• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସମଲିଙ୍ଗୀ ବିବାହ ଆଇନ ସମ୍ମତ ହେବା ଉଚିତ କି ନୁହେଁ ? ଏ ସମ୍ପର୍କିତ ମାମଲାର ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଦ୍ବାରା ଆସନ୍ତାକାଲି ଶୁଣାଣି ହେବାକୁ ଥିବା ବେଳେ, ଏଭଳି ବିବାହକୁ ଆଇନତଃ ମାନ୍ୟତା ଦିଆଯାଇପାରିବ ନାହିଁ ବୋଲି ରୋକଠୋକ୍ ଯୁକ୍ତି ବାଢ଼ିଛନ୍ତି କେନ୍ଦ୍ର ସରକାର । ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାର ବିରୋଧ କରିବା ସହିତ କହିଛନ୍ତି ଯେ, ଏହାକୁ ଆଇନତଃ ମାନତ୍ୟ ମିଳିବ କି ନାହିଁ ସେ ସମ୍ପର୍କରେ କୋର୍ଟ ନୁହେଁ ସଂସଦରେ ଫଇସଲା ହେବା ଜରୁରୀ।

ସମଲିଙ୍ଗୀ ବିବାହକୁ ପୁଣି କେନ୍ଦ୍ରର ବିରୋଧ । ସୁପ୍ରିମକୋର୍ଟରେ ନିଜ ମତରେ ଅଟଳ ସରକାର । ବହୁ ବିବାଦୀୟ ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ପୁଣି ଥରେ ନିଜ ଆଭିମୁଖ୍ୟରେ ଅଟଳ ରହିବା ସହିତ, ସୁପ୍ରିମକୋର୍ଟରେ ଏ ସମ୍ପର୍କିତ ମାମଲାର ଶୁଣାଣି ବେଳେ ଦୃଢ଼ ବିରୋଧ କରିଛନ୍ତି କେନ୍ଦ୍ର ସରକାର । ବିବାହ କହିଲେ ମୂଳତଃ ଦୁଇ ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ମିଳନକୁ ବୁଝାଉଥିବା ଦର୍ଶାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମଲିଙ୍ଗୀ ବିବାହକୁ ନ୍ୟାୟିକ ମାନ୍ୟତା ନ ଦେବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଯୁକ୍ତି ରଖିଛନ୍ତି ।

ଅଧିକ ପଢ଼ନ୍ତୁ: ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ଏକାକୀ ରହୁଥିବା କର୍ମଜୀବୀ ମହିଳା: ବମ୍ବେ ହାଇକୋର୍ଟ

ସମଲିଙ୍ଗୀ ବିବାହକୁ ବର୍ତ୍ତମାନ ପ୍ରଚଳିତ ଥିବା ବିବାହ ପରି ମାନ୍ୟତା ଦେବାକୁ ନେଇ କେନ୍ଦ୍ର ସରକାର ପ୍ରଶ୍ନ ଉଠାଇଛନ୍ତି । ଏହାଦ୍ବାରା ସମସ୍ତ ନାଗରିକଙ୍କ ସ୍ବାର୍ଥ ପ୍ରଭାବିତ ହେବ । ଯଦି କୋର୍ଟଙ୍କ ପକ୍ଷରୁ ସମଲିଙ୍ଗୀ ବିବାହକୁ ଆଇନତଃ ଅନୁମତି ମିଳେ ତେବେ ଆଇନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ପଡ଼ିପାରେ ବୋଲି ଯୁକ୍ତି ରଖିଛି କେନ୍ଦ୍ର । ତେଣୁ ସମଲିଙ୍ଗୀ ବିବାହକୁ ନେଇ ଏଭଳି ସାର୍ବଜନୀନ ନିଷ୍ପତ୍ତି ନେବାରୁ କୋର୍ଟଙ୍କୁ କ୍ଷାନ୍ତ ହେବାକୁ କେନ୍ଦ୍ର ସରକାର କହିଛନ୍ତି । ବିବାହାକୁ ନେଇ ଆମର କିଛି ମାନ୍ୟତା ରହିଛି, ଯାହାକୁ ସାରା ବିଶ୍ବରେ ଗ୍ରହଣ କରାଯାଇଛି । ଏପରିକି ସବୁ ଧର୍ମରେ ଏହାକୁ ମାନ୍ୟତା ମିଳିଛି । ହିନ୍ଦୁ ଧର୍ମରେ ଏହାକୁ ପବିତ୍ର ବୋଲି ବିବେଚନା କରାଯାଉଛି । ଇସଲାମ ଧର୍ମରେ କେବଳ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବିବାହକୁ ମାନ୍ୟତା ମିଳିଛି ବୋଲି କେନ୍ଦ୍ର ସରକାର କୋର୍ଟରେ ଯୁକ୍ତି ରଖିଛନ୍ତି।

ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ସହରୀ ଆଭିଜାତ୍ୟ ବର୍ଗ ଦ୍ୱାରା ସାମାଜିକ ମାନ୍ୟତା ପାଇଁ ଏଭଳି କରାଯାଉଥିବା ଦର୍ଶାଯାଇଛି । ଏଥିସହ ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟ ନୁହେଁ ସଂସଦରେ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି । ସମଲିଙ୍ଗୀ ବିବାହକୁ ଆଇନତଃ ମାନତ୍ୟ ମିଳିବ କି ନାହିଁ ସେ ସମ୍ପର୍କରେ କୋର୍ଟ ନୁହେଁ ସଂସଦରେ ଫଇସଲା ହେବା ଜରୁରୀ ବୋଲି କେନ୍ଦ୍ର ଯୁକ୍ତି ରଖିଛି । ଏଥିପାଇଁ ଦେଶର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନଙ୍କ ମତାମତକୁ ବିଚାର କରିବାକୁ ପଡିବ । 

ଆସନ୍ତାକାଲି ସୁପ୍ରିମକୋର୍ଟର ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଦ୍ବାରା ସମିଲିଙ୍ଗୀ ବିବାହକୁ ଆଇନତଃ ମାନ୍ୟତା ନେଇ ଶୁଣାଣି ହେବ । ସେପଟେ ସମଲିଙ୍ଗୀ ବିବାହକୁ ଆଇନତଃ ମାନ୍ୟତା ମିଳିଲେ ଆଗାମୀ ଦିନରେ କ’ଣ ସମସ୍ୟା ଉପୁଜିବ ସେ ନେଇ ମଧ୍ୟ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି । ସମ୍ବିଧାନର ସପ୍ତମ ଅନୁଚ୍ଛେଦରେ ଏ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରାଯାଇଛି ।

ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କର ରହିଛି କି ପ୍ରେମ ଓ ବିବାହର ସ୍ବାଧୀନତା? କେବଳ ଲିଙ୍ଗଗତ ଆଧାରରେ ଛଡ଼ାଇ ନେଇ ହେବ କି ଏହି ଅଧିକାର? ନିଜ ସାଥି ବାଛିବାର ଅଧିକାର କେଉଁ ଆଧାରରେ ମିଳିବା ଉଚିତ? ସମଲିଙ୍ଗୀ ବିବାହକୁ ଆଇନତଃ ମାନ୍ୟତା ଦିଆଯାଉ ବୋଲି ଦାବି କରି ସୁପ୍ରିମକୋର୍ଟରେ ଦାୟର ହୋଇଛି ୧୫ଟି ଆବେଦନ । ୨୦୧୮ରେ ସୁପ୍ରିମକୋର୍ଟଙ୍କ ରାୟ କ୍ରମେ ସମଲିଙ୍ଗୀ ସମ୍ପର୍କକୁ ଆଇନତଃ ମାନ୍ୟତା ମିଳିଥିଲେ ବି, ଏହା କେବଳ ଲିଭ୍ ଇନ୍ ରିଲେସନ୍ ଭଳି ଅଧିକାର ଗୁଡ଼ିକ ମଧ୍ୟରେ ସୀମିତ ରହିଛି । 

ତେବେ ସମଲିଙ୍ଗୀ ବିବାହକୁ ଏଯାଏଁ ଭାରତରେ ଆଇନସମ୍ମତ ବୋଲି ଘୋଷଣା କରାଯାଇନାହିଁ । କେବଳ ଲିଙ୍ଗଗତ ପସନ୍ଦ ଓ ପରିଚୟକୁ ଆଧାର କରି କୌଣସି ନାଗରିକ ଠାରୁ ପ୍ରେମ, ବିବାହ ଓ ପରିବାର ବାଛିବାର ଅଧିକାର ଛଡ଼ାଇ ନିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟରେ ଆବେଦନ ହୋଇଛି । ରାଇଟ୍ ଟୁ ଲାଇଫ୍ ବା ନିଜ ଇଚ୍ଛା ଅନୁସାରେ ଜୀବନ ବଞ୍ଚିବାର ଅଧିକାର ସ୍ବତଃ ପରିବାର, ବିବାହ ଓ ଲିଙ୍ଗଗତ ପସନ୍ଦ ନାପସନ୍ଦକୁ ମାନ୍ୟତା ଦେଇଥାଏ ବୋଲି ଆବେଦନରେ ଦର୍ଶାଯାଇଛି । ୧୯୫୪ର ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟରେ ଇଣ୍ଟର-କାଷ୍ଟ୍ ଓ ଇଣ୍ଟର-ବିଲିଫ୍ ମ୍ୟାରେଜ୍ ଭଳି ସମଲିଙ୍ଗୀ ବିବାହକୁ ମଧ୍ୟ ମାନ୍ୟତା ଦିଆଯାଉ ଏବଂ ଏହି ଆଇନକୁ ଜେଣ୍ଡର୍ ନ୍ୟୁଟ୍ରାଲ୍ କରିଦିଆଯାଉ ବୋଲି ଦାବି ହୋଇଛି ।

ଅନ୍ୟପକ୍ଷରେ ଏହି ଆବେଦନକୁ ବିରୋଧ କରି କେନ୍ଦ୍ର ପକ୍ଷରୁ ପୂର୍ବରୁ ମଧ୍ୟ ଏକ ସତ୍ୟପାଠ ଦାଖଲ କରଯାଇଥିଲା । ସେଥିରେ ଦର୍ଶାଯାଇଥିଲା ଯେ, ବିବାହ କହିଲେ ମୂଳତଃ ୨ ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ମିଳନକୁ ବୁଝାଏ । ଏକକ ଭାରତୀୟ ପରିବାର କହିଲେ ସ୍ବାମୀ, ସ୍ତ୍ରୀ ଓ ସନ୍ତାନକୁ ନେଇ ଗଠିତ। ସେଥିରେ ପୁରୁଷକୁ ସ୍ବାମୀ, ମହିଳାକୁ ସ୍ତ୍ରୀ ଏବଂ ସେମାନଙ୍କ ମିଳନରୁ ଜନ୍ମିତ ଶିଶୁକୁ ଆଇନତଃ ଅଧିକାର ମିଳେ । ତେବେ ସମଲିଙ୍ଗୀ ବିବାହରେ ଏହି ଅବଧାରଣା ସାର୍ଥକ ହେଉନାହିଁ । ତେଣୁ ଆଇପିସି ଧାରା ୩୭୭ ଅନୁସାରେ ସମଲିଙ୍ଗୀ ସଂପର୍କକୁ ଆଇନତଃ ମାନ୍ୟତା ମିଳିଥିଲେ ମଧ୍ୟ, ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦିଆଯାଇପାରିବ ନାହିଁ । ଏହା ସାମାଜିକ ନୈତିକତା ଓ ଲୋକାଚାରର ଘୋର ବିରୋଧୀ ବୋଲି ମଧ୍ୟ ସତ୍ୟପାଠରେ ଦର୍ଶାଇଥିଲେ କେନ୍ଦ୍ର ସରକାର।

ସୂଚନା ଯୋଗ୍ୟ ଯେ, ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡ଼ା, ଆର୍ଜେଣ୍ଟିନା, ବ୍ରାଜିଲ, ଜର୍ମାନୀ, ଫ୍ରାନ୍ସ, ସ୍ପେନ୍, ଦକ୍ଷିଣ ଆଫ୍ରିକା, ତାଇୱାନ ଆଦି ୩୨ଟି ଦେଶରେ ସମଲିଙ୍ଗୀ ବିବାହକୁ ଆଇନତଃ ମାନ୍ୟତା ମିଳିଛି ।