• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସେଞ୍ଚୁରୀ ମାରିଲା ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ । ଆଜି ଏହି କାର୍ଯ୍ୟକ୍ରମର ଶହେତମ ଏପିସୋଡ୍ ଅବସରରେ ଦେଶବାସୀଙ୍କୁ ମନର କଥା ସହ ମନ୍ କି ବାତର ମହତ ଉଦ୍ଦେଶ୍ୟ ଓ ଆମ ସାଧାରଣ ଜୀବନରେ ଏହା ପ୍ରଭାବ ସମ୍ପର୍କରେ ଅବଗତ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜିକୁ ୯ ବର୍ଷ ତଳେ ଆରମ୍ଭ ହୋଇଥିବା ଏ କାର୍ଯ୍ୟକ୍ରମ କିଭଳି ଆନ୍ଦୋଳନର ରୂପ ନେଇଛି, ତାହା ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସମଗ୍ର ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଉଥିବା ବେତାର କାର୍ଯ୍ୟକ୍ରମ ମନ୍ କି ବାତ୍‌ର ଆଜି ପୂରଣ ହୋଇଛି ଶହେ ତମ ସଂସ୍କରଣ । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଆଜିକୁ ଦୀର୍ଘ ୯ ବର୍ଷ ତଳେ ଏକ ମହତ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏ ଅଭିନବ ଅଭିଯାନ ଏବେ ବିଶାଳ ଜନ ଆନ୍ଦୋଳନରେ ପରିଣତ ହୋଇଛି । କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ସାଧାରଣ ନାଗରିକଙ୍କ ଦୈନନ୍ଦିର ସାମାଜିକ ଓ ଆର୍ଥିକ ଜୀବନରେ ବଡ଼ ପରିବର୍ତ୍ତନ ଆଣିଛି । ଜାମ୍ମୁ ଓ କାଶ୍ମୀରରେ ଗୋଷ୍ଠୀଗତ ଜୀବନକୁ ସଶକ୍ତ କରିଛି ଏବଂ ସଫଳତାର କଥାକୁ ପ୍ରସାର କରିଛି । ହରିୟାଣାରେ ବେଟି ବଚାଓ, ବେଟି ପଢାଓ ଅଭିଯାନକୁ ସଫଳ କରିବା ସହ ଏ ରାଜ୍ୟରେ ଲିଙ୍ଗଗତ ପ୍ରଭେଦକୁ ହ୍ରାସ କରିପାରିଛି ।

ଏ କାର୍ଯ୍ୟକ୍ରମ ମାଧ୍ୟମରେ ଜଣେ ଅନ୍ୟ ଜଣଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି । ଗୋଟିଏ କାର୍ଯ୍ୟକ୍ରମ ଅନ୍ୟ ଜଣେ ଚରିତ୍ର ପାଇଁ କ୍ଷେତ୍ର ପ୍ରସ୍ତୁତ କରିବାରେ ସହାୟକ ହୋଇଛି । ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ଶହେ ତମ ସଂସ୍କରଣରେ ମୋଦି ଏହାକୁ ସୌଭାଗ୍ୟର ଅଦ୍ୱିତୀୟ ପରମ୍ପରା, ସକାରାତ୍ମକ ଉର୍ଜା ବୋଲି କହିଛନ୍ତି । ଏହା ଆତ୍ମନିର୍ଭର ଭାରତଠୁ ମେକ୍ ଇନ୍ ଇଣ୍ଡିଆ ଓ ସ୍ପେସ୍ ଷ୍ଟାର୍ଟ ଅପ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତିର ପରକାଷ୍ଠାକୁ ପ୍ରଦର୍ଶିତ କରିଛି । ଦେଶବାସୀଙ୍କ ଭିତରେ ଶାନ୍ତି, ସେବା, ସଦଭାବନା ଓ କର୍ତ୍ତବ୍ୟପରୟଣତାକୁ ଆଗକୁ ନେଇଛି । ଯାହା ଦେଶ ପାଇଁ ଏକ ନୂଆ ପରମ୍ପରା ସୃଷ୍ଟି କରିଛି ।

ଏହି ଅବସରରେ ପୂର୍ବରୁ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସାମିଲ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ମଧ୍ୟ ନେଇଥିଲେ ମୋଦି । ଯେଉଁମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମଣିପୁରର ବିଜୟାଶନ୍ତି ଦେବୀ, ହରିୟାଣାର ସୁନୀଲ ଜଗଲନ୍, ହିମାଚଳ ପ୍ରଦେଶର ପ୍ରଦୀପ ସଙ୍ଗୱନ, ଜାମ୍ମୁ ଓ କାଶ୍ମୀର ମନଜୁର ଅହମ୍ମଦ ଓ ଓଡ଼ିଶାର ଡି ପ୍ରକାଶ ରାଓ ଭଳି ମହାନ ବ୍ୟକ୍ତିଙ୍କ ସେବା ଓ କର୍ତ୍ତବ୍ୟପରାୟଣତାର ପୁନଃ ସ୍ମରଣ କରାଇଥିଲେ ।

ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ନିଜ ମନର କଥା କହିବାକୁ ୨୦୧୪, ଅକ୍ଟୋବର ୩ ତାରିଖ ବିଜୟା ଦଶମୀରୁ ଆରମ୍ଭ ହୋଇଥିଲା ଏ ଅଭିଯାନ । ତେବେ ଆଜି ୧୦୦ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମୋଦିଙ୍କ ସହ କଥା ହୋଇଛନ୍ତି UNSCO ଡିଜି । ଭାରତର G-20 ଅଧ୍ୟକ୍ଷତା ଏହି ଅବସରରେ UNSCO ଡିଜି ମୋଦିଙ୍କୁ ବଧାଇ ଜଣାଇଥିଲେ ।