• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପରଲୋକରେ ସାହାରା ମାଲିକ ସୁବ୍ରତ ରାୟ, ଆଉ ବେସାହାରା ଜମାକାରୀ । ସାହାରା ଇଣ୍ଡିଆ ପରିବାରର ପ୍ରତିଷ୍ଠାତାଙ୍କ ମୃତ୍ୟ ପରେ ପୁଣି ଚିନ୍ତାରେ ଡିପୋଜିଟର । ସେମାନଙ୍କ ଟଙ୍କା ଫେରିବ ତ ? କେବେ ଫେରିବ ? ସାହାରା ମୁଖ୍ୟଙ୍କ ମୁତ୍ୟୁ ଯୋଗୁଁ ଅଧିକ ବିଳମ୍ବ ହେବ କି ? ଜମାକାରୀଙ୍କ ମନରେ ଏମିତି ଅନେକ ପ୍ରଶ୍ନ ।

କିଛି ଦିନର ଅସୁସ୍ଥତା ପରେ ମୁମ୍ବାଇ ଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ସୁବ୍ରତ ରାୟ । ଆଉ ତା’ ସହିତ ପୁଣି ଆଶଙ୍କା ଭିତରେକୁ ଠେଲି ହୋଇଯାଇଛନ୍ତି କୋଟି କୋଟି ଜମାକାରୀ । ସେମାନେ କେମିତି ନିଜ ଟଙ୍କା ଫେରି ପାଇବେ ସେ ନେଇ ସାହାରା ପକ୍ଷରୁ କୌଣସି ସାନ୍ତନ୍ୱାମୂଳକ ସୂଚନା ଆସି ନଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଢିଛନ୍ତି ଜମାକାରୀ ।

ଦୀର୍ଘ ଦିନ ସାହାରା ନିକଟରୁ ଜବତ ହୋଇଥିବା ପ୍ରାୟ ୨୪ ହଜାର କୋଟି ଟଙ୍କାକୁ ନିଜ ପାଖରେ ରଖିଥିଲା ସେବି । ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ, ସେବି ସାହାରାକୁ ଫେରାଇଥିଲା ପ୍ରାୟ ୫ ହଜାର କୋଟି । ଏହାପରେ ଜମାକାରୀଙ୍କୁ ଟଙ୍କା ଫେରାଇବା ପ୍ରକ୍ରିୟା ଆରମ୍ଭ କରିଥିଲା ସାହାରା । ଏଥିପାଇଁ ଗତ ଜୁଲାଇ ୧୮ରେ ସାହାରା ରିଫଣ୍ଡ ପୋର୍ଟାଲକୁ ଆରମ୍ଭ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଯାଏଁ ଜମା ରଖିଥିବା ପ୍ରାୟ ୧ କୋଟି ୭ ଲକ୍ଷ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ପଞ୍ଜୀକରଣ ଆରମ୍ଭ କରିଥିଲା ସାହାରା । ରେଜିଷ୍ଟ୍ରେସନ ଆଉ ରିସିଟ୍ ଯାଂଚ ପରେ ସିଧାସଳଖ ଜମାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରିଥାନ୍ତା ଟଙ୍କା । ପ୍ରଥମ ପର୍ଯ୍ୟାୟ ସଫଳ ହେବା ପରେ ଧୀରେ ଧୀରେ ଅନ୍ୟ ଜମାକାରୀଙ୍କ ମଧ୍ୟ ଟଙ୍କା ଫେରିବ । ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ଜମା ଫେରସ୍ତ ପ୍ରକ୍ରିୟାରେ କୌଣସି ପ୍ରଭାବ ପଡିବନି ଯେହେତୁ ଏହାକୁ ସୁପ୍ରିମକୋର୍ଟ ପରିଚାଳନା କରୁଛନ୍ତି ।

ସାହାରା ରିଫଣ୍ଡ ପୋର୍ଟାଲ ଆରମ୍ଭ ବେଳେ ୪୫ ଦିନରେ ଜମାକାରୀଙ୍କ ଖାତାରେ ଟଙ୍କା ଫେରିବ ବୋଲି କହିଥିଲେ କେନ୍ଦ୍ର ସରକାର । କିନ୍ତୁ ଏବେ ସାହାରା ମୁଖ୍ୟଙ୍କ ମୃତ୍ୟୁ ପରେ ଏ ପ୍ରକ୍ରିୟା ଆହୁରି ବିଳମ୍ବ ହେଉଛି ନା ନାହିଁ ତା ଉପରେ ସମସ୍ତଙ୍କ ନଜର ରହିବ ।