• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆସନ୍ତାକାଲି କତାର ଯିବେ ପ୍ରଧାନମନ୍ତ୍ରୀ ମୋଦି । କତାର ଜେଲରେ ବନ୍ଦୀ ଥିବା ୮ ଜଣ ପୂର୍ବତନ ନୌସେନା ଅଧିକାରୀ ଫାଶୀଦଣ୍ଡରୁ ମୁକୁଳି ଭାରତ ଫେରିଛନ୍ତି । ଏହା ଭାରତର ବଡ଼ କୂଟନୈତିକ ବିଜୟ ବୋଲି କୁହାଯାଉଥିବା ବେଳେ କତାର ସହ ସଂପର୍କ ଆହୁରି ନିବିଡ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ।

କତାର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି କତାର ଅମିର ସେଖ୍ ତମିମ ବିନ୍ ହମଦ ଏବଂ ଅନ୍ୟ ଉଚ୍ଚ ପ୍ରତିନିଧିଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଦ୍ୱିତୀୟ କତାର ଗସ୍ତ । ସେପଟେ ୧୮ ମାସ ଧରି କାତାର ଜେଲରେ ଥିବା ୮ଜଣ ପୂର୍ବତନ ନୌସେନା ଅଧିକାରୀ ମୁକ୍ତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ୭ଜଣ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେମାନଙ୍କୁ ମୁକ୍ତ କରାଯିବା ସହ ଭାରତରେ ପହଞ୍ଚିବା ପାଇଁ ସମସ୍ତ ପ୍ରକାର ସହାୟତା କରିଥିବା କାତାର ସରକାରଙ୍କୁ ଧନ୍ୟବାଦ ଜଣାଇଛି ବୈଦେଶିକ ମନ୍ତ୍ରାଳୟ । ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେମାନେ ଭାବ ବିହ୍ୱଳ ହୋଇପଡ଼ିଛନ୍ତି । ଜନ୍ମମାଟିକୁ ଫେରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଗୁପ୍ତଚର ଅଭିଯୋଗରେ ୨୦୨୨ ଅଗଷ୍ଟ ୩୦ରେ ଏହି ନୌସେନା ଅଧିକାରୀଙ୍କୁ କତାର ସରକାର ବନ୍ଦୀ କରିଥିଲେ । ୨୦୨୩ ଅକ୍ଟୋବର ୨୬ରେ କତାରର ଏକ କୋର୍ଟ ସେମାନଙ୍କୁ ଫାଶୀ ଦଣ୍ଡଦେଶ ଦେଇଥିଲେ । ତେବେ ଭାରତ ପକ୍ଷରୁ କୂଟନୈତିକ ଚାପ ପରେ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରିଥିଲେ କତାର ସରକାର ।