/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741686096.jpg)
Ram Temple Ayodhya
ଚଳିତବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ହୋଇଯିବ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିର । ଏହି ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର । ସେ କହିଛନ୍ତି ଆସନ୍ତା ୧୫ ଏପ୍ରିଲ ସୁଦ୍ଧା ମନ୍ଦିରର ପ୍ରଥମ ମହଲା, ଦ୍ବିତୀୟ ମହଲା ଓ ଶିଖର ନିର୍ମାଣ ସଂପୂର୍ଣ୍ଣ ହେବ ।
ସେହିପରି ୧୫ରୁ ୩୦ ଏପ୍ରିଲ ମଧ୍ୟରେ ରାମ ଦରବାର ସଂପୂର୍ଣ୍ଣ ସ୍ଥାପନ ପାଇଁ କାମ ଚାଲିଛି । ୩୦ ଏପ୍ରିଲ ସୁଦ୍ଧା ମନ୍ଦିର ବିଭିନ୍ନ ଭାଗରେ ସମସ୍ତ ମୂର୍ତ୍ତି ସ୍ଥାପନା କାମ ସରିବ । ପରକୋଟାର ୬ ମନ୍ଦିର କାମ ଜାରି ରହିବ ବୋଲି କହିଛନ୍ତି ନୃପେନ୍ଦ୍ର ମିଶ୍ର । ଆସନ୍ତା ମାସରେ ମନ୍ଦିରରେ ଲାଗିଥିବା ଲିଫ୍ଟକୁ ଯୋଡ଼ିବା କାମ ବା ଏରୋ ବ୍ରିଜ୍ କାମ ଶେଷ ହେବ । ପରକୋଟାକୁ ଲାଗି ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା କେନ୍ଦ୍ର ନିର୍ମାଣ କରାଯିବ । ଶ୍ରଦ୍ଧାଳୁ ମାନେ ଯୋତା ଚପଲ ରଖିବା ପାଇଁ ଏହି ବ୍ୟବସ୍ଥା ହେବ ।
ଅଧିକ ପଢ଼ନ୍ତୁ: ଭଗବାନ ‘ରାମ’ ସୂର୍ଯ୍ୟବଂଶରେ ଜନ୍ମ ହୋଇ ମଧ୍ୟ କାହିଁକି ହେଲେ ରାମଚନ୍ଦ୍ର
ଆସନ୍ତା ସେପ୍ଟେମ୍ବର ସୁଦ୍ଧା ସୁବିଧା କେନ୍ଦ୍ର ନିର୍ମାଣ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ସେହିପରି ଚଳିତବର୍ଷ ଶେଷ ସୁଦ୍ଧା ସମସ୍ତ କାମ ଶେଷ କରାଯିବ ବୋଲି କହିଛନ୍ତି ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର। ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ନିର୍ମାଣ କାର୍ଯ୍ୟ କରାଯାଉଛି ।
ଅନ୍ୟପଟେ ମନ୍ଦିର ଚାରିପାଖରେ ୪ କିଲୋମିଟର ବ୍ୟାପୀ ସ୍ଥାୟୀ ପ୍ରାଚୀର ନିର୍ମାଣ ହେବ । ପୋଲିସ ମୁଖ୍ୟାଳୟରେ ସୁରକ୍ଷା ପାଇଁ ଯେଉଁଭଳି ପ୍ରାଚୀର ନିର୍ମାଣ ହୁଏ ସେଭଳି ଢଙ୍ଗରେ ପାଚେରି ନିର୍ମାଣ ହେବ । ଏହାର ଉଚ୍ଚତା ୧୪ରୁ ୧୬ ଫୁଟ ରହିବ। ଉତ୍ତର ଦ୍ବାର ପାଖର ଏହି ପ୍ରାଚୀର ନିର୍ମାଣ ଆରମ୍ଭ ହେବ । ଏହା ସରିବା ପାଇଁ ପ୍ରାୟ ୧ ବର୍ଷ ଲାଗିବ ବୋଲି ଆକଳନ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)