• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୋଦିଙ୍କ ପାଇଁ ପୂଜାର୍ଚ୍ଚନା । ସାରା ଦେଶରେ ଆଜି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ମୋଦିଙ୍କ ଦୀର୍ଘଜୀବନ କାମନା କରି ବିଜେପି ପକ୍ଷରୁ ଆଜି ପୂଜାର୍ଚ୍ଚନା କରାଯାଇଛି । ଦିଲ୍ଲୀ ଓ ଭୋପାଳରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଛି । ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୂଜାପାଠ କରିଛନ୍ତି । ଦିଲ୍ଲୀର ଝଣ୍ଡେଓ୍ୱାଲା ଦେବୀ ମନ୍ଦିରରେ ମହାମୃତ୍ୟୁ ଞ୍ଜୟ ମନ୍ତ୍ରପାଠ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେହିପରି ସାରା ଦେଶରେ ଆଜି ମୋଦିଙ୍କ ପାଇଁ ପୂଜାପାଠ କରାଯାଉଛି । ଆଜି ସଂଧ୍ୟାରେ ଏକ କ୍ୟାଣ୍ଡେଲ ମାର୍ଚ୍ଚ ହେବ ବୋଲି ମଧ୍ୟ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ପଂଜାବ ଗସ୍ତ ବେଳେ ସୁରକ୍ଷାରେ ହୋଇଥିବା ସାଂଘାତିକ ତ୍ରୁଟି ନେଇ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲିର ଘଟଣା ସଂପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି । ଗତକାଲି ପଂଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି ଦେଖାଦେଇଥିଲା । କୃଷକଙ୍କ ବିକ୍ଷୋଭ ପାଇଁ ଏକ ଫ୍ଲାଏ ଓଭରରେ କିଛି ସମୟ ଫସି ରହିଥିଲେ ମୋଦି । ଏହାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ଘଟଣାର ତଦନ୍ତ କରିବା ପାଇଁ ପଂଜାବ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଅବସରପ୍ରାପ୍ତ ଜଷ୍ଟିସ ମେହତାବ ସିଂ ଗିଲ, ବିଚାରପତି ଅନୁରାଗ ବର୍ମା ଓ ରାଜ୍ୟ ଗୃହ ବିଭାଗର ପ୍ରମୁଖ ସଚିବଙ୍କୁ ନେଇ କମିଟି ଗଠନ ହୋଇଛି ।ଏହି କମିଟି ୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବ ।

Dharmendra PradhanDharmendra Pradhan

ସେପଟେ ତଦନ୍ତ ପାଇଁ ଗଠିତ  ଉଚ୍ଚସ୍ତରୀୟ କମିଟିକୁ ବିଜେପି ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ କମିଟି କୌଣସି ତଥ୍ୟ ପାଇବେ ନାହିଁ, କାରଣ ପଂଜାବ ମୁଖ୍ୟମନ୍ତ୍ରୀ ହିଁ ଷଡ଼ଯନ୍ତ୍ରକାରୀ ବୋଲି ପଂଜାବ ବିଜେପି ସଭାପତି ଅଭିଯୋଗ କରିଛନ୍ତି ।

 

ପଞ୍ଜାବ ଗସ୍ତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡ୍‌ର ସୁରକ୍ଷାରେ ଅବହେଳା ଘଟଣାକୁ ନେଇ ଭୁବନେଶ୍ୱରରେ ମଧ୍ୟ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଛି । ବିଜେପିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଏହି ଘଟଣାର ପ୍ରତିବାଦ କରାଯାଇଛି । ରାଜ୍ୟ ବିଜେପି ମୁଖ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ଶତାଧିକ ବିଜେପି କର୍ମୀ ରାମ ମନ୍ଦିର ଛକରେ ପ୍ରତିବାଦ କରିଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ବିଜେପି କର୍ମୀ । ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଓ ସୁରକ୍ଷା ଯୋଗାଇବା ସବୁ ରାଜ୍ୟର ଦାୟିତ୍ୱ ବୋଲି କହିଛି ବିଜେପି ।

ପଞ୍ଜାବରେ ହୋଇଥିବା ସୁରକ୍ଷା ଅବହେଳା ପଞ୍ଜାବ କଂଗ୍ରେସ ସରକାର ଓ ସେଠାକାର ମୁଖ୍ୟମନ୍ତ୍ରୀଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ । ଏହାକୁ ଜିଲ୍ଲା ବିଜେପି ଦୃଢ଼ ନିନ୍ଦା କରୁଛି । ଘଟଣାର ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପି ସାଂଗଠନିକ ସଭାପତି ବାବୁ ସିଂହ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଗାଡିକୁ ୨୦ ମିନିଟ ବ୍ଲକ କରି ରଖାଯିବା ଘଟଣାକୁ ନିନ୍ଦା କରିଛନ୍ତି ।