• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତ ଆସୁଥିବା ମାଲବାହୀ ଜାହାଜ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପାତାଳରୁ ମଧ୍ୟ ଖୋଜି ଆଣିବୁ । ଆଉ ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଆରବ ସାଗର ଓ ଲୋହିତ ସାଗରରେ ଭାରତ ଅଭିମୁଖେ ଆସୁଥିବା ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ ଘଟଣା ପରେ ଏହି ପ୍ରତିକ୍ରିୟା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଆଜି ମୁମ୍ବାଇରେ INS ଇମ୍ଫାଲର ଜଳାବତରଣ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାଜନାଥ କହିଛନ୍ତି, ଏବେ ସମୁଦ୍ରରେ ଗତିବିଧି ବୃଦ୍ଧି ପାଇଛି । ଭାରତର ବଢୁଥିବା ଅର୍ଥନୈତିକ ଓ ସାମରିକ ଶକ୍ତିକୁ ନେଇ କେତେକ ଇର୍ଷା ପରାୟଣ ହୋଇପଡିଛନ୍ତି । ନିକଟରେ ଆରବ ସାଗରରେ ତେଲ ଧରି ଆସୁଥିବା ଜାହାଜ ଏମଭି ଚେମ୍ ପ୍ଲୁଟୋ ଉପରେ ଆକ୍ରମଣ ଘଟଣାକୁ ଭାରତ ଗୁରୁତର ସହ ନେଇଛି ।

ଭାରତୀୟ ନୌସେନା ସମୁଦ୍ରରେ ନୀରିକ୍ଷଣକୁ ବଢାଇ ଦେଇଛି । ଯେଉଁମାନେ ଏହି ଆକ୍ରମଣରେ ସମ୍ପୃକ୍ତ ସେମାନଙ୍କୁ ଆମେ ସାଗର ତଳୁ ମଧ୍ୟ ଖୋଜି ଆଣିବୁ ଆଉ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବୁ । ସେପଟେ ଭାରତ ଆସୁଥିବା ଦୁଇ ଦୁଇଟି ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ପରେ ଭାରତ ସତର୍କତା ପଦକ୍ଷେପ ସୂରୁପ ୩ଟି ଯୁଦ୍ଧ ଜାହାଜ ମୁତୟନ କରିଛି । INS ମୋରମୁଗାଓ, INS କୋଚି, INS କୋଲକାତା ଭଳି ଯୁଦ୍ଧ ଜାହାଜ ମୁତୟନ ହୋଇଛି । ଏଥିସହ ଭାରତୀୟ ନୌସେନା ତାର P-8I ଦୂରଗାମୀ ପାଟ୍ରୋଲ ଏୟାରକ୍ରାଫଟ ସର୍ଭେଲାନସରେ ନିୟୋଜିତ ହୋଇଛି ।

ଆଉ ଏପଟେ ଯେଉଁ ଜାହାଜ ଉପରେ ଆକ୍ରମଣ ହୋଇଥିଲା, ନୌସେନାର ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ତାର ତଦନ୍ତ କରୁଛି । ଜାହାଜର ଯେଉଁ ଅଂଶରେ ଆକ୍ରମଣ ହୋଇଥିଲା, ସେଠାରୁ କିଛି ଭଗ୍ନାଂବଶେଷ ସଂଗ୍ରହ କରାଯାଇ ପରୀକ୍ଷା ନୀରିକ୍ଷା ଚାଲିଛି। କେତେ ପରିମାଣର ବିସ୍ଫୋରକ ବ୍ୟବହାର କରାଯାଇଥିଲା । ଆକ୍ରମଣ ପାଇଁ କଣ କଣ ବ୍ୟବହାର କରାଯାଇଥିଲା ସେସବୁର ତଦନ୍ତ ଚାଲିଛି ।

ଗତ ଶନିବାର ହୋଇଥିଲା ସାଉଦି ଆରବରୁ ମାଙ୍ଗାଲୋର ଆସୁଥିବା ବେଳେ ଆରବ ସାଗରରେ ଏମଭି କେମ୍ ପ୍ଲୋଟୋ ତୈଳବାହୀ ଜାହାଜ ଉପରେ ଡ୍ରୋନ ଆକ୍ରମଣ ହୋଇଥିଲା । ସେହିପରି ଲୋହିତ ସାଗରରେ ଏମଭି ସାଇବାବା ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ପଛରେ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ହାତ ଥିବା ଆମେରିକା ଦାବି କରିଥିଲା ।