• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିଲ୍ଲୀ ପ୍ରଦୂଷଣକୁ ନେଇ ବଢ଼ିଲା ଚିନ୍ତା । ୪ ଦିନ ଧରି ୪ ଶହ ତଳକୁ ଖସୁନି ଏୟାର କ୍ୱାଲିଟି ଇଣ୍ଡେକ୍ସ । ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ଦିନକୁ ଦିନ ଭୟଙ୍କର ହେଉଛି ବାୟୁ ପ୍ରଦୂଷଣ । ଆଜିର ବାୟୁ ପ୍ରଦୂଷଣ ମାତ୍ରା ଅତ୍ୟନ୍ତ ଖରାପ ସ୍ତରକୁ ଖସିଯାଇଛି । ବିଷାକ୍ତ ଧୂଆଁ ପୁରା ରାଜଧାନୀ ଦିଲ୍ଲୀକୁ ଘୋଡ଼ାଇ ରଖିଛି । ଦିଲ୍ଲୀ-ଏନସିଆର୍ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ତୁରନ୍ତ ପାଳ ଜାଳିବା ବନ୍ଦ କରିବାକୁ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜନୀତି ନ କରି ପାଳ ଜାଳିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପଡ଼ୋଶୀ ରାଜ୍ୟ ପଞ୍ଜାବ ଓ ହରିଆଣାରେ ନଡ଼ା ପୋଡ଼ିବା ଯୋଗୁ ଦିଲ୍ଲୀରେ ଅସ୍ୱଭାବିକ ଭାବେ ପ୍ରଦୂଷଣ ବଢ଼ୁଥିବା କୋର୍ଟ କହିଛନ୍ତି ।

ପ୍ରଦୂଷଣ ରୋକିବାକୁ ହେଲେ ନଡ଼ା ପୋଡ଼ା ଉପରେ ରୋକ ଲଗାଇବାକୁ ପଡ଼ିବ । ପ୍ରତି ବର୍ଷ ଶୀତ ଆସିଲେ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ତେଣୁ ଫସଲର ଅବଶିଷ୍ଟାଂଶ ପୋଡ଼ିକୁ ରୋକିବାକୁ ପଞ୍ଜାବ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିବର୍ଷ ଏପରି ଅବସ୍ଥାକୁ ଭୋଗିବାକୁ ଦିଲ୍ଲୀ ବାଧ୍ୟ ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଗାଡ଼ିରୁ ବାହାରୁଥିବା ଧୂଆଁ ମଧ୍ୟ ଦିଲ୍ଲୀ ପ୍ରଦୂଷଣର ଆଉ ଏକ ପ୍ରମୁଖ କାରଣ । ଗତ କିଛି ଦିନ ହେଲା ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଅତି ସାଂଘତିକ ସ୍ତରକୁ ଖସି ଆସିଛି ।

ରାଜଧାନୀର ଅଧିକାଂଶ ଅଞ୍ଚଳରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪ ଶହ ଉପରେ ରହୁଛି । ମୁକାବିଲା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଛି । ଆସନ୍ତା ୧୩ରୁ ଅଡ ଇଭେନ ଫର୍ମୁଲା ଲଗାଇବେ ଦିଲ୍ଲୀ ସରକାର । ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଛାଡ଼ି ସବୁ କ୍ଲାସ ବନ୍ଦ କରିଦିଆଯାଇଛି । ସହରରେ ସମସ୍ତ ପ୍ରକାର ନିର୍ମାଣ ଓ ଭଙ୍ଗାଭଙ୍ଗି କାମ ବନ୍ଦ ରଖାଯାଇଛି । ଦିଲ୍ଲୀର ପ୍ରାୟ ସ୍ଥାନରେ ୫ଶହ ପାଖାପାଖି ରହିଛି ଏୟାର କ୍ବାଲିଟି ଇଣ୍ଡେକ୍ସ । ନୋଇଡ଼ା, ଗୁରଗ୍ରାମ, ଫରିଦାବାଦ, ଗାଜିଆବାଦ ଆଦି ଅଞ୍ଚଳ ବେଶୀ ପ୍ରଭାବିତ ହୋଇଛି । କେବଳ ଦିଲ୍ଲୀ ନୁହେଁ ମୁମ୍ବାଇରେ ବି ସ୍ଥିତି ବିଗିଡ଼ିବାରେ ଲାଗିଛି । ମୁମ୍ବାଇରେ ପ୍ରଦୂଷଣ ମାନ ୧୬୫ କୁ ବଢ଼ିଯାଇଛି ।

ସ୍ଥିତି ଏଭଳି ଯେ ଧୂଆଁଳିଆ ପାଗ ଯୋଗୁ ଭିଜିବିଲିଟି ମଧ୍ୟ କମିଯାଇଛି । ଲୋକେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ସେପଟେ ପ୍ରଦୂଷଣ ଯୋଗୁ ଦିଲ୍ଲୀରେ ସ୍କୁଲ ବନ୍ଦ ରହିଛି । ଆସନ୍ତା ୧୦ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । ଷଷ୍ଠରୁ ଦ୍ବାଦଶ ପର୍ଯ୍ୟନ୍ତ ଶ୍ରେଣୀକୁ ଅନଲାଇନରେ ପଢ଼ାଇବାକୁ ନିର୍ଦ୍ଦେଶ ରହିଛି । ଆଜି ପ୍ରଦୂଷଣ ମୁକାବିଲା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏଥିରେ ପରବର୍ତ୍ତି ପଦକ୍ଷେପ ନେଇ ଯୋଜନା ପ୍ରସ୍ତୁତ ହେବ ।

ସହରରେ ବିଏସ ଫୋର ଗାଡ଼ି ଉପରେ କଟକଣା ଜାରି କରାଯାଇଛି । ରାଜଧାନୀରେ ଆର.କେ ପୁରମ, ITO, ପାତପରଗଂଜ, ନ୍ୟୁ ମୋତିବାଗ ଅଞ୍ଚଳରେ ପ୍ରଦୂଷଣ ଅଧିକ ରହିଛି । ସହରରେ ଟ୍ରକ ଚଳାଚଳ ବନ୍ଦ ଥିବା ବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଗାଡ଼ିକୁ ପ୍ରବେଶ ଅନୁମତି ମିଳୁଛି । ସେହିପରି ସମସ୍ତ ନିର୍ମାଣ ଓ ଭଙ୍ଗାଭଙ୍ଗି କାର୍ଯ୍ୟ ଉପରେ କଟକଣା ଲାଗିଛି ।