• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୋହାଲି ବିସ୍ଫୋରଣ ଘଟଣାରେ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କୁ ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି । କିଛି ସନ୍ଧିଗ୍ଧଙ୍କୁ ମଧ୍ୟ ଅଟକ ରଖାଯାଇଥିବା ସେ କହିଛନ୍ତି । ଏହି ବିସ୍ଫୋରଣରେ ବ୍ୟବହାର ହୋଇଥିବା ପଦାର୍ଥ TNT ବୋଲି ସେ କହିଛନ୍ତି । ଘଟଣାରେ ଆହୁରି କିଛି ସୁରାକ ମିଳିଛି । ଖୁବ ଶୀଘ୍ର ଅପରାଧୀଙ୍କୁ ଧରିବାରେ ପୋଲିସକୁ ସଫଳତା ମିଳିବ ବୋଲି ଡିଜିପି କହିଛନ୍ତି ।

ମୋହାଲି ସେକ୍ଟର ୭୭ରେ ଥିବା ପଞ୍ଜାବ ପୋଲିସର ଇଣ୍ଟେଲିଜେନ୍ସ ମୁଖ୍ୟ କାର୍ଯ୍ୟାଳୟ ଉପରେ ଗତକାଲି ରାତିରେ ବିସ୍ଫୋରଣ ଘଟିଥିଲା । ଗ୍ରେନେଡ୍ ଆକ୍ରମଣ ଫଳରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ୨ ଜଣ ସଂଦିଗ୍ଧ କାରରେ ଆସି ଇଣ୍ଟେଲିଜେନ୍ସ ଅଫିସରୁ କିଛି ଦୂରରୁ ଅଫିସ ଉପରକୁ ରକେଟ୍ ଚାଳିତ ଗ୍ରେନେଡ୍ ଆକ୍ରମଣ କରିଥିଲେ । ଏହି ରକେଟରୁ ଲଗାତାର ଗ୍ରେନେଡ୍ ବର୍ଷଣ ହୋଇଥିଲା । ଏଥିରେ ଝରକା କାଚ ଭାଙ୍ଗିଥିବା ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇ ଅଳ୍ପ କିଛି କ୍ଷୟକ୍ଷତି ଘଟିଛି ।

ତେବେ ସିସିଟିଭି ଫୁଟେଜକୁ ଦେଖି ଘଟଣାର ତଦନ୍ତ ଆରମ୍ଭ କରିଛି ଇଣ୍ଟେଲିଜେନ୍ସ ବିଭାଗ । ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଡ୍ରୋନ୍ ମାଧ୍ୟମରେ ଏହି ରକେଟ୍ ଚାଳିତ ଗ୍ରେନେଡ୍ ଚାଲାଣ ହୋଇଥିବା ସନ୍ଦେହ କରାଯାଉଛି । ଗତ କିଛି ମାସ ହେଲା ପାକିସ୍ତାନରୁ ପଞ୍ଜାବକୁ ଡ୍ରୋନ୍ ମାଧ୍ୟମରେ  ଅସ୍ତ୍ର ଚାଲାଣ ହେଉଥିବା ଜଣାଡ଼ିଛି ।

ଅନ୍ୟପଟେ ମୋହାଲିରେ ଗ୍ରେନେଡ୍ ବିସ୍ଫୋରଣକୁ ନେଇ ରାଜନୀତି ଜୋର ଧରିଛି । ଏଥିରେ ପଞ୍ଜାବ ପୋଲିସର ଗୁଇନ୍ଦା ବିଭାଗ ବିଫଳ ହୋଇଥିବା ବିଜେପି ଅଭିଯୋଗ କରିଛି । ସେହିଭଳି କଂଗ୍ରେସ ମଧ୍ୟ ଏଥିପାଇଁ ଆମ ଆଦମୀ ପାର୍ଟିକୁ ତଥା ଏହାର ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଦାୟୀ କରିଛି ।