• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୃଢ଼ ଇଚ୍ଛା ଶକ୍ତିଥିଲେ ଏଦୁନିଆରେ ସବୁ କିଛି ସମ୍ଭବ ବୋଲି କୁହାଯାଏ । ଏମିତି ଅନେକ ଉଦାହରଣ ରହିଛି । ଜଣେ ମଣିଷ ଆଜି ପରିଶ୍ରମ କରିଛି ମାନେ ତାର ଫଳ ସେ ନିଶ୍ଚୟ ପାଇବ । ମଣିଷକୁ ସଫଳତା ପାଇବାକୁ ହେଲେ ଧୈର୍ଯ୍ୟ ରଖିବା ନିହାତି ଜରୁରୀ। ତେବେ ଆଜି ସେମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ଆମେ ଆପଣଙ୍କୁ କହିବୁ ଯାହା ଏହି ସମାଜ ପାଇଁ ଏକ ପ୍ରେରଣା ନିଶ୍ଚୟ ।

ଏହି କାହାଣୀ ହେଉଛି ଦିଲ୍‌ଖୁସ୍‌ କୁମାରଙ୍କର । କୁମାରଙ୍କ ଘର ବିହାରର ଏକ ଛୋଟ ଗାଁରେ । ଯିଏ କି ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଦିନେ ରିକ୍ସା ଚଳାଉଥିଲେ ଏବଂ ପରିବା ବିକୁଥିଲେ । କିନ୍ତୁ ଏବେ ସେ ମଲ୍ଟି ବିଲିୟନ୍ କମ୍ପାନୀ ରୋଡବେଜ୍‌ (RodBez)ର ସିଇଓ ଏବଂ ପ୍ରତିଷ୍ଠାତା ।

କିଏ ଜାଣିଥିଲା, ଯିଏ ଦିନେ ରିକ୍ସା ଟାଣି ନିଜ ଘର ଚଳାଉଛି, ସେ ହଜାର କୋଟିର କମ୍ପାନୀ ଛିଡ଼ା କରିବ । ଖାଲି ସେତିକି ନୁହେଁ ଏବେ ସେ ବିହାରର ଷ୍ଟାର୍ଟଅପ୍‌ ଆଇକନ୍‌ ମଧ୍ୟ । ତେଣୁ ଏଠାରେ ଏହା ପ୍ରମାଣିତ ହେଉଛି ଯେ ଭାଗ୍ୟ କେତେବେଳେ ବି ମୋଡ଼ ବଦଳାପାରେ । ଆଉ ଯିଏ ନିଷ୍ଠାର ସହ ପରିଶ୍ରମ କରିବ ଆଉ ଆଗକୁ ବଢ଼ିବାର ଦୃଢ଼ ଇଚ୍ଛା ଶକ୍ତି ରଖିଥିବ ସେ ନିଶ୍ଚୟ ସୁଫଳ ପାଇବ ।

ଦିଲଖୁସ୍ କୁମାର ହେଉଛନ୍ତି ବିହାର ସାହରସାର ବାସିନ୍ଦା । ସେ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି । ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ରିକ୍ସା ଚଳାଇ ଏବଂ ପରିବା ବିକ୍ରି କରୁଥିଲେ । ସେଥିରୁ ଯାହା ରୋଜଗାର କରନ୍ତି ସେଥିରେ ଘର ଚଳେ । ଏହାପରେ ସେ ଚିନ୍ତା କଲେ ଯେ, ନିଜର ଟ୍ରାଭେଲ ଏଜେନ୍ସି ଖୋଲିବେ । ଆଉ ଲୋକଙ୍କୁ ବିହରରେ ଟାକ୍ସି ସେବା ଯୋଗାଇଦେବେ । ଯାହା ଏବେ RodBez ନାଁରେ ସାରା ରାଜ୍ୟରେ ତଥା ଦେଶରେ ପରିଚିତ ।

ତାଙ୍କର ଏହି ଷ୍ଟାର୍ଟଅପ୍‌ ଅନ୍ୟ ଟାକ୍ସି ସଂସ୍ଥା ଓଲା-ଉବେର ଭଳି ନୁହେଁ । ଏହାଏକ ଡାଟାବେସ୍‌ କମ୍ପାନୀ । ଯାହାକି ଲୋକଙ୍କୁ ଟାକ୍ସି ଡ୍ରାଇଭରଙ୍କ ଯୋଡ଼ିଥାଏ ଏବଂ ଟାକ୍ସି ସେବା ଯୋଗାଇଥାଏ । ତାଙ୍କର କମ୍ପାନୀ ବିଶେଷକରି ଲମ୍ବା ଯାତ୍ରା ପାଇଁ ତଥା ଆଉ ଆଉଟ୍‌ ଅଫ୍‌ ଷ୍ଟେସନ୍‌ ଯିବା ବା ଅତିକମ୍‌ରେ ୫୦ କିଲୋମିଟରର ଅଧିକ ଦୂର ଯିବା ପାଇଁ ଟାକ୍ସି ଯୋଗାଇଥାଏ ।

ତାଙ୍କ କମ୍ପାନୀର ୱେବ୍‌ସାଇଟ୍‌ର କହିବାନୁଯାୟୀ, RodBez ହେଉଛି ବିହାରର ସବୁଠାରୁ ବଡ଼ ୱାନ୍‌ ୱେ ଟାକ୍ସି, ଟାକ୍ସି ପୁଲ ଏବଂ କାରପୁଲ ସଂସ୍ଥା । ଏହି ସଂସ୍ଥାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଆପଣଙ୍କୁ ସେ କେବେ ବି କୌଣସି ସ୍ଥାନକୁ ଯିବା ପାଇଁ ଗାଡ଼ିର ଯିବା ଆସିବା ଖର୍ଚ୍ଚ ମାଗିନଥାଏ । ଆପଣ ଏହାର ଆପ୍‌ ଦ୍ୱାରା ଯେଉଁ ଗାଡ଼ି ଆପଣଙ୍କ ରୁଟ୍‌ରେ ଯାଉଥିବ ସେହି ଗାଡ଼ିରେ ଆପଣ କମ୍‌ ବାଟ ଖର୍ଚ୍ଚ ଦେଇ ସେୟାରିଂରେ ଯାଇପାରିବେ । ଘରୁ ପାଦ କାଢ଼ିବା ମାତ୍ରେ ଆପଣ ଏହି ସେବା ପାଇପାରିବେ ।

ଏକ ସେକେଣ୍ଡ ହାଣ୍ଡ ନାନୋ କାରରୁ ତାଙ୍କର Rodbez ସଂସ୍ଥା ଆରମ୍ଭ କରିଥିଲେ । ଏହି ସେବା ଯୋଗାଇ ଦିଲଖୁସ୍ ଏବଂ ତାଙ୍କର ଟିମ୍‌ ମାତ୍ର ୬ରୁ ୭ ମାସ ମଧ୍ୟରେ ୪ କୋଟି ଟଙ୍କାର ବ୍ୟବସାୟିକ କରିଥିଲେ । ପ୍ରଥମେ ପାଟନାରୁ ବିହାରର ପ୍ରତ୍ୟେକ ଗାଁକୁ ସେ ଏହି ଟାକ୍ସି ସେବା ଯୋଗାଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଏହି ସେବା ସେ ସହରରେ ଯୋଗାଇଥିଲେ । ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ବିହାରର ପ୍ରତ୍ୟେକ ସହରରେ ନିଜର ଟାକ୍ସି ସେବା ଯୋଗାଇବେ ।

ଆଗାମୀ ଦିନରେ ତାଙ୍କର ଲକ୍ଷ୍ୟ ରହିଛି ଯେ, ସାରା ଦେଶରେ ସେ ଏହି ଟାକ୍ସି ସେବା ଯୋଗାଇବେ । ସବୁଠାରୁ ବଡ଼ କଥା ହେଲା, ଡ୍ରାଇଭର ମାନଙ୍କ ଦୁଃଖ ବୁଝି ଏହି ସଂସ୍ଥା ପ୍ରତ୍ୟେକ ମାସିକ ୫୫ରୁ ୬୦ ହଜାର ଟଙ୍କା ଲେଖାଏଁ ପାରିଶ୍ରମିକ ଦେଇଥାଏ।

ଦିନେ ଦିଲଖୁସ୍‌ ଚାକିରି ପାଇଁ ଦୁଆର ଦୁଆର ବୁଲୁଥିଲେ। ଏମିତିକି ତାଙ୍କୁ ଗୋଟିଏ ସିକ୍ୟୁରିଟି ଗାର୍ଡ ଚାକିରି ମଧ୍ୟ ମିଳିନଥିଲା। ସେ ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲେ, କିନ୍ତୁ ତାଙ୍କୁ ସେଠି ଅପମାନିତ ହୋଇ ଫେରିବାକୁ ପଡ଼ିଥିଲା। ହେଲେ ଏବେ ସେ ଆଇଆଇଟି ଏବଂ ଆଇଆଇଏମ୍‌ରୁ ପାସ୍‌ କରିଥିବା ଗ୍ରାଜୁଏଟ୍‌ ମାନଙ୍କୁ ପାର୍ଟ ଟାଇମ୍‌ ଚାକିରି ଦେଉଛନ୍ତି । ଆଉ ସେମାନେ ଭଲ ରୋଜଗାର ମଧ୍ୟ ପାଉଛନ୍ତି ।