• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କର୍ଣ୍ଣାଟକ ସିଏମ୍ ରେସ୍‌ରେ ବାଜି ମାରିନେବେ କି ସିଦ୍ଦରମୈୟା?  ସେ ଆସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିବା ପରେ, ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହର ଲହରି । ତେବେ କ୍ଷୁବ୍ଧ ହୋଇଛି ଶିବକୁମାର ଶିବିର । କର୍ଣ୍ଣାଟକ କଂଗ୍ରେସ ସଭାପତି ତଥା ସିଏମ୍ ପଦ ପାଇଁ ଅନ୍ୟତମ ଆଶାୟୀ ଡି.କେ. ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ସହିତ ଅନେକ ଲୋଭନୀୟ ମନ୍ତ୍ରୀପଦ ଦେଇ ଦଳୀୟ ହାଇକମାଣ୍ଡ ସନ୍ତୁଷ୍ଟ କରିବାକୁ ଚାହିଁଥିଲେ ମଧ୍ୟ, ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିବା କୁହାଯାଉଛି। ଏସବୁ ଭିତରେ କଂଗ୍ରେସ କହିଛି, ଆଗାମୀ ୪୮ରୁ ୭୨ ଘଣ୍ଟା ଭିତରେ କର୍ଣ୍ଣାଟକର ନୂଆ କ୍ୟାବିନେଟ୍ ଘୋଷଣା କରାଯିବ।

ତେବେ ସିଦ୍ଦରମୈୟା ପିନ୍ଧିପାରନ୍ତି କର୍ଣ୍ଣାଟକ ସିଏମ୍ ଶିରପା ଦ୍ୱିତୀୟ ଥର ବନିପାରନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ । ବିଶ୍ୱସ୍ତ ସୂତ୍ରରୁ ସୂଚନା ହେଉ କି ଜାତୀୟ ଗଣମାଧ୍ୟମର ଖବର, କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟାଙ୍କ ନାଁ ଚୂଡ଼ାନ୍ତ ହୋଇସାରିଛି ଏବଂ କଂଗ୍ରେସ ହାଇକମାଣ୍ଡ ମୋହର ମାରିସାରିଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ବେଙ୍ଗାଲୁରୁରେ ସିଦ୍ଦରମୈୟାଙ୍କ ଘର ଆଗରେ ଭିଡ଼ ଜମାଇଛନ୍ତି ତାଙ୍କ ସମର୍ଥକ । ସେଠାରେ କିଏ ତାଙ୍କ ଫଟୋ ଉପରେ କ୍ଷୀର ଢାଳୁଛି, ତ ଆଉ କିଏ ବାଣ ଫୁଟାଇ ଖୁସି ମନାଉଛି ।

କର୍ଣ୍ଣାଟକର ସିଦ୍ଦରମୈୟା ଶିବିର ସିନା ଉତ୍ସବମୁଖର, ହେଲେ ତେଣେ ଦିଲ୍ଲୀରେ କିନ୍ତୁ ଏବେବି ଗମ୍ଭୀର ରହିଛି ସ୍ଥିତି। ଆଜି ପୁଣିଥରେ ଉଭୟ ମୁଖ୍ୟମନ୍ତ୍ରୀ ଆଶାୟୀ ସିଦ୍ଦରମୈୟା ଓ ଡି.କେ. ଶିବକୁମାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ଏଯାଏଁ କଂଗ୍ରେସ ପକ୍ଷରୁ ବିଧିବଦ୍ଧ ଭାବେ କିଛି ବି ଘୋଷଣା କରାଯାଇନଥିବା ବେଳେ, କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ଆଗାମୀ ୪୮ରୁ ୭୨ ଘଣ୍ଟା ଭିତରେ ରାଜ୍ୟର ନୂଆ କ୍ୟାବିନେଟ୍ ଘୋଷଣା କରାଯିବ ।

ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ, ସିଦ୍ଦରମୈୟା ଓ ଶିବକୁମାର ସମୀକରଣକୁ ସଜାଡ଼ିବା ପାଇଁ କଂଗ୍ରେସ ହାଇକମାଣ୍ଡଙ୍କୁ ଢେର୍ କସରତ କରିବାକୁ ପଡ଼ିଛି। ହୁଏତ ଚୂଡ଼ାନ୍ତ ହୋଇସାରିଛି ଯେ, ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ଏବଂ ଶିବକୁମାରଙ୍କୁ ତୁଷ୍ଟ କରିବାକୁ ଉପମୁଖ୍ୟମନ୍ତ୍ରୀ ପଦ ସହିତ ୬ଟି ଲୋଭନୀୟ ବିଭାଗର ମନ୍ତ୍ରୀପଦ ମିଳିବ। 

ସିଦ୍ଦରମୈୟା ପ୍ରଥମ ୨ ବର୍ଷ ଏବଂ ଶିବକୁମାର ବାକି ୩ ବର୍ଷ ମୁଖ୍ୟମନ୍ତ୍ରୀ ବନିପାରନ୍ତି ବୋଲି ମଧ୍ୟ କୁହାଯାଉଛି । ତେବେ ସୂଚନା ଅନୁସାରେ, ଏଭଳି ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ଶିବକୁମାର। ସେ ମୁଖ୍ୟମନ୍ତ୍ରୀ ବନିବେ, ନଚେତ୍ ମନ୍ତ୍ରିମଣ୍ଡଳର କୌଣସି ପଦପଦବୀ ନେବେ ନାହିଁ, ସାଧାରଣ ବିଧାୟକ ରହିବେ ବୋଲି ସଫାସଫା ହାଇକମାଣ୍ଡଙ୍କୁ ଶୁଣାଇ ଦେଇଛନ୍ତି । ୩ ବର୍ଷିଆ ମୁଖ୍ୟମନ୍ତ୍ରୀ ପ୍ରସ୍ତାବକୁ ବି ସେ ଅଗ୍ରାହ୍ୟ କରିଥିବା ଚର୍ଚ୍ଚା ହେଉଛି।

ତେଣେ ଶିବକୁମାର ଶିବିରରେ ବି କାଳେ ଅସନ୍ତୋଷର ହାୱା ବହିବାରେ ଲାଗିଲାଣି। ସୋନିଆଙ୍କ ବାସଭବନ ୧୦ ଜନପଥ ଆଗରେ କିଛି ଶିବକୁମାର ସମର୍ଥକ ନାରାବାଜି କରିଥିବା ବେଳେ, ଆଉ କେତେଜଣ ମାନସିକ ପୂରଣ ପାଇଁ ବେଙ୍ଗଳୁରୁରେ ମନ୍ଦିର ଆଗରେ ନଡ଼ିଆ ଭାଙ୍ଗିଥିବା ଦେଖିବାକୁ ମିଳିଛି ।

ତେବେ କଂଗ୍ରେସ ସବୁ ଚର୍ଚ୍ଚାକୁ ମିଛ ବୋଲି କହିଥିବା ବେଳେ, ବିଦାୟୀ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି ସଂଖ୍ୟାଗରିଷ୍ଠତା ପାଇବା ସତ୍ତ୍ୱେ ଏଯାଏଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନିଆଯାଇ ନପାରିବା କଂଗ୍ରେସର ଆଭ୍ୟନ୍ତରୀଣ ସ୍ଥିତିକୁ ସୂଚାଉଛି । ଯଦି ସିଦ୍ଦରମୈୟା ବାଜି ମାରିନେଇଥିବା ଚର୍ଚ୍ଚା ସତ ହୋଇଥାଏ, ତେବେ ଏହାର କଣ କାରଣ ଥାଇପାରେ ବୋଲି ମଧ୍ୟ ଆଲୋଚନା ଜୋର ଧରିଲାଣି ।

ଟପ୍-ଫାଇଭ୍ ସମ୍ଭାବ୍ୟ କାରଣ

୧- ଶିବକୁମାରଙ୍କ ତୁଳନାରେ ସିଦ୍ଦରମୈୟାଙ୍କ ପ୍ରତି ଅଧିକ ସଂଖ୍ୟକ କଂଗ୍ରେସ ବିଧାୟକଙ୍କ ସମର୍ଥନ 

୨- ଶିବକୁମାରଙ୍କ ଅପେକ୍ଷା ସିଦ୍ଦରମୈୟା ରାହୁଲ ଗାନ୍ଧିଙ୍କର ଅଧିକ ପସନ୍ଦର ସିଏମ୍ ପ୍ରାର୍ଥୀ

୩- ବୟସାଧିକ୍ୟ ଦୃଷ୍ଟିରୁ ସିଦ୍ଦରମୈୟାଙ୍କ ଏହା ଶେଷ ନିର୍ବାଚନ ଏବଂ ମୁଖ୍ୟମନ୍ତ୍ରୀ ବନିବାର ଶେଷ ସୁଯୋଗ 

୪- ଶିବକୁମାରଙ୍କ ବିରୋଧରେ ଆୟକର, ଇଡି ଓ ସିବିଆଇ ମାମଲା ରହିଛି, ସିଦ୍ଦରମୈୟାଙ୍କ ଭାବମୂର୍ତ୍ତି ନିର୍ମଳ 

୫- ଶିବକୁମାରଙ୍କ ତୁଳନାରେ ସିଦ୍ଦରମୈୟା ବରିଷ୍ଠ ଓ ମୁଖ୍ୟମନ୍ତ୍ରୀ ଭାବେ ପ୍ରଶାସନ ଚଳାଇବାରେ ତାଙ୍କର ଅଭିଜ୍ଞତା ରହିଛି । ଏସବୁ ଭିତରେ ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବା ବେଙ୍ଗାଳୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ସୁରକ୍ଷା ଯାଞ୍ଚ କରିଛି ପୋଲିସ ।