟାଚ୍ ଅଗ୍ନିବୀର ଆଇଏନ୍ଏସ୍ ଚିଲିକାରେ ଟ୍ରେନିଂ ଆରମ୍ଭ କରିବେ । ଉଭୟ ପୁରୁଷ ଓ ମହିଳା ଅଗ୍ନିବୀର ଏଥିରେ ଯୋଗ ଦେଇପାରିବେ ।

ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଦ୍ୱିତୀୟ ଥର ପାଇଁ ତିନି ସେନା ମୁଖ୍ୟଙ୍କୁ ଭେଟି ଅଗ୍ନିପଥ ସ୍କିମ୍‌ର ସମୀକ୍ଷା କରିଛନ୍ତି । ତେଣେ ଆଜି ଅଗ୍ନିପଥ ସ୍କିମ୍ ବିରୋଧରେ ଆଶାୟୀଙ୍କ ସେଭଳି ବିଶେଷ ଆନ୍ଦୋଳନ ବା ହିଂସାକାଣ୍ଡ ଦେଖିବାକୁ ମିଳିନାହିଁ ।