Ramakrusha Dasmohapatra
ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର । ଏକ ପ୍ରେସ୍ମିଟ୍ କରି ସେ କହିଛନ୍ତି, ମମତା ବାନାର୍ଜୀ ମୋର ଜଣେ ଶିଷ୍ୟ । ମନ୍ଦିର ପ୍ରତିଷ୍ଠା ପାଇଁ ମୋତେ ମମତା ବାନାର୍ଜୀ ଡାକିଥିଲେ । ମୁଁ ଯାଇଥିଲି । ତିଥି ଅନୁସାରେ ପୂଜାର୍ଚ୍ଚନା ପାଇଁ ତାଙ୍କୁ କହିଥିଲି ବୋଲି କହିଛନ୍ତି ରାମକୃଷ୍ଣ । ଗତ ୨୯ ତାରିଖରେ ରାମକୃଷ୍ଣ ଦୀଘାରେ ଏକ ଗଣମାଧ୍ୟମ ଚାନେଲକୁ କହିଥିଲେ, ସ୍ବୟଂ ପ୍ରଭୁ ଜଗନ୍ନାଥଙ୍କୁ ମୁଁ ତିଆରି କରି ଆଣିଛି । ୧୨ ରୁ ୧୯ ବର୍ଷ ଅନ୍ତରରେ ମହାପ୍ରଭୁଙ୍କର ନବକଳେବର ହୁଏ । ଯେଉଁ ଦାରୁବ୍ରହ୍ମ ପାଇଁ ଆମକୁ ସ୍ବପ୍ନ ହୁଏ, ଯେଉଁ ଦାରୁବ୍ରହ୍ମ କାଠ ଆମେ ଆଣୁ, ପ୍ରଭୁ ତିଆରି ହେବା ପରେ ମନ୍ଦିର ଭିତରେ କିଛି କାଠ ଆମ ପାଖରେ ଥାଏ ।
ସେ କହିଥିଲେ, ମୋତେ ଯେତେବେଳେ ମମତା ବାନାର୍ଜୀ କହିଲେ ଏଠାରେ ଗୋଟିଏ ମନ୍ଦିର ହେବ ଓ ପ୍ରଭୁ ସ୍ଥାପିତ ହେବେ । ଶୁଣିଥିଲି ଯେ, ସେଠାରେ ପଥର ମୂର୍ତ୍ତି ସ୍ଥାପନ ହେବେ ବୋଲି । ମୁଁ ସେତେବେଳେ କହିଲି ନା ପଥର ମୂର୍ତ୍ତି ସ୍ଥାପିତ ହେବେନି । ଯଦି ସ୍ଥାପନ ହେବେ, ଦାରୁବ୍ରହ୍ମ ମୂର୍ତ୍ତି ସ୍ଥାପିତ ହେବେ । ତାଙ୍କର ପ୍ରାଣ ପ୍ରତିଷ୍ଠା ଓ ପୂଜା ହେବ । ସେତେବେଳେ ସେ କହିଲେ ଯେ, ଆପଣ ଏହା ତିଆରି କରି ଆଣିବେ। ତାଙ୍କ କଥା ଅନୁଯାୟୀ, ମୁଁ ଠାକୁରଙ୍କୁ ତିଆରି କରି ନେଇ ଆସିଛି ।
ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର ଆଜି ପୁରୀରେ ପ୍ରେସମିଟରେ କହିଛନ୍ତି, ନିମ୍ବ କାଠରେ ତିଆରି ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ମୁଁ ନିଜେ ପୁରୀରୁ ନିମ୍ବ କାଠ ନେଇ ଯାଇଥିଲି । ପଥର ମୂର୍ତ୍ତି ପୂଜା ହୋଇ ପାରିବେନି ବୋଲି ମନା କରିଥିଲି। କାରଣ ବ୍ରହ୍ମ ପୁରୀରେ ଜଗନ୍ନାଥଙ୍କ ଛଡ଼ା ଆଉ କେଉଁଥିରେ ପ୍ରତିଷ୍ଠା ହୋଇପାରିବନି। ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ତେଜିଥିବା ବେଳେ ଏପରି କହିଛନ୍ତି ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର । ଦୀଘାରେ ସେ ଜଗନ୍ନାଥଙ୍କୁ ବସେଇଥିବା କଥା ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ମୋ କାମ ମୁଁ କରିଛି । ଯଜ୍ଞହୋମ କାମ ବ୍ରାହ୍ମଣମାନେ କରିଛନ୍ତି । ଅକ୍ଷୟ ତୃତୀୟାରେ ପ୍ରତିଷ୍ଠା ହୋଇଛି । ସେଠାରେ ବ୍ରହ୍ମ ସ୍ଥାପନା ହୋଇନାହିଁ ବୋଲି ସେ କହିଛନ୍ତି । ତେବେ ସେଠାରେ ବ୍ରହ୍ମ ସ୍ଥାପନା ହୋଇଥିବା ସଂପର୍କରେ ଦୀଘାରେ ଗଣମାଧ୍ୟମକୁ ସେ କହିଥିବା ସଂପର୍କରେ ପଚରାଯିବାରୁ, ମୁଁ ସେମିତି କିଛି କହିନାହିଁ ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ:ଦୀଘା ଜଗନ୍ନାଥ ମନ୍ଦିରକୁ କେମିତି ଜଗନ୍ନାଥ ଧାମ ନାଁ ଦେଲେ ମମତା ?
ଦୀଘାକୁ ଜଗନ୍ନାଥ ଧାମ ବୋଲି ପଶ୍ଚିମବଙ୍ଗ ସରକାର କହୁଛନ୍ତି, ଆପଣ କାହିଁକି ବିରୋଧ କଲେନି ବୋଲି ପ୍ରଶ୍ନରେ ରାଗିଗଲେ ରାମକୃଷ୍ଣ । କହିଲେ, ଆପଣଙ୍କର ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ଥିଲେ, କାହିଁକି ବିରୋଧ କଲେ ନାହିଁ । ଆମ ରାଜ୍ୟ ସରକାର ଏ ସଂପର୍କରେ ପଶ୍ଚିମବଙ୍ଗ ସରକାରଙ୍କୁ ଏହି ନାଁ ପ୍ରତ୍ୟାହାର ପାଇଁ ଜଣାନ୍ତୁ । ମୁଁ ମଧ୍ୟ ମମତାଙ୍କୁ ଧାମ ଶବ୍ଦ ବ୍ୟବହାର ନକରିବା ପାଇଁ ଚିଠି ଲେଖିବି ବୋଲି ସେ କହିଛନ୍ତି । ତେବେ ଜଗନ୍ନାଥ ଧାମ ନାଁ ବ୍ୟବହାରକୁ ନିନ୍ଦା କରି ସେ ମମତା ବାନାର୍ଜୀଙ୍କୁ ଚିଠି ଲେଖିବେ କି ବୋଲି ପଚରାଯିବାରୁ ସେ ଏହା କରିବେ ନାହିଁ ବୋଲି କହିଛନ୍ତି ।
ଦୀଘାରେ ଜଗନ୍ନାଥଙ୍କ ପଥର ମୂର୍ତ୍ତି ହୋଇଥିବା ସଂପର୍କରେ ଅନ୍ୟ ସେବାୟତମାନେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ଏହି ପ୍ରଶ୍ନରେ ମଧ୍ୟ ରାମକୃଷ୍ଣ ରାଗିଯାଇ କହିଛନ୍ତି, ଆମ ସେବାୟତ ଭାଇମାନଙ୍କୁ ଆପଣମାନେ ( ଗଣମାଧ୍ୟମ ପ୍ରତିନିଧିମାନେ) ବିଚଳିତ କରୁଛନ୍ତି । ରାମକୃଷ୍ଣ ଦୀଘାକୁ ପଇସା ପାଇଁ ଯାଇଛନ୍ତି ବୋଲି କେତେଜଣ ସେବାୟତ ଖୋଲାଖୋଲି କହିଥିଲେ । ଏ ସଂପର୍କରେ ସେ କହିଛନ୍ତି,ଜଗନ୍ନାଥ ମୋତେ ଯେତିକି ଦେଇଛନ୍ତି, ବହୁତ ଦେଇଛନ୍ତି । ମୋତେ ସିଏ କ’ଣ ଦକ୍ଷିଣା ଦେବେ ? ବ୍ରାହ୍ମଣମାନେ ଦକ୍ଷିଣା ନେଇଛନ୍ତି । ହେଲେ ନିଜ କଥାକୁ ସେ ଏଡାଇ ଯାଇଛନ୍ତି । ଦୀଘା ମନ୍ଦିର ପ୍ରତିଷ୍ଠା ଦ୍ୱାରା ଓ ସେ ନିଜେ ସେଠାକୁ ଯିବା ଦ୍ୱାରା ଶ୍ରୀମନ୍ଦିରର ଗରିମା କ୍ଷୁର୍ଣ୍ଣ ହୋଇନି ବୋଲି ସେ କହିଛନ୍ତି । ଦୀଘାରେ ସେ ଗଣମାଧ୍ୟମକୁ ଯେଉଁ କଥା ହେଲେ ଆଜି ତାହାକୁ ଖଣ୍ଡନ କରିଛନ୍ତି । ତାଙ୍କ ଉତ୍ତର ଅନେକ ପ୍ରଶ୍ନ ଛିଡା କରାଇଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746173368.jpg)