• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଛୁଞ୍ଚିରୁ ଜାହାଜ, ଲକ୍ଷେ ଟଙ୍କିଆ ନାନୋ କାରଠୁ ଆରମ୍ଭ କରି କୋଟିଏ ଟଙ୍କାର ବିଜନେସ୍ କ୍ଲାସ୍ କାର୍ ଜାଗୁଆର୍...ସବୁ କିଛି ନିର୍ମାଣ କରୁଥିଲା TATA କମ୍ପାନି। ରତନ ଟାଟାଙ୍କ ଦିଗଦର୍ଶନ, ରତନ ଟାଟାଙ୍କ ପରିକଳ୍ପନାରେ ଏସବୁ ସମ୍ଭବପର ହୋଇଥିଲା । ସେ ବୟସରେ ସିନା ବୃଦ୍ଧ ହୋଇଥିଲେ କିନ୍ତୁ ମନରେ କିମ୍ବା ବ୍ୟବହାରରେ ନୁହେଁ । ଏହାର ସବୁଠୁ ବଡ଼ ଉଦାହରଣ ହେଉଛନ୍ତି ଶାନ୍ତନୁ ନାଇଡ଼ୁ । ୨୦୧୪ ମସିହାରେ ପୁଣେ ବିଶ୍ବବିଦ୍ୟାଳୟରୁ ସ୍ନାତ୍ତକୋତ୍ତର ପରେ ତାଙ୍କୁ ନିଜର ସବୁଠୁ କମ୍ ବୟସର ଜେନେରାଲ୍ ସେକ୍ରେଟାରୀ ଭାବେ ନିଯୁକ୍ତ ଦିଅନ୍ତି ରତନ ।

ଶାନ୍ତନୁଙ୍କୁ ସେତେବେଳେ ମାତ୍ର ୨୦ ବର୍ଷ ଓ ରତନଙ୍କୁ ବୟସ ୭୫ ବର୍ଷ । ଏଇଠୁ ପ୍ରମାଣିତ ହୋଇଥିଲା କି ରତନ କେବେ ବି ବୃଦ୍ଧ ହୋଇନଥିଲେ କି କେବେ ବି ଜୀବନରେ ହାର ମାନିନଥିଲେ ।

ଭାରତର ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ମୃତ୍ୟୁ ପରେ ତାଙ୍କ ଘନିଷ୍ଠ ସହଯୋଗୀ ତଥା ରତନ ଟାଟାଙ୍କ କାର୍ଯ୍ୟାଳୟର ଜେନେରାଲ ମ୍ୟାନେଜର ଶାନ୍ତନୁ ନାଇଡୁ ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ପୋଷ୍ଟ କରି ସମବେଦନା ଜଣାଇଛନ୍ତି । ଶାନ୍ତନୁ ନାଇଡୁ ତାଙ୍କ ଲିଙ୍କଡିନ୍ ଆକାଉଣ୍ଟ ମାଧ୍ୟମରେ ଏକ ହୃଦୟସ୍ପର୍ଶୀ ପୋଷ୍ଟ କରିଛନ୍ତି । ସେ ରତନ ଟାଟାଙ୍କର ଅନେକ ବୃତ୍ତିଗତ ସଫଳତା ନୁହେଁ ବରଂ ସେମାନଙ୍କର ଘନିଷ୍ଠ ବନ୍ଧୁତା ଉପରେ ଆଲୋକପାତ କରିଛନ୍ତି ।

ସେ ଲେଖିଛନ୍ତି ଯେ, ‘ମୋ ବନ୍ଧୁ ମୋତେ ଯେଉଁ ଶୂନ୍ୟତା ଭିତରେ ଛାଡ଼ି ଚାଲିଯାଇଛନ୍ତି, ସେ ସ୍ଥାନ ଭରଣ କରିବାକୁ ସାରା ଜୀବନ କାଟିଦେବି । ଅଲବିଦା ମୋର ପ୍ରିୟ ଲାଇଟ୍ ହାଉସ୍’।

ସୂଚନା ଅନୁସାରେ ଗତକାଲି କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟାଙ୍କ ପରଲୋକ ହୋଇଥିଲା । ୮୬ ବର୍ଷ ବୟସରେ ଆଖି ବୁଜିଥିଲେ ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୁଇ ଦିନ ତଳେ ତାଙ୍କ ଅସୁସ୍ଥତାକୁ ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ, ସୋସିଆଲ ମିଡିଆରେ ଏହାକୁ ଖଣ୍ଡନ କରିଥିଲେ ନିଜେ ରତନ ଟାଟା ।

ତେବେ ଗତକାଲି ସେ ଆଇସିୟୁରେ ଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ନିଜର ଅମାୟିକ ବ୍ୟକ୍ତିତ୍ବ, ସରଳ ଜୀବନଶୈଳୀ, ମେଳାପି ସ୍ବଭାବ ଏବଂ ବଦାନ୍ୟତା ପାଇଁ ପରିଚିତ ଥିଲେ ରତନ ଟାଟା । ୧୯୬୧ରେ ସେ ପ୍ରଥମେ ଟାଟାଷ୍ଟିଲରେ ଯୋଗ ଦେଇଥିଲେ ଏବଂ ୧୯୯୧ରେ ଜେଆରଡି ଟାଟା ଅବସର ନେବା ପରେ ସେ ଟାଟା ସନ୍ସ ଚେୟାରମ୍ୟାନ୍ ବନିଥିଲେ । ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର ।

OTV is now on Whatsapp

Join and get latest news update delivered to you via whatsapp

Join Now