Advertisment

ଜାନୁଆରୀ ୨୨ରେ ପୁଣିଥରେ ଦୀପାବଳି ପାଳିବ ସାରା ଦେଶ, ଘରେ ଘରେ ଜଳିବ 'ରାମ ଜ୍ୟୋତି'

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ପାଇଁ ଆଜିଥିଲା ସବୁଠୁ ବଡ଼ ଦିନ। ଅଯୋଧ୍ୟାକୁ ନୂଆ ରେଳଷ୍ଟେସନ ଓ ଅନ୍ତର୍ଜାତୀୟ ବିମାନ ବନ୍ଦର ସହ ୧୫ ହଜାର ୭ ଶହ କୋଟି ଟଙ୍କାର ଭିତ୍ତିଭୂମି ଭେଟି ଦେଇଛନ୍ତି ମୋଦି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

PM Modi In Ayodhya

ମୋଦି ମୋଦି ନାରାରେ କଂପିଲା ରାମନଗରୀ ଅଯୋଧ୍ୟା। ଜାନୁଆରୀ ୨୨ରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ବେଳେ, କୁହାଯାଇପାରେ ଯେ ତା ପୂର୍ବରୁ ଅଯୋଧ୍ୟା ପାଇଁ ଆଜିଥିଲା ସବୁଠୁ ବଡ଼ ଦିନ। ଅଯୋଧ୍ୟାକୁ ନୂଆ ରେଳଷ୍ଟେସନ ଓ ଅନ୍ତର୍ଜାତୀୟ ବିମାନ ବନ୍ଦର ସହ ୧୫ ହଜାର ୭ ଶହ କୋଟି ଟଙ୍କାର ଭିତ୍ତିଭୂମି ଭେଟି ଦେଇଛନ୍ତି ମୋଦି। ଏଥିସହ ୮ଟି ନୂଆ ବନ୍ଦେ ଭାରତ ଓ ଅମୃତ ଭାରତ ଟ୍ରେନ ଚଳାଚଳର ମଧ୍ୟ ଶୁଭାରମ୍ଭ କରିଛନ୍ତି। ତା ସହ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି, ଜାନୁଆରୀ ୨୨ରେ ଅଯୋଧ୍ୟା ନ ଆସି ଘରେ ଘରେ ଦୀପାବଳି ପାଳିବାକୁ।

Advertisment

ଜାନୁଆରୀ ୨୨ରେ ପୁଣିଥରେ ଦୀପାବଳି ପାଳିବ ସାରା ଦେଶ। ଘରେ ଘରେ ଜଳିବ 'ରାମ ଜ୍ୟୋତି', ସୃଷ୍ଟି ହେବ ତ୍ରେତୟାର ଭ୍ରମ। ୫ ଶହ ବର୍ଷ ପରେ ଭବ୍ୟ ମନ୍ଦିରରେ ବିରାଜିବେ ରାମଲାଲା। ଅଯୋଧ୍ୟା ମଞ୍ଚରୁ ଦେଶବାସୀଙ୍କୁ ମୋଦି ଦେଲେ ସ୍ୱତନ୍ତ୍ର ଆହ୍ୱାନ। ଆଜି ସକାଳୁ ସକାଳୁ ଉତ୍ସବମୁଖର ହୋଇଉଠିଥିଲା ରାମନଗରୀ ଅଯୋଧ୍ୟା । ଖାଲି ପ୍ରଧାନମନ୍ତ୍ରୀଙ୍କୁ ନୁହେଁ, ରାମମନ୍ଦିର ସ୍ୱପ୍ନକୁ ସାକାର କରିଥିବା ପିଏମ୍ ମୋଦିଙ୍କୁ ପୁଷ୍ପବୃଷ୍ଟି କରି ସ୍ୱାଗତ କରିଥିଲେ ଅଯୋଧ୍ୟାବାସୀ । ମୋଦିଙ୍କ ରୋଡ ଶୋ' ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ସମବେତ ହୋଇଥିଲେ ଅଗଣିତ ଜନତା । ତାସହ ଭଳିକି ଭଳି ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ।

ବାବ୍ରି ମସଜିଦର ପୂର୍ବତନ ପିଟିସନର ଇକବାଲ୍ ଅନସାରୀ ମଧ୍ୟ ନିଜ ସାଥୀଙ୍କ ସହ ପୁଷ୍ପବୃଷ୍ଟି କରି ମୋଦିଙ୍କୁ ସ୍ୱାଗତ କରିଥିଲେ ଅଯୋଧ୍ୟା ଧାମକୁ। ଏହାପରେ ଲତା ମଙ୍ଗେସକର ଚୌକରେ ମୋଟରକେଡରୁ ଓହ୍ଲାଇ ବିଶାଳ ବୀଣାର ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ। ପରେ ପହଞ୍ଚିଥିଲେ ୨୪୦ କୋଟି ଟଙ୍କାରେ ନବନିର୍ମିତ ବିଶ୍ୱସ୍ତରୀୟ ଅଯୋଧ୍ୟା ଧାମ ଜଙ୍କସନରେ । ଅତ୍ୟାଧୁନିକ ଭିତ୍ତିଭୂମି ବିଶିଷ୍ଟ ଏହି ରେଳ ଷ୍ଟେସନର ଲୋକାର୍ପଣ ସହ, ପତାକା ହଲାଇ ୬ଟି ନୂଆ ବନ୍ଦେ ଭାରତ ଟ୍ରେନ୍ ଓ ୨ଟି ନୂଆ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିଥିଲେ ମୋଦି। ଏହାପରେ ଅମୃତ ଭାରତ ଟ୍ରେନ ବଗି ଭିତରକୁ ଯାଇ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ପିଏମ୍ ମୋଦି।

Advertisment

ବିଶ୍ୱସ୍ତରୀୟ ରେଳ ଷ୍ଟେସନ ଲୋକାର୍ପଣ ପରେ ଅଯୋଧ୍ୟାକୁ ଅନ୍ତର୍ଜାତୀୟ ବିମାନ ବନ୍ଦର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମହର୍ଷି ବାଲ୍ମିକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ। ନାଁ ଯେମିତି ପୌରାଣିକ, ରୂପ ବି ସେମିତି ପୌରାଣିକ । ବାହାରୁ ନାଗର ଶୈଳୀର ମନ୍ଦିର ଭଳି ଦିଶୁଥିବା ବେଳେ, ଭିତରେ ବି ଚିତ୍ରିତ ହୋଇଛି ରାମାୟଣ କଥାବସ୍ତୁ। ୬ ହଜାର ୫ ଶହ ବର୍ଗମିଟର କ୍ଷେତ୍ରରେ ୧୪ ଶହ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂଆ ଟର୍ମିନାଲ ବୁଲି ଦେଖିଛନ୍ତି ମୋଦି । ରେକର୍ଡ ୨୦ ମାସରେ ନିର୍ମିତ ଅଯୋଧ୍ୟା ଏୟାରପୋର୍ଟ ବାର୍ଷିକ ପ୍ରାୟ ୧୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇବ। ଏଥିସହିତ ଅଯୋଧ୍ୟା ପାଇଁ ୧୫ ହଜାର ୭ ଶହ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୋଦି। ଏଥିସହ ରାମଭକ୍ତଙ୍କୁ ବିଶେଷ ଅନୁରୋଧ କରି କହିଛନ୍ତି, ଜାନୁଆରୀ ୨୨ରେ ଅଯୋଧ୍ୟା ନ ଆସି, ୨୩ ତାରିଖ ପରଠୁ ନିଜ ସୁବିଧା ଦେଖି ଆସନ୍ତୁ।

ଉଦଘାଟନ ପରେ ପରେ ଶ୍ରୀରାମଙ୍କ ଜୟ ଧ୍ୱନିରେ ଗୁଞ୍ଜରିତ ହୋଇଥିଲା ଅଯୋଧ୍ୟା ବିମାନବନ୍ଦର। ସେପଟେ ପ୍ରଥମ ବିମାନ ଭିତରେ ବି ଶୁଭିଥିଲା ହନୁମାନ ଚାଳିଶା । ଦିଲ୍ଲୀରୁ ଅଯୋଧ୍ୟାର ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଅଭିମୁଖେ ପ୍ରଥମ ବିମାନ ଉଡ଼ାଣ ଆରମ୍ଭ କରିବା ବେଳେ, ଯାତ୍ରୀଙ୍କୁ ଜୟ ଶ୍ରୀରାମ କହି ଏହି ଐତିହାସିକ ଯାତ୍ରାକୁ ସ୍ୱାଗତ କରିଥିଲେ ପାଇଲଟ୍।

ଆଜି ଅଯୋଧ୍ୟା ଗସ୍ତରେ, ଜଣେ ଗରିବ ଉଜ୍ଜ୍ୱଳା ହିତାଧିକାରୀଙ୍କ ଘରକୁ ଯାଇ ଚା' ପିଇଥିଲେ ମୋଦି। ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ କୃତକୃତ ହୋଇଯାଇଥିଲେ ୧୦ କୋଟିତମ ଉଜ୍ଜ୍ୱଳା ହିତାଧୀକାରୀ ମୀରା। ଖାଲି ଏତିକି ନୁହେଁ, ୨ ପିଲାଙ୍କ ସହ ସେଲଫି ନେଇଥିଲେ ଏବଂ ସେମାନଙ୍କୁ ଅଟୋଗ୍ରାଫ୍ ଦେଇଥିଲେ ମୋଦି।

India News Narendra Modi Ayodhya Ram Mandir
Advertisment
Advertisment