• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଜାନୁଆରୀ ୨୨ରେ ହେବ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ। ଏଥିପାଇଁ ଚଳ ଚଞ୍ଚଳ ଅଯୋଧ୍ୟା ନଗରୀ। ସମୟ ଯେତିକି ପାଖଉଛି ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗୁଛି। ଜୋରସୋରରେ ଜାରି ରହିଛି ମନ୍ଦିର ନିର୍ମାଣ କାର୍ଯ୍ୟ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ। ତେବେ ଏହାରି ମଧ୍ୟରେ ଆଜି ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶ୍ରୀରାମ ମନ୍ଦିର ଗର୍ଭଗୃହରେ ପୂଜା ପାଇବାକୁ ଥିବା ପ୍ରଭୁ ରାମଙ୍କ ପ୍ରତିମା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ତେବେ କମିଟିର ସଦସ୍ୟମାନେ କହିଛନ୍ତି ଯେ ଧାର୍ମିକ ଓ ଆଧ୍ୟାତ୍ମିକ ନେତୃମଣ୍ଡଳୀଙ୍କଠାରୁ ମଧ୍ୟ ଏହି ମୂର୍ତ୍ତି ସଂପର୍କରେ ମତାମତ ସଂଗ୍ରହ କରାଯିବ।

ମନ୍ଦିର ଗର୍ଭଗୃହରେ ସ୍ଥାପିତ ହେବା ପାଇଁ ଭାରତର ବିଶିଷ୍ଟ ଶିଳ୍ପୀଙ୍କ ଦ୍ୱାରା ତିନୋଟି ପ୍ରତିମା ନିର୍ମାଣ କରାଯାଇଥିଲା। ସେଥିମଧ୍ୟରୁ ଆଜି ଗୋଟିଏ ପ୍ରତିମାକୁ ଚୂଡ଼ାନ୍ତ କରାଯାଇଥିବା ସୂଚନା ମିଳିଛି। ଆଜି ବସିଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ତିନୋଟି ପ୍ରତିମା ମଧ୍ୟରୁ ପ୍ରଭୁ ଶ୍ରୀରାମଙ୍କ ଗୋଟିଏ ପ୍ରତିମା ଚୂଡ଼ାନ୍ତ କରିଛନ୍ତି ବୋଲି ସୂଚନା ମିଳିଛି। କିନ୍ତୁ ଏନେଇ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ସୂଚନା ମିଳିପାରିନାହିଁ।

ତେବେ ଶ୍ରୀରାମ ମନ୍ଦିର ଗର୍ଭଗୃହରେ ସ୍ଥାପିତ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ପ୍ରତିମାର ଉଚ୍ଚତା ୫୧ ଇଞ୍ଚର ରହିବ। ୫ ବର୍ଷର ବାଳକ ରୂପରେ ରାମଲଲାଙ୍କ ପ୍ରତିମା ସ୍ଥାନ ପାଇବ। ଏହା ବିବାହ ପୂର୍ବର ମୂର୍ତ୍ତି ହୋଇଥିବାରୁ ଦେବୀ ସୀତାଙ୍କ ମୂର୍ତ୍ତି ମୁଖ୍ୟ ମନ୍ଦିରରେ ରହିବ ନାହିଁ । ମନ୍ଦିର ଗର୍ଭଗୃହରେ ନିର୍ମିତ ଦିବ୍ୟ ଆସ୍ଥାନରେ ବିରାଜିବେ ୫ ବର୍ଷର ବାଳକ ରୂପରେ ରାମଲାଲା ।

ତେବେ ପ୍ରାଣ ପ୍ରତିଷ୍ଠା ହେବାର ସପ୍ତାହ ପୂର୍ବରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଚୂଡାନ୍ତ ହୋଇଛି କାର୍ଯ୍ୟ ନିର୍ଘଣ୍ଟ । ସପ୍ତାହେ ଧରି ଚାଲିବ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପୂଜାର୍ଚ୍ଚନା ।

ଜାନୁୟାରୀ ୧୬ ତାରିଖ: ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠାର ପ୍ରଥମ କାର୍ଯ୍ୟକ୍ରମ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ନିୟୋଜିତ ଯଯମାନଙ୍କ ଦ୍ୱାରା କରାଯିବ ପ୍ରାୟଶ୍ଚିତ ସମାରୋହ । ପରେ ପରେ ସରଜୁ ନଦୀ ତଟରେ ଦଶବିଧ ସ୍ନାନ, ବିଷ୍ଣୁ ପୂଜା ଏବଂ ଗୋଦାନ କରାଯିବ ।

ଜାନୁୟାରୀ ୧୭: ଶୋଭାଯାତ୍ରା ସହ ଅଯୋଧ୍ୟାରେ ପହଁଚିବ ରାମଲାଲାଙ୍କ ବିଗ୍ରହ । ଶତାଧିକ ଶ୍ରଦ୍ଧାଳୁ କଳସରେ ସରଜୁ ନଦୀର ପବିତ୍ର ଜଳ ଧାରଣ କରି ମନ୍ଦିରରେ ପହଁଚିବେ।

ଜାନୁୟାରୀ ୧୯: ଆରମ୍ଭ ହୋଇଯିବ ମହାଯଜ୍ଞ ।

ଜାନୁୟାରୀ ୨୦: ସରଜୁ ନଦୀର ପବିତ୍ର ଜଳରେ ମନ୍ଦିର ଗର୍ଭଗୃହ ଶୋଧନ ପରେ ବାସ୍ତୁ ଶାନ୍ତି ଏବଂ ଅନ୍ନାଧିବାସ ନୀତି ସମ୍ପନ୍ନ ହେବ ।

ଜାନୁୟାରୀ ୨୧: ୧୨୫ କଳସ ଜଳରେ ରାମଲାଲାଙ୍କ ବିଗ୍ରହକୁ ସ୍ନାନ କରାଯିବ ।

ଜାନୁୟାରୀ ୨୨: ସକାଳ ଧୂପ ପରେ ମଧ୍ୟାହ୍ନରେ ମୃଗଶିରା ନକ୍ଷତ୍ରରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ ।