• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏକଜାମ୍ ଓ୍ୱାରିୟରଙ୍କୁ ପିଏମ୍‌ଙ୍କ ଚାପମୁକ୍ତ ଟିପ୍ସ । ଦେଲେ ଟାଇମ୍ ମ୍ୟାନେଜମେଣ୍ଟ ଓ ହାର୍ଡ ୱାର୍କର ମନ୍ତ୍ର । ଦିଲ୍ଲୀ ତାଲକଟୋରା ଷ୍ଟାଡିୟମ୍‌ରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଜରିଆରେ ଆଜି ପ୍ରଧାନମନ୍ତ୍ରୀ ଆଗାମୀ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ ଶିକ୍ଷକଙ୍କ ସହ କରିଛନ୍ତି ସାରଗର୍ଭକ ଆଲୋଚନା । ଦେଶର କୋଣ ଅନୁକୋଣରୁ ଯୋଡ଼ି ହୋଇଥିବା ବିଦ୍ୟାର୍ଥୀଙ୍କ ସହ ଭାବବିନିମୟ କରି ସେମାନଙ୍କୁ ଚାପମୁକ୍ତ ରହି ନିଜ ଲକ୍ଷ୍ୟ ପ୍ରତି ଫୋକସ୍ କରିବାକୁ କହିଛନ୍ତି ମୋଦି ।

ଏଥିସହ ଟାଇମ୍ ମ୍ୟାନେଜମେଣ୍ଟ ଦିଗରେ ଅଧିକ ଯତ୍ନଶୀଳ ରହି ଏକଥା ନିଜ ମାଙ୍କଠୁ ଶିଖିବାକୁ ବି ଦେଇଛନ୍ତି ମନ୍ତ୍ର । ମଜାରେ ମଜାରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ନକଲରେ ଭବିଷ୍ୟତ ତିଆରି ହୁଏନି । ପରୀକ୍ଷାରେ କପି କରୁଥିବା ପିଲା ବି ବହୁତ କ୍ରିଏଟିଭିଟି ଦେଖାଏ । ହେଲେ ଯଦି ସେତିକି ଚେଷ୍ଟା ପାଠ ପଢ଼ାରେ ଦେଖାନ୍ତା, କପି ଦରକାର ପଡ଼ନ୍ତାନି । ପରୀକ୍ଷା ଆସିବ ଯିବ, କିନ୍ତୁ ଆମକୁ ଜୀବନ ଜୀଇଁବାକୁ ପଡ଼ିବ  ।ସ୍ମାର୍ଟ ୱାର୍କ ନା ହାର୍ଡ ୱାର୍କ ଜରୁରୀ ବୋଲି ଜଣେ ପିଲାର ପ୍ରଶ୍ନରେ ଚମତ୍କାର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ-ସ୍ମାର୍ଟଲି ହାର୍ଡୱାର୍କ ବା ହାର୍ଡୱାର୍କକୁ ସ୍ମାର୍ଟଲି କରିବାକୁ ପଡ଼ିବ । ଯିଏ ନିଜ ସାମର୍ଥ୍ୟ ଜାଣିନଥାଏ, ତାକୁ ସାମର୍ଥ୍ୟବାନ ହେବା କଷ୍ଟ ହୁଏ । ପାଠରେ ଆଭରେଜ ହୋଇଥିଲେ କେବେ ବି ଭାଙ୍ଗି ପଡ଼ନି, ପ୍ରତ୍ୟକଙ୍କଠାରେ ଈଶ୍ୱର କିଛି ନା କିଛି ଅତିରିକ୍ତ ସାମର୍ଥ୍ୟ ଦେଇଥାନ୍ତି, ତାକୁ ନିଜେ ଖୋଜି ବାହାର କର ।

ଯଦିଓ ଏବେ ଡିଜିଟାଲ୍ ଯୁଗ, ତାସତ୍ତ୍ୱେ ଗେଜେଟ୍‌ଠାରୁ କିଛି ସମୟ ଅନ୍ତର କରି ପରିବାର ସହ ବିତାଇବାକୁ ବି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଏସବୁ ଆମକୁ ଧିରେ ଧିରେ ଗୋଲାମ ବନାଇ ଦେଲାଣି । ତଥାପି ସପ୍ତାହରେ ଅତିକମ୍‌ରେ ଗୋଟିଏ ଦିନ ଓ ଦିନକରେ କିଛି ଘଣ୍ଟା ଗେଜେଟ୍ ଫାଷ୍ଟିଂ ରଖ । ସେହିପରି ଅଭିଭାବକଙ୍କୁ ଦେଇଥିବା ପରାମର୍ଶରେ ପ୍ରଧାନମନ୍ତ୍ରୀ କହିଥିଲେ-ପିଲାଙ୍କ ଉପରେ ଅଯଥା ବିରକ୍ତ ହୁଅନ୍ତୁନି । ପିଲାଙ୍କ ମନକଥା ବୁଝନ୍ତୁ, ଅଯଥାରେ ସମାଲୋଚନା କରନ୍ତୁନି ।

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲା କୋଣାର୍କର ଜବାହାର ନବୋଦୟ ବିଦ୍ୟାଳୟ । ଏହି ସ୍କୁଲର ୧୦ମ ଶ୍ରେଣୀ ଛାତ୍ର ତନ୍ମୟ ବିଶ୍ୱାଳଙ୍କ ସହ କଥା ହୋଇଥିଲେ ମୋଦି । ପରୀକ୍ଷାବେଳେ କପିର କୁପ୍ରଭାବକୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଥିଲେ ତନ୍ମୟ ଯାହାର ସରଳ ଉତ୍ତର ଦେଇ ମୋଦି କହିଥିଲେ ସର୍ଟକର୍ଟରେ ଜୀବନରେ ସଫଳତା ମିଳେନି । କାର୍ଯ୍ୟକ୍ରମରେ ଭାବ ବିନିମୟର ସୁଯୋଗ ପାଇ ଖୁବ୍ ଖୁସି ହୋଇଥିଲେ ତନ୍ମୟ ଓ ତାଙ୍କ ସ୍କୁଲ ଅଧ୍ୟକ୍ଷ । ସେହିପରି ମୋଦିଙ୍କ ଷ୍ଟ୍ରେସ୍ ଫ୍ରି ମନ୍ତ୍ରକୁ ବେଶ୍ ଉପାଦେୟ ଭାବେ ଗ୍ରହଣ କରିଛନ୍ତି ଭଦ୍ରକ ନୂଆବଜାର ସରସ୍ୱତୀ ଶିଶୁମନ୍ଦିରର ଛାତ୍ରଛାତ୍ରୀ ।