• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଶା ମୁତାବକ ଅଧିକ ବାଟ ଆଗେଇ ପାରିନି ପ୍ରଜ୍ଞାନ। ଚନ୍ଦ୍ରପୃଷ୍ଠରେ ବିଭିନ୍ନ ଚାଲେଞ୍ଜର ସାମ୍ନା କରିବାକୁ ପଡ଼ୁଥିବାରୁ ମନ୍ଥର ହୋଇଯାଇଛି ରୋଭରର ଗତି । ଇସ୍ରୋ ହାତରେ ଆଉ ଅଛି ମାତ୍ର ୩ ଦିନ ସମୟ। ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ସ୍ପେଶ୍ ଆପ୍ଲିକେସନ୍ ସେଣ୍ଟରର ନିର୍ଦ୍ଦେଶକ ନିଲେଶ୍ ଦେଶାଇ । କହିଛନ୍ତି ଅତି ବେଶିରେ ସେପ୍ଟେମ୍ବର ୩ ସନ୍ଧ୍ୟା ଯାଏଁ କାର୍ଯ୍ୟ କରିବ ରୋଭର୍ ପ୍ରଜ୍ଞାନ।

ଏହି ସମୟ ଭିତରେ ଇସ୍ରୋ ବୈଜ୍ଞାନିକ ମାନେ ଚନ୍ଦ୍ରର ଦକ୍ଷିଣ ମେରୁ ସଂପର୍କରେ ଯଥାସମ୍ଭବ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଚନ୍ଦ୍ରୟାନ-୩ ମିଶନ ଆରମ୍ଭରେ ଆଶା କରାଯାଉଥିଲା ଯେ, ରୋଭର୍ ୧୪ ଦିନରେ ସର୍ବାଧିକ ୫ଶହ ମିଟର ଗଡ଼ିବ।

ଅଧିକ ପଢ଼ନ୍ତୁ: ଚନ୍ଦ୍ରରେ ହେଲା କମ୍ପନ ! ଦୋହଲାଇ ଦେବା ଭଳି ଗତିବିଧିକୁ ରେକର୍ଡ କଲା ବିକ୍ରମ...

ଏହାକୁ ଦୈନିକ ୫ ମିଟରରୁ ୩୦ ମିଟର ବାଟ ଚଲାଇବା ପାଇଁ ଲକ୍ଷ୍ୟ ରହିଥିଲା । ହେଲେ ଲ୍ୟାଣ୍ଡର ଅବତରଣ ସ୍ଥଳରେ ବହୁସଂଖ୍ୟାରେ ଗର୍ତ୍ତ ଓ ପଥର ଆଦି ଥିବାରୁ, ରୋଭର ଧୀରେ ଧୀରେ ଆଗକୁ ବଢ଼ୁଛି । ଭିଜିବିଲିଟିରେ ବି ସମସ୍ୟା ରହିଛି । ଅର୍ଥାତ୍ ଚନ୍ଦ୍ରପୃଷ୍ଠରେ ରୋଭରର ବାଟ ସ୍ପଷ୍ଟ ଦେଖାଯାଉ ନାହିଁ। ତେଣୁ ସମୟ ସହିତ ଲଢ଼ି, ରବିବାର ସନ୍ଧ୍ୟା ଭିତରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ ପାଇଁ ଚେଷ୍ଟା ଚାଲିଥିବା ସେ କହିଛନ୍ତି । ତେବେ ଇସ୍ରୋ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ ସୂଚନା ଦିଆଯାଇନାହିଁ ।

ସେପଟେ ଜହ୍ନ ରାଇଜରେ ଗୁପ୍ତଧନ ଖୋଜି ପାଇଛି ପ୍ରଜ୍ଞାନ । ଚନ୍ଦ୍ରର ଦକ୍ଷିଣ ମେରୁ ମାଟିରେ ଭରି ରହିଛି ସଲଫର। ତେବେ ଏହା କାହିଁକି ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧାନ? ତାକୁ ନେଇ ନାନା ପ୍ରଶ୍ନ ଉଠିଛି । ଚନ୍ଦ୍ରୟାନ-ଥ୍ରୀ ମିଶନ ଜହ୍ନ ରାଇଜରେ ବିଭିନ୍ନ ଉପାଦାନ ଠାବ କରିଥିଲେ ବି, ସଲଫରକୁ ନେଇ ଅଧିକ ଉତ୍ସାହିତ ଇସ୍ରୋ । କାରଣ ସଲଫରର ଉପସ୍ଥିତି ଜହ୍ନରେ ଜଳ ଥିବାର ସଂକେତ ଦେବା ସହିତ ଚନ୍ଦ୍ରପୃଷ୍ଠରେ ଜନବସତି ସୃଷ୍ଟି ପାଇଁ ବି ବାଟ ଫିଟାଇପାରେ ବୋଲି ଚର୍ଚ୍ଚା ହେଉଛି ।