Advertisment

‘ନାଳନ୍ଦା’ ଫେରି ପାଇବ ପୁରୁଣା ପରିଚୟ, ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

କ୍ୟାମ୍ପସରେ ଇଣ୍ଟରନ୍ୟାସନାଲ୍ ସେଣ୍ଟର୍ । ୨୦ରୁ ଅଧିକ ରାଷ୍ଟ୍ରର ଛାତ୍ରଛାତ୍ରୀ ଆଡମିଶନ୍ ନେଲେଣି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Nalanda University

Nalanda University

ପୁରୁଣା ପରିଚୟ ଫେରି ପାଇବ ‘ନାଳନ୍ଦା’। ବିଶ୍ୱପ୍ରସିଦ୍ଧ ବିହାରର ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁନଃଉଦ୍ଧାର ସହ ନୂଆ କ୍ୟାମ୍ପସର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ନୂଆ କ୍ୟାମ୍ପସ୍ ଉଦଘାଟନ କରିବା ସହ ନାଳନ୍ଦା ବିଶ୍ୱବିଦ୍ୟାଳୟ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ। ନାଳନ୍ଦାର ଧ୍ୱଂସାବଶେଷକୁ ବୁଲି ଦେଖିଛନ୍ତି।

Advertisment

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାମ୍ପସ ପରିସରରେ ଗଛ ଲଗାଇଛନ୍ତି। ଏଥିସହ ମୋଦି ନାଳନ୍ଦା ବିଶ୍ୱ ବିଦ୍ୟାଳୟର ପ୍ରଶଂସା କରିଛନ୍ତି। ନାଳନ୍ଦା କେବଳ ଗୋଟିଏ ନାଁ ନୁହେଁ। ନାଳନ୍ଦା ହେଉଛି ଏକ ପରିଚୟ। ଏକ ସମ୍ମାନ। ନାଳନ୍ଦାର ଏକ ମୂଲ୍ୟ, ମନ୍ତ୍ର, ଗର୍ବ, କାହାଣୀ ରହିଛି। ନାଳନ୍ଦା ହେଉଛି ସତ୍ୟର ଘୋଷଣା। ନିଆଁରେ ବହି ଜଳି ପାରିବ କିନ୍ତୁ ଜ୍ଞାନକୁ ନଷ୍ଟ କରିପାରିବ ନାହିଁ ନିଆଁ।

ସେ ଆହୁରି କହିଛନ୍ତି, ଆମେ ସମସ୍ତେ ଜାଣୁ ଯେ ନାଳନ୍ଦା ଏକଦା ଭାରତର ପରମ୍ପରା ଏବଂ ପରିଚୟର ଜୀବନ୍ତ କେନ୍ଦ୍ର ଥିଲା। ଶିକ୍ଷାକୁ ନେଇ ଭାରତର ଏହା ହିଁ ଚିନ୍ତାଧାରା ଥିଲା। ଶିକ୍ଷା ଆମକୁ ଗଢ଼େ, ଆମକୁ ବିଚାର ଶକ୍ତି ପ୍ରଦାନ କରେ। ନାଳନ୍ଦାର ଏହି ନୂତନ କ୍ୟାମ୍ପସରେ ଆମକୁ ପୁଣି ଥରେ ସେହି ପ୍ରାଚୀନ ପ୍ରଣାଳୀକୁ ଅଧୁନିକ ରୂପରେ ମଜଭୁତ କରିବାକୁ ହେବ। ମୁଁ ଖୁସି ଯେ ଆଜି ବିଶ୍ୱର ଅନେକ ଦେଶରୁ ଅନେକ ଛାତ୍ର ଏଠାକୁ ଆସୁଛନ୍ତି। ଆମର ଗୌରବମୟ ଅଂଶ ସହିତ ନାଳନ୍ଦାର ଏକ ଦୃଢ଼ ସଂଯୋଗ ରହିଛି।

Advertisment

ପୁରାତନ ନାଲନ୍ଦା ବିଶ୍ୱବିଦ୍ୟାଳୟ ଯେଉଁଠି ଥିଲା ସେହି ଅଞ୍ଚଳ ପାଖରେ ୪୫୫ ଏକର ଜମିରେ ୧୭୪୯ କୋଟି ଟଙ୍କା ବ୍ୟୟରେ ନୂଆ କ୍ୟାମ୍ପସ୍ ନିର୍ମାଣ ହୋଇଛି। ୪୦ କ୍ଲାସରୁମ୍‌ରେ ଏବେ ମୋଟ୍ ୧୮୯୦ ଛାତ୍ରଛାତ୍ରୀ ପାଠ ପଢ଼ିବେ। କ୍ୟାମ୍ପସରେ ଇଣ୍ଟରନ୍ୟାସନାଲ୍ ସେଣ୍ଟର୍‌ରେ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାର ଉଦ୍‌ଘାଟନୀ ସମାରୋହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳପତି ଅରବିନ୍ଦ ପାନାଗରିଆ ଯୋଗ ଦେଇଥିଲେ।

ଏବେ ଯାଏଁ ୨୦ରୁ ଅଧିକ ରାଷ୍ଟ୍ରର ଅନେକ ଛାତ୍ରଛାତ୍ରୀ ନାଳନ୍ଦାରେ ଆଡମିଶନ୍ ନେଲେଣି। ବିଶେଷ ଭାବେ ଆମେରିକା, ଇଣ୍ଡୋନେସିଆ, ଭୁଟାନ, ଆର୍ଜେଣ୍ଟିନା, ଥାଇଲାଣ୍ଡ, ତୁର୍କି ଭଳି ଦେଶର ଛାତ୍ରଛାତ୍ରୀ ଏଥିରେ ରହିଛନ୍ତି। ସମ୍ପୂର୍ଣ୍ଣ କ୍ୟାମ୍ପସ୍ ନେଟ୍ ଜିରୋ ଏରିଆ ଅର୍ଥାତ ଗ୍ରୀନ ହାଉସ୍ ଇଫେକ୍ଟ ନଥିବା ଅଞ୍ଚଳ ଭାବେ ନିର୍ମାଣ କରାଯାଇଛି। ୪୫୫ ଏକର କ୍ୟାମ୍ପସର ୧୦୦ ଏକର ଜମିରେ ପୁଷ୍ପରିଣୀ ତଥା ଜଳ ସଞ୍ଚୟ ପାଇଁ ବ୍ୟବସ୍ଥା ହୋଇଛି।

୧୬୦୦ ବର୍ଷ ପୂର୍ବେ ବିହାରର ରାଜଗିରୀ ଜିଲ୍ଲାରେ ଥିବା ନାଳନ୍ଦା ବିଶ୍ୱବିଦ୍ୟାଳୟ ବିଶ୍ୱର ସବୁଠୁ ବଡ଼ ତଥା ଉନ୍ନତମାନର ବିଶ୍ୱବିଦ୍ୟାଳୟ ଥିଲା। ପରେ ବିଦେଶୀ ଶତ୍ରୁଙ୍କ ଆକ୍ରମଣ ଦ୍ୱାରା ସମ୍ପୂର୍ଣ୍ଣ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ନଷ୍ଟ କରାଯାଇଥିଲା। 

Narendra Modi
Advertisment
Advertisment