• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଶକ୍ତି ସଂକଟ ଉତ୍କଟ ହେବାରେ ଲାଗିଛି । ଉତ୍ତରପ୍ରଦେଶ, ରାଜସ୍ଥାନ ପରେ କେରଳ ଏବେ ଶକ୍ତି ସଂକଟର ସାମନା କରିଛି । ବିଜୁଳି ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବାରୁ ରାଜସ୍ଥାନର ସହରାଞ୍ଚଳରେ ୨ ଘଣ୍ଟା ଓ ଗ୍ରାମାଞ୍ଚଳରେ ୪ ଘଣ୍ଟା ପାଇଁ ବିଜୁଳି କାଟ କରାଯାଉଛି ବୋଲି ରାଜ୍ୟ ଶକ୍ତି ସଚିବ କହିଛନ୍ତି । ଯେତିକି ବିଜୁଳି ଆବଶ୍ୟକ, ତା’ଠୁ ଯଥେଷ୍ଟ କମ୍ ପରିମାଣର ବିଦ୍ୟୁତ ମିଳୁଥିବା ସରକାର କହିଛନ୍ତି ।

ଏହାଛଡ଼ା ପଞ୍ଜାବ, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ମଧ୍ୟ ବିଜୁଳି ସଂକଟ ଦେଖାଦେଇଛି । ମହାରାଷ୍ଟ୍ରକୁ ଆବଶ୍ୟକଠାରୁ ୧୧ ଗିଗାଓ୍ୱାଟ୍ ବିଜୁଳି କମ୍ ମିଳିଛି । କୋଇଲା ଅଭାବରୁ ରାଜ୍ୟରେ ୩୫ ପ୍ରତିଶତ ବିଜୁଳି ଉତ୍ପାଦନ କମିଛି ବୋଲି ସୂଚନା ଦିଆଯାଇଛି । ଦେଶରେ ୭୦ ପ୍ରତିଶତ ବିଜୁଳି ଉତ୍ପାଦନ କୋଇଲା ଉପରେ ନିର୍ଭର କରିଥାଏ । ହେଲେ ଏହାର ଅଭାବ ଯୋଗୁଁ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ତେବେ ରାଜ୍ୟଗୁଡ଼ିକୁ କୋଇଲା ଗଛିତ ରଖିବାକୁ କହିଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

କୋଇଲା ଅଭାବ ଯୋଗୁଁ ଆଗକୁ ଆହୁରି ଅଧିକ ବିଜୁଳି ସଂକଟ ଦେଖାଦେବ । ଏହା ଫଳରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ବାଧାପ୍ରାପ୍ତ ହେବା ସହ ସାମାଜିକ ଭିତ୍ତିଭୂମି ମଧ୍ୟ ଭୁଶୁଡ଼ିବା ଆଶଙ୍କା ରହିଛି । ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ମଧ୍ୟ କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା କରାଯାଉଛି । ସେପଟେ ଦିଲ୍ଲୀରେ ମଧ୍ୟ ବିଜୁଳି ସଂକଟ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ।

ଦିଲ୍ଲୀରେ ବିଜୁଳି ସଂକଟ ନେଇ କେନ୍ଦ୍ର ସରକାର ଓ ପରିଚାଳନାଗତ ତ୍ରୁଟିକୁ ଦୋଷ ଦେଇଛନ୍ତି ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ସେ କହିଛନ୍ତି ଯେ, ଦିଲ୍ଲୀରେ ବିଜୁଳି ଉତ୍ପାଦନ ହେଉ ନାହିଁ ଏଣୁ ବିଜୁଳି ଚାହିଦା ଭରଣା ଲାଗି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିଥାଏ । ଏନ୍‌ଟିପିସି ବିଜୁଳି ଉତ୍ପାଦନ କମାଇଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି ।

ତେବେ ଦେଶରେ କୋଇଲା ସଂକଟ ଯୋଗୁଁ ଅନ୍ଧକାର ଘୋଟିବା ଆଶଙ୍କା ଭିତରେ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମୀକ୍ଷା କରିଥିବା ବେଳେ, ଆଜି ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ । ଯଥେଷ୍ଟ ପରିମାଣର କୋଇଲା ମହଜୁଦ୍ ଥିବା ସରକାର କହୁଥିବାବେଳେ, ସାପ୍ତାହିକ ବିଜୁଳି କାଟ ଏବେ ଶକ୍ତି ସଂକଟର ଭୟ ସୃଷ୍ଟି କରିଛି ।

ସରକାରଙ୍କ ତଥ୍ୟ ଅନୁସାରେ, ଦେଶର ୧୩୫ଟି ତାପଜ ବିଦ୍ୟୁତ କେନ୍ଦ୍ର ମଧ୍ୟରୁ ୧୧୫ଟି ବିଦ୍ୟୁତ କେନ୍ଦ୍ର କୋଇଲା ଅଭାବର ସାମନା କରିଛି । ଏଣୁ ବିଜୁଳି ସଂକଟ ଆଶଙ୍କାକୁ ଏଡ଼ାଇବା ଲାଗି ଆବଣ୍ଟିତ ହୋଇନଥିବା ବିଜୁଳି କୋଟାର ଉପଯୋଗ କରିବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର କହିଛନ୍ତି ।