• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଦଳବଦଳ ଆଇନ ଅନୁସାରେ କାହିଁକି ରଦ୍ଦ କରାନଯିବ ସଦସ୍ୟତା? ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଜୁଲାଇ ୧୧ ସୁଦ୍ଧା ଉତ୍ତର ରଖିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ମହାରାଷ୍ଟ୍ର ସରକାର ପକ୍ଷରୁ ଏନେଇ ଆଜି ଅପରାହ୍ଣ ସାଢ଼େ ୫ଟାକୁ ଡେଡଲାଇନ ଦିଆଯାଇଥିବା ବେଳେ, ତାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ବିଧାୟକଗଣ। ଆବେଦନରେ ଦର୍ଶାଇଥିଲେ ଯେ, ୩୮ ଶିବସେନା ବିଧାୟକ ନିଜ ସମର୍ଥନ ପ୍ରତ୍ୟାହାର କରିଥିବାରୁ, ସଂଖ୍ୟା ଗରିଷ୍ଠତା ହରାଇବା ସତ୍ତ୍ୱେ ମହାବିକାଶ ଅଘାଡ଼ି ସରକାର କ୍ଷମତାରେ ରହିବା ପାଇଁ ଉପବାଚସ୍ପତିଙ୍କ କାର୍ଯ୍ୟାଳୟର ଦୁରୁପଯୋଗ କରୁଛି।

ତେବେ ବିଦ୍ରୋହୀ ବିଧାୟକମାନେ ପ୍ରଥମେ ବମ୍ବେ ହାଇକୋର୍ଟକୁ ନଯାଇ ସୁପ୍ରିମକୋର୍ଟକୁ କାହିଁକି ଆସିଲେ ବୋଲି ଅଦାଲତ ପଚାରିବାରୁ, ସମ୍ପୃକ୍ତ ୩୯ ବିଧାୟକ ଓ ସେମାନଙ୍କ ପରିବାରକୁ ମୁମ୍ବାଇରେ ବିପଦ ଥିବା କୁହାଯାଇଛି।  ଏହାପରେ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ମହାରାଷ୍ଟ୍ର ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି ଟପ୍-କୋର୍ଟ। ଏଥିସହ କୋର୍ଟ ଏହି ପ୍ରସଙ୍ଗରେ ଉପବାଚସ୍ପତିଙ୍କ ସମେତ ସମସ୍ତ ପକ୍ଷକୁ ୫ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେଣେ ଗୌହାଟିରେ ଡେରା ପକାଇଥିବା ଏକନାଥ ସିନ୍ଦେ କ୍ୟାମ୍ପରେ ପୁଣି ଜଣେ ଶିବସେନା ବିଧାୟକ ଯୋଗ ଦେବା ପରେ, ମୋଟ ବିଦ୍ରୋହୀ ଏମ୍ଏଲ୍ଏଙ୍କ ସଂଖ୍ୟା ୩୯କୁ ବଢ଼ିଛି। ସଂଖ୍ୟା ଗଣିତ କହୁଛି, ଶିବସେନା ପାଖରେ ଆଉ ମାତ୍ର ୧୬ ବିଧାୟକ ଥିବା ବେଳେ, ଏନସିପିର ୫୩, କଂଗ୍ରେସର ୪୪ ଓ ଅନ୍ୟାନ୍ୟ ୧୩ଜଣଙ୍କୁ ମିଶାଇ ମହାଅଘାଡ଼ି ସରକାର ପାଖରେ ୧୨୬ ବିଧାୟକ ଅଛନ୍ତି। ହେଲେ ସଂଖ୍ୟା ଗରିଷ୍ଠତା ମ୍ୟାଜିକ୍ ନମ୍ବର ୧୪୫ ହୋଇଥିବାରୁ, ଏହା ଅଳ୍ପସଂଖ୍ୟକ ହୋଇପଡ଼ିଛି।

ଅନ୍ୟପକ୍ଷରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ସଂଖ୍ୟା ୩୯, ମେଣ୍ଟରୁ ବାହାରିଥିବା ସ୍ବାଧୀନ ବିଧାୟକଙ୍କ ସଂଖ୍ୟା ୯, ବିଜେପିର ୧୦୬ ଓ ବିଜେପି ସମର୍ଥକ ବିଧାୟକ ସଂଖ୍ୟା ୭କୁ ମିଶାଇ ମୋଟ ୧୬୧ ହେଉଛି। ଯାହାକି ମ୍ୟାଜିକ୍ ନମ୍ବର ୧୪୫ ଠାରୁ ଯଥେଷ୍ଟ ଅଧିକ।

ଏଭଳି ରାଜନୈତିକ ସଂକଟ ସ୍ଥିତିରେ, ଶିବସେନା ମୁଖପାତ୍ର ତଥା ସିଏମ୍ ଉଦ୍ଧବଙ୍କ ଟ୍ରବଲସୁଟର୍ ସଞ୍ଜୟ ରାଉତଙ୍କୁ ସମନ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ- ED। ୧ ହଜାର ୩୪ କୋଟି ଟଙ୍କାର ପାତ୍ରା ଚଲ୍ ଜମି ଦୁର୍ନୀତି ମାମଲାରେ ଜେରା ପାଇଁ ଆସନ୍ତାକାଲି ହାଜର ହେବାକୁ ସମନ୍ ହୋଇଛି। ପୂର୍ବରୁ ଏହି ମାମଲାରେ ଇଡି ସଞ୍ଜୟଙ୍କ ସହଯୋଗୀ ପ୍ରବୀଣ ରାଉତଙ୍କ ୯ କୋଟିର ସଂପତ୍ତି ଓ ସଞ୍ଜୟଙ୍କ ପତ୍ନୀ ବର୍ଷାଙ୍କ ୨ କୋଟି ଟଙ୍କାର ସଂପତ୍ତିକୁ ଆଟାଚ୍ କରିଥିଲା।

ତେଣେ ପ୍ରତିକ୍ରିୟାରେ ସଞ୍ଜୟ ଇଡିରେ ହାଜର ହେବା ପାଇଁ ଅଧିକ ସମୟ ମାଗିବେ ବୋଲି କହିବା ସହିତ, ଏହା ମୋ ବିରୋଧରେ ଷଡ଼ଯନ୍ତ୍ର। ମୋର ମୁଣ୍ଡକାଟ କଲେ ମଧ୍ୟ ମୁଁ ଗୌହାଟି ରୁଟ୍‌ରେ ଯିବି ନାହିଁ। ମୋତେ ଗିରଫ କର ବୋଲି ଟୁଇଟ୍ କରିଛନ୍ତି।

ସେପଟେ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ୯ ମନ୍ତ୍ରୀଙ୍କ ହାତରୁ ବିଭାଗ କାଢ଼ିନେଇ ଅନ୍ୟମାନଙ୍କୁ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ। ପ୍ରଶାସନରେ ସୁବିଧା ଦୃଷ୍ଟିରୁ ଏଭଳି କରାଯାଇଥିବା କୁହାଯାଇଛି। ଏଭିତରେ ଏକନାଥ ସିନ୍ଦେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକରେଙ୍କ ସହ ଦୁଇ ଦୁଇ ଥର କଥା ହୋଇଛନ୍ତି ବୋଲି ଜଣେ ଏମ୍ଏନ୍ଏସ୍ ନେତା ସୂଚନା ଦେଇଥିବା ଚର୍ଚ୍ଚା ହେଉଛି।