• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜସ୍ଥାନ ଆଜ୍‌ମେରର ୩୩ ବର୍ଷିୟ ପ୍ରେମା ରାମ । ତାଙ୍କ ଜୀବନରେ ଯୋଡ଼ି ହୋଇଛି ନୂଆ ଫର୍ଦ୍ଦ । ସେ ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ଜୀବନ । ବର୍ତ୍ତମାନର ଅଧୁନିକ ଯୁଗରେ ବିଜ୍ଞାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନ ହିଁ ଆମକୁ ଆଗକୁ ବଢ଼ିବାର ରାହା ଦେଖାଉଛି । ଜୀବନକୁ ଅତି ସରଳ ଓ ସହଜ କରୁଛି ବିଜ୍ଞାନ । ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବିଜ୍ଞାନ ଏବେ ବେଶ ଆଗରେ ।

ସେମିତି ଏକ ଉଦାହରଣ ଏବେ ଆମ ସାମ୍ନାକୁ ଆସିଛି । ପ୍ରେମା ରାମଙ୍କ କ୍ଷେତ୍ରରେ ବିଜ୍ଞାନ ଆମକୁ ଚମତ୍କାର ଦେଖାଇଛି । ପ୍ରାୟ ଦଶନ୍ଧି ହେବ ପ୍ରେମା ରାମଙ୍କ ହାତ ନଥିଲା । ଅସାବଧାନତା ବଶତଃ ତାଙ୍କ ହାତ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଯାଇଥିଲା । ଡାକ୍ତର ତାଙ୍କ ଜୀବନ ବଞ୍ଚାଇବା ପାଇଁ କାନ୍ଧଠୁ ସମ୍ପୂର୍ଣ୍ଣ ହାତକୁ କାଟି ଅଲଗା କରିଦେଇଥିଲେ । ହାତ କଟିଯିବା ପରେ ତାଙ୍କ ଜୀବନରେ ଅନ୍ଧକାର ଛାଇ ଯାଇଥିଲା ।

ଦୈନନ୍ଦିନ ତଥ୍ୟ ନିତ୍ୟ କର୍ମ ପାଇଁ ମଧ୍ୟ ସେ ଅନ୍ୟ ପରେ ଭରସା କରୁଥିଲେ । ଅନ୍ୟର ବିନା ସହଯୋଗରେ ସେ କୌଣସି କାମ କରିପାରୁ ନଥିଲେ । ହାତ ହରାଇବାର କିଛି ବର୍ଷ ପରେ ସେ ଧିରେ ଧିରେ ଗୋଡ଼ରେ ଲେଖିବା ଓ ଅନ୍ୟ କିଛି କାମ କରିବା ଶିଖିଯାଇଥିଲେ । ହେଲେ ସବୁ କିଛି କରିବାକୁ ସମର୍ଥ ନଥିଲେ । ପରିବାର ଲୋକ ପ୍ରେମା ରାମଙ୍କ କ୍ଷେତ୍ରରେ ପ୍ରୋସ୍ଥେସିସ ହାତ ଲଗାଇବାକୁ ଅନେକ ଉଦ୍ୟମ କରିଥିଲେ । କିନ୍ତୁ ତାହା କୌଣସି ଫଳପ୍ରଦ ହୋଇପାରିନଥିଲା । କାରଣ ପ୍ରେମା ରାମଙ୍କ ହାତ କାନ୍ଧଠାରୁ ଅଲଗା ହୋଇଥିଲା ।

ପ୍ରାୟ ଦଶ ବର୍ଷ ଧରି ଏଭଳି ଅଭିଶପ୍ତ ଜୀବନ ବିତାଇବା ପରେ ଏବେ ବିଜ୍ଞାନ ତାଙ୍କୁ ଦେଇଛି ନୂଆ ଜୀବନ । ମୁମ୍ବାଇର ଗ୍ଲୋବାଲ ହସ୍ପିଟାଲରେ ତାଙ୍କର ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି । ଏହି ଅସ୍ତ୍ରୋପଚାର ସାରା ଦେଶରେ ଚିକିତ୍ସା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରାୟ ୧୬ ଘଣ୍ଟା ଧରି ଅତି ନିଖୁଣତାର ସହ ମୁମ୍ବାଇ ଗ୍ଲୋବାଲ ହସ୍ପିଟାଲର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏହି ସର୍ଜରୀ କରିଥିଲେ । ଆଉ ଏଥିରେ ଡାକ୍ତରଙ୍କୁ ଏକ ବିରାଟ ସଫଳତା ମିଳିଛି । 

 

ପ୍ରେମା ରାମଙ୍କ କହିବାନୁଯାୟୀ, ତାଙ୍କର ହାତ ନଥିବା ବେଳେ ସେ ପାଠ ପଢ଼ା ସାରିବା ସହ ବିଇଡି ପରୀକ୍ଷା ମଧ୍ୟ ଦେଇଛନ୍ତି । ଆଗକୁ ନିଜ ହାତରେ ସବୁ କିଛି କରିବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି । ମୁମ୍ବାଇ ଗ୍ଲୋବାଲ ହସ୍ପିଟାଲର ପୁରା ଡାକ୍ତରୀ ଟିମ୍‌କୁ ସେ ଧନ୍ୟବାଦ ଦେଇଛନ୍ତି । ଆଉ କହିଛନ୍ତି ‘ଏ ଦୁନିଆରେ କିଛି ବି ଅସମ୍ଭବ ନୁହେଁ । ମୁଁ ନୂଆ ହାତ ପାଇ ଖୁବ୍‌ ଖୁସି । ଆଗାମୀ ୧୮ ମାସ ମଧ୍ୟ ଫିଜିଓଥେରାପି କରି ହାତକୁ ସମ୍ପୂର୍ଣ୍ଣ ରୂପେ ସଚଳ କରିବା ପାଇଁ ଚେଷ୍ଟା କରିବି ।’

 

OTV is now on Whatsapp

Join and get latest news update delivered to you via whatsapp

Join Now