• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୃତ୍ୟ ପଥରେ ମାନବିକତା । ଦିନକୁ ଦିନ ଲୋକେ ଏପରି ଅମାନବୀୟ ବ୍ୟବହାର କରୁଛନ୍ତି, ଚିନ୍ତା କରିବା ବି କଳ୍ପନା ବାହାରେ ହୋଇଯାଉଛି । ଏବେ ଲୋକଙ୍କ ପାଇଁ ଏକମାତ୍ର ମୋବାଇଲ୍‌ ହିଁ ସବୁକିଛି । କେହି ମରିଯାଉ, କି କାହାର ହାତଗୋଡ଼ କଟିଯାଉ, କିଛି ପରବାୟ ନାହିଁ । ହାତରେ ମୋବାଇଲ୍‌ ଧରି ସୁଟିଂ କରିବା ଉପରେ ସମସ୍ତଙ୍କ ନଜର । ନିକଟରେ ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର କନ୍ନୌଜରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି ।

ଗୁରୁତର ଆହତ ଝିଅଟି ଦୟାକରି ସାହାଯ୍ୟ କର ବୋଲି ଚିତ୍କାର କରୁଛି । ହାତ ଠାରି ଡାକୁଛି ମୋତେ ହସ୍ପିଟାଲ ନିଅ । ହେଲେ ଦେଖଣାହାରୀଙ୍କ କର୍ଣ୍ଣଗହ୍ୱରକୁ ସତେ ଯେପରି ତା’ର ଚିତ୍କାର ଶୁଭୁନି । ସାହାଯ୍ୟ କରିବା ପରିବର୍ତ୍ତେ ସମସ୍ତେ ଭିଡିଓ ତିଆରି କରିବାରେ ବ୍ୟସ୍ତ ଅଛନ୍ତି । ସୁଚନା ଅନୁସାରେ ନାବାଳିକା ଜଣ ତାଙ୍କ ଘରୁ ନିଖୋଜ ହୋଇଯାଇଥିଲେ ଏବଂ ଅନେକ ଘଣ୍ଟା ପରେ ଆହତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ଅଧିକ ପଢ଼ନ୍ତୁ: ସେ ମାଙ୍କଡ଼ ସିନା, ହେଲେ ମଣିଷଠୁ ବଳି; ଦେଖନ୍ତୁ ଭିଡିଓ...

ଝିଅଟିର ମୁଣ୍ଡ ଏବଂ ଶରୀରରେ ଆଘାତ ଲାଗିଥିବା ଭିଡିଓରେ ଦେଖାଯାଉଛି । କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ । ୨୫ ସେକେଣ୍ଡର ସେହି ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଏତିକି ବେଳେ ଜଣେ ବ୍ୟକ୍ତି ପଚାରୁଛନ୍ତି, ପୋଲିସକୁ ସୂଚନା ଦିଆଯାଇଛି କି ନାହିଁ ? ତେବେ ତାଙ୍କ କଥା ନଶୁଣି ଅନ୍ୟମାନେ ଭିଡିଓ ତିଆରି କରିବାରେ ଲାଗିଛନ୍ତି ।

ପୋଲିସ ପହଞ୍ଚିବା ପର୍ଯ୍ୟନ୍ତ ଝିଅଟି ସେହିପରି ଯନ୍ତ୍ରଣାରେ ଛଟପଟ୍‌ ହେଉଥିଲା । ଭାଇରାଲ ହୋଇଥିବା ଅନ୍ୟ ଏକ ଭିଡିଓରେ ଜଣେ ପୋଲିସ କର୍ମଚାରୀ ଆହତ ଝିଅକୁ କୋଳରେ ଧରି ଅଟୋରିକ୍ସା ଆଡକୁ ଦଉଡ଼ୁଥିବାର ଦେଖିବାକୁ ମିଳିଛି ।

ପୋଲିସ ଅଧୀକ୍ଷକ କୁନୱର ଅନୁପମ ସିଂ କହିଛନ୍ତି, ନାବାଳିକାକୁ ଆହତ ଅବସ୍ଥାରେ ଦେଖିବାକୁ ମିଳିଥିଲା ​​। ତାଙ୍କ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନାବାଳିକାଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ ହୋଇଛି ବୋଲି ପୋଲିସ କହିଛି । ଏହି ମାମଲାରେ କାହାକୁ ଗିରଫ କରାଯାଇ ନାହିଁ। ତେବେ ଝିଅଟି ଯୌନ ଶୋଷଣର ଶିକାର ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ବିଦ୍ର : ଭିଡିଓଟି ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ ଏହାକୁ ଖବରରେ ଯୋଡ଼ିବା ଠିକ୍‌ ମନେ କରାଯାଉ ନାହିଁ ।