/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689088085.jpg)
Uttarakhand
ପାଣିରେ ଉବୁଟୁବୁ ପୁରା ଉତ୍ତର ଭାରତ । ଥମିବାର ନାଁ ନେଉନି ପ୍ରକୃତିର ତାଣ୍ଡବ । କିଛି ସ୍ଥାନରେ ବର୍ଷା କମିଥିଲେ ମଧ୍ୟ ନଦୀ ଜଳସ୍ତର ବୃଦ୍ଧି ପାଇ ବନ୍ୟା ସ୍ଥିତି ସୃଷ୍ଟି କରିଛି । ଜାମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ଦେଖାଦେଇଥିବା ଜଳପ୍ରଳୟରେ ଏଯାଏଁ ୩୭ ଜଣଙ୍କ ଜୀବନ ଗଲାଣି ।
ଉତ୍ତରାଖଣ୍ଡ ଉତ୍ତରକାଶୀରେ ହୋଇଥିବା ଭୟଙ୍କର ଭୂସ୍ଖଳନର । ପାହାଡ ଉପରୁ ପଥର ଧସି ଚୁରମାର ହୋଇଯାଇଛି ଏକାଧିକ ଗାଡ଼ି । ଗଙ୍ଗୋତ୍ରୀ ଦର୍ଶନ କରିବା ପୂର୍ବରୁ ଚାଲି ଯାଇଛି ୪ ଜୀବନ। ପାହାଡି ରାଜ୍ୟ ଉତ୍ତରାଖଣ୍ଡ ଡେରାଡୁନର ବିକାଶନଗର ଅଂଚଳରେ ଭୂସ୍ଖଳନ ପରେ ରାଜପଥରେ ଯାତାୟାତ ଠପ୍ । ସେପଟେ ହରିଦ୍ୱାରରେ ଥମିବାର ନାଁ ନେଉନି ଲଗାଣ ବର୍ଷା। ସ୍ଥିତି ଗମ୍ଭୀର ରହିଛି । ରାସ୍ତା ଉପରେ ପାଣିର ସୁଅ ଛୁଟୁଥିବାରୁ ଜଳବନ୍ଦୀ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ ।
୪ ଦିନ ପରେ ହିମାଚଳର କିଛି ସ୍ଥାନରେ ବର୍ଷା ସାମାନ୍ୟ କମିଥିଲେ ବି ଭୂସ୍ଖଳନ ଯୋଗୁ ଠପ୍ ହୋଇଯାଇଛି ଜୀବନଯାତ୍ରା । ସିକ୍ସ ମାଇଲ ମାର୍କ ନିକଟରେ ଅବରୋଧ ହୋଇଛି ଚଣ୍ଡୀଗଡ-ମନାଲି ଜାତୀୟ ରାଜପଥ । ରାଜ୍ୟର ମଣ୍ଡି ଅଂଚଳରେ ବି ସମାନ ଦୁର୍ଦ୍ଦଶା । ଭୂସ୍ଖଳନ ଯୋଗୁଁ ଯାତାୟାତରେ ସୃଷ୍ଟି ହୋଇଛି ଅଚଳାବସ୍ଥା । ବର୍ଷା କମିଥିଲେ ବି ବନ୍ୟା ସ୍ଥିତି ସୃଷ୍ଟି କରିଛି ବ୍ୟାସ୍ ନଦୀର ଜଳସ୍ତର । ଏହାରି ଭିତରେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଆଜି ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି ।
ପଞ୍ଜାବରେ ମଧ୍ୟ ବର୍ଷା ଯୋଗୁ ସ୍ଥିତି ବେହାଲ । ପାଣିରେ ଉବୁଟୁବୁ ଗାଁରୁ ସହର । ଲୋକେ ଜଳବନ୍ଦୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ହରିୟାଣାରେ ପ୍ରବଳ ବର୍ଷା ଯୋଗୁଁ ପଞ୍ଚକୁଲାରେ ଧସି ଯାଇଛି ଫ୍ଲାଏ ଓଭରର ଗୋଟିଏ ପାଖ । ଅମ୍ବାଲାରେ ଘରେ ଘରେ ପାଣି ପଶିଛି । ଲୋକେ ଘରର ଛାତ ଓ ବାଲକୋନୀରେ ଦିନ କାଟୁଛନ୍ତି ।
ଏହାରି ଭିତରେ ପାଣିପାଗ ବିଭାଗର ଆହୁରି ଦୁଇ ତିନି ଦିନ ବର୍ଷା ହେବାର ପୂର୍ବାନୁମାନ ଲୋକଙ୍କୁ ଆତଙ୍କିତ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)