• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତିହାର ଜେଲରେ ବିନ୍ଦାସ ଜୀବନ ବିତାଉଛନ୍ତି ଦିଲ୍ଲୀ ମନ୍ତ୍ରୀ ସତେନ୍ଦ୍ର ଜୈନ୍‌ । ହୋଟେଲ୍‌ ପରି ଭଳି କି ଭଳି ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ଘଡ଼ିକୁ ଘଡ଼ି ମୋଡାଘଷା ମଧ୍ୟ ମିଳୁଛି । ଜେଲ ଭିତରେ ମନ୍ତ୍ରୀଙ୍କ ପାଦ ସେବାରେ କୌଣସି ପ୍ରକାର ଊଣା ହେଉନି । ଫଳରେ ତାଙ୍କର ଓଜନ କମିନି ବରଂ ବଢ଼ିଛି । ସତେନ୍ଦ୍ର ଜୈନଙ୍କ ୮ କିଲୋ ଓଜନ୍ ବଢ଼ିଥିବା ଆଜି ତିହାର ଜେଲ୍ ପକ୍ଷରୁ ସୂଚନା ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ଇଏ ଜେଲ୍‌ ନା ମସାଜ୍‌ ସେଣ୍ଟର ! ମନ୍ତ୍ରୀଙ୍କୁ ଚାଲିଛି ଘଷାମୋଡ଼ା,ଭିଡିଓ ଭାଇରାଲ..

ଏହା ସହ ଆଉ ଏକ ଭିଡିଓ ରିଲିଜ୍‌ ହୋଇଛି । ଭିଡିଓରେ ଦେଖିବାକୁ ମିଳୁଛି, ବାହାରୁ ମଗା ଯାଇଥିବା ବିଭିନ୍ନ ପ୍ରକାର ବ୍ୟଞ୍ଜନ ଖାଉଛନ୍ତି ସତେନ୍ଦ୍ର । ଜେଲ୍ ବାହାରୁ ଏକାଧିକ ପ୍ୟାକେଟରେ ବିଭିନ୍ନ ପ୍ରକାରର ଖାଦ୍ୟ ଅଣାଯାଇଛି , ଯାହାକୁ ଅତି ଆନନ୍ଦରେ ବେଡ୍‌ ଉପରେ ଥୋଇ ଖାଉଛନ୍ତି ସତେନ୍ଦ୍ର । ତାସହ ବିଭିନ୍ନ ଫଳ ଓ ଡ୍ରାଏ ଫ୍ରୁଟସ୍ ବି ତାଙ୍କ ପାଖରେ ପହଞ୍ଚା ଯାଇଛି ।

ପୂର୍ବରୁ ମାଲିସ୍ ଭିଡିଓ ଭାଇରାଲ୍ ହେବା ପରେ ହଙ୍ଗାମା ସୃଷ୍ଟି ହୋଇଥିଲା । ମସାଜ୍ କରୁଥିବା ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିବା ପରେ ଟାର୍ଗେଟକୁ ଆସିଯାଇଥିଲେ ମନ୍ତ୍ରୀ । ସତ୍ୟେନ୍ଦ୍ରଙ୍କୁ ମାଲିସ କରୁଥିବା ବ୍ୟକ୍ତି କୌଣସି ଫିଜିଓ ଥେରାପିଷ୍ଟ ନୁହନ୍ତି, ବରଂ ପକ୍ସୋ ଆଇନରେ ଗିରଫ ଜଣେ ଦୁଷ୍କର୍ମକାରୀ । ତା ନାଁ ରିଙ୍କୁ ଏବଂ ସେ ବି ଜଣେ ଜେଲ୍ ଅନ୍ତେବାସୀ । ଏହାସହ ସତ୍ୟେନ୍ଦ୍ର ନିଜ ସେଲ୍‌ରେ ଅନ୍ୟ କିଛି ଅପରାଧୀଙ୍କ ସହ ବାର୍ତ୍ତାଳାପ କରୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଥିଲା ।

ତେବେ ଏନେଇ ସତେନ୍ଦ୍ରଙ୍କ ଓକିଲ ପ୍ରତିକ୍ରିୟା ରଖିଥିଲେ । ଜେଲରେ ସତେନ୍ଦ୍ରଙ୍କ ଓଜନ ୨୮ କିଲୋ କମି ଯାଇଛି ବୋଲି କହିଥିଲେ । କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିବା ସହ ଓଜନ ୮ କିଲୋ ବଢ଼ିଥିବା ତିହାର ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି । ଏହି ଘଟଣାକୁ ନେଇ ବିଜେପି ଆପ୍‌କୁ ଘେରିଛି । ଜେଲରେ ସତେନ୍ଦ୍ର ବେଶ୍ ଆରାମରେ ରହିଛନ୍ତି, କେଜରିୱାଲ୍ ସବୁ ବ୍ୟବସ୍ଥା କରିଛନ୍ତି । ତେଣୁ ଆପର କଥା ଓ କାର୍ଯ୍ୟ ଦୁଇଟି ଭିନ୍ନ ବୋଲି ଅଭିଯୋଗ କରିଛି ବିଜେପି, ଘଟଣାକୁ ନେଇ ଆପର ପ୍ରତିକ୍ରିୟା ମିଳିପାରିନି । ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଖାଇବା ଭିଡିଓ ଏକ ପୁରୁଣା ଭିଡିଓ ଏବଂ ଏହା ଉପରେ ଆକ୍ସନ ହୋଇସାରିଛି ବୋଲି ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି।