• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଂଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ତ୍ରୁଟି ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ୪ ଜଣିଆ କମିଟି ଗଠନ କରିଛନ୍ତି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରା ଏହି କମିଟିର ଅଧ୍ୟକ୍ଷ ରହିବେ । ଏନଆଇଏ ଡିଜି, ଚଣ୍ଡିଗଡର ଡିଜି ଓ ପଂଜାବର ଏଡିଜିପି ସିକ୍ୟୁରିଟି ଏହି କମିଟିର ସଦସ୍ୟ ରହିଛନ୍ତି ।

ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ୫ ତାରିଖ ଗସ୍ତର ସମସ୍ତ ରେକର୍ଡକୁ ସୁରକ୍ଷିତ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ପଂଜାବ ଗସ୍ତ ବେଳେ ଫିରୋଜପୁର ନିକଟ ଓଭରବ୍ରିଜ୍ ଉପରେ ତାଙ୍କ କାରକୁ ୧୫ରୁ ୨୦ ମିନିଟ ଅଟକିବାକୁ ପଡିଥିଲା । ଚାଷୀଙ୍କ ଆନ୍ଦୋଳନକୁ ନେଇ ରାସ୍ତା ଜାମ୍ ଥିବାରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଆଗକୁ ବଢିପାରିନଥିଲା । ଫଳରେ ପ୍ରଧାନମନ୍ତ୍ରୀ ତାଙ୍କ ଫିରୋଜପୁର କାର୍ଯ୍ୟକ୍ରମକୁ ବାତିଲ କରି ନୂଆଦିଲ୍ଲୀ ଫେରି ଯାଇଥିଲେ । ଏହି ଘଟଣାକୁ ନେଇ ସାରା ଦେଶରେ କଡା ପ୍ରତିକ୍ରିୟା ଦେଖା ଦେଇଥିଲା  ।

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟି ପାଇଁ ପଞ୍ଜାବ ଡିଜିପିଙ୍କୁ ସିଧାସଳଖ ଦାୟୀ କରିଛନ୍ତି କେନ୍ଦ୍ର ସରକାର । ତା ସହିତ ଗୁଇନ୍ଦା ବିଭାଗକୁ ମଧ୍ୟ ଏନେଇ ଦାୟୀ କରାଯାଇଛି । ସୁପ୍ରିମକୋର୍ଟରେ ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ, ରାସ୍ତାରେ ଚାଷୀଙ୍କ ଆନ୍ଦୋଳନ ନେଇ ଏସ୍‌ପିଜିକୁ ପଞ୍ଜାବ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା । ଏଥିପାଇଁ ଡିଜିପିଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା । କିନ୍ତୁ ଏନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ । 

ପଞ୍ଜାବ ସରକାର ପକ୍ଷରୁ କୁହାଯାଇଛି ଯେ, ଏହି ମାମଲା ନେଇ ରାଜ୍ୟର ପୋଲିସ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ତଦନ୍ତ ପାଇଁ ଏକ ନିରପେକ୍ଷ କମିଟି ଗଠନ କରିବାକୁ ମଧ୍ୟ ପଞ୍ଜାବ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା । ସେପଟେ ସୁପ୍ରିମକୋର୍ଟ କହିଛନ୍ତି ଯେ, ମୋଦିଙ୍କ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟି ହୋଇଥିବା ପଞ୍ଜାବ ସରକାର ମଧ୍ୟ ସ୍ୱୀକାର କରିଛନ୍ତି ।