• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯେତେ ଜଗିଲେ ବି ଜଗି ହେଉନି । ଚୋର, ଠକ ତଥା ଫ୍ରଡ୍‌ ବା ସାଇବର ଠକ, ଠକିବା ପାଇଁ ସବୁବେଳେ ଖୋଜୁଛନ୍ତି ନୂଆ ନୂଆ ଉପାୟ । ଗୋଟିଏ ଆଧାର କାର୍ଡରେ ଅନେକ ସିମ୍‌ ଚାଲିଥିବା ଖବର ପୂର୍ବରୁ ଆସିଥିଲା । ତାକୁ ରୋକ ଲଗାଇବା ପାଇଁ ଅନେକ ଧରପଗଡ଼ ବି ହୋଇଥିଲା । କିନ୍ତୁ କିଛି ଦିନ ପରେ ଯଥା ପୂବଂ ତଥା ପରଂ ସ୍ଥିତି ।

ଆଉ ଏବେ ପୁଣି ଥରେ ସାମ୍ନାକୁ ଆସିଛି ଗୋଟିଏ ଆଧାର କାର୍ଡରେ ଅନେକ ସିମ୍‌ ଯୋଡ଼ି ହେବା ଘଟଣା । କିନ୍ତୁ ଏହି ଖବରଟି ଆପଣଙ୍କୁ ଚମକାଇ ଦେବ । କାରଣ ଖବରଟି ହେଲା, ଗୋଟିଏ ଆଧାର କାର୍ଡରେ ୫ କି ୧୦ ସିମ୍‌ ଆକ୍ଟଭ୍‌ ନୁହେଁ, ବରଂ ଏଥିରେ ଏକା ଥରକେ ୬୫୮ ସିମ୍‌ ଆକ୍ଟିଭ୍‌ ରହିଛି । ଏଭଳି ଖବର ସାମ୍ନାକୁ ଆସିବା ପରେ ତାମିଲନାଡ଼ୁ ସାଇବର ପୋଲିସ ବି ଚମକି ପଡ଼ିଛି ।

ସାଇବର ପୋଲିସ ପ୍ରଥମେ ଖବର ପାଇଥିଲା ଯେ ଜଣେ ବ୍ୟକ୍ତିଙ୍କ ନାଁରେ ୧୦୦ରୁ ୧୫୦ ମୋବାଇଲ୍‌ କନେକ୍ସନ୍‌ ରହିଛି । ତାପରେ ସାଇବର ପୋଲିସ ପକ୍ଷରୁ ଏହି ସବୁ ନମ୍ବର ଗୁଡ଼ିକ ଅଚଳ ପାଇଁ ଚିଠି ଲେଖାଯାଇଥିଲା । ସେସବୁ ସିମ୍‌ ତୁରନ୍ତ ବନ୍ଦ କରି ଦିଆଯାଇଥିଲା । ଏହାପରେ ଗତ ୪ ମାସ ମଧ୍ୟରେ ତାମିଲନାଡ଼ୁର ସାଇବର ପୋଲିସ ମୋଟ ୨୫ ହଜାର ୧୩୫ ସିମ୍ କାର୍ଡ ଅଚଳ କରିଛି ।

ତାପରେ ବିଜୟୱାଡ଼ାରୁ ଆଉ ଏକ ଖବର ସାମ୍ନାକୁ ଆସିଛି, ଜଣେ ବ୍ୟକ୍ତିଙ୍କ ଫଟୋ ପରିଚୟ ପତ୍ରରେ ୬୫୮ ସିମ୍‌ କାର୍ଡ ଚାଲିଛି । ଏହି ସିମ୍‌ କାର୍ଡ ଗୁଡ଼ିକ ସାଧାରଣ ଦୋକାନରୁ ବିକ୍ରି କରାଯାଇଛି ।

ତେବେ ଏଭଳି ଜାଲିଆତି ରୋକିବା ପାଇଁ ଟେଲିକମ୍‌ ବିଭାଗ ପକ୍ଷରୁ ଏକ ପୋର୍ଟାଲ ଆରମ୍ଭ କରାଯାଇଛି । ଯାହା ଦ୍ୱାରା ଆପଣ ଜାଣିପାରିବେ ଯେ, ଆପଣଙ୍କ ଆଧାରକାର୍ଡରେ କେତେ ମୋବାଇଲ ବା କେତେଟା ସିମ୍ ଚାଲିଛି । ଖାଲି ସେତିକି ନୁହେଁ ଏହି ସଫ୍ଟଓୟାର ଦ୍ୱାରା ଆପଣ ନିଜର ପରିଚୟ ପତ୍ର ଦେଇ ଅନ୍ୟ ସବୁ ନମ୍ବର ଗୁଡ଼ିକୁ ବ୍ଲକ୍‌ ମଧ୍ୟ କରିପାରିବେ ।

କେମିତ ଜାଣିବେ...

୧- ପ୍ରଥମେ  https://tafcop.dgtelecom.gov.in/  ୱେବ୍‌ସାଇଟ୍‌କୁ ଯାଆନ୍ତୁ । ତଳକୁ ସ୍କ୍ରଲ କରି TAFCOPରେ କ୍ଲିକ୍‌ କରନ୍ତୁ ।

୨- ତାପରେ ନିଜର ମୋବାଇଲ ନମ୍ବର ସେଠାରେ ଏଣ୍ଟର କରନ୍ତୁ ଏବଂ OTP ରିକ୍ୱେଷ୍ଟ ଉପରେ କ୍ଲିକ୍‌ କରନ୍ତୁ ।

୩- ମୋବାଇଲକୁ OTP ଆସିବା ପରେ ତାକୁ ନେଇ ୱେବ୍‌ସାଇଟ୍‌ରେ ପକାନ୍ତୁ ଓ ସବ୍‌ମିଟ କରନ୍ତୁ ।

୪-  ଏହା ପରେ ଆପଣଙ୍କ ଆଧାର କାର୍ଡରେ କେତେ ସିମ୍‌ ଆକ୍ଟିଭ୍‌ ରହିଛି ତାହା ଜାଣିପାରିବେ ।