• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚନ୍ଦ୍ର ବିଜୟ ପାଇଁ ଇସ୍ରୋ ହିରୋଙ୍କୁ ସାଲ୍ୟୁଟ୍ ଜଣାଇ ଭାବବିହ୍ୱଳ ପ୍ରଧାନମନ୍ତ୍ରୀ ମୋଦି । ଗ୍ରୀସରୁ ଫେରି ପ୍ରଧାନମନ୍ତ୍ରୀ ସିଧା ବେଙ୍ଗାଳୁରୁ ସ୍ଥିତ ଇସ୍ରୋ କମାଣ୍ଡ ସେଣ୍ଟରକୁ ଯାଇ ମୁନ୍ ମିଶନରେ ସଂପୃକ୍ତ ବୈଜ୍ଞାନିକଙ୍କୁ ଭେଟି ବଧେଇ ଜଣେଇଥିଲେ । ଏଇ ଅବସରରେ ଚନ୍ଦ୍ରରେ ଚନ୍ଦ୍ରୟାନ-ଥ୍ରୀ ଅବତରଣ ସ୍ଥଳର ନାମକରକଣ କରି ଏହାକୁ ‘ଶିବଶକ୍ତି’ ଓ ଚନ୍ଦ୍ରୟାନ- ଟୁ ପଦଚିହ୍ନ ସ୍ଥାନକୁ ତ୍ରିରଙ୍ଗା ପଏଣ୍ଟ ଭାବେ ଘୋଷଣା କରିଥିଲେ । ଆସନ୍ତୁ ଦେଖିବା ସକାଳୁ ସକାଳୁ ପ୍ରଧାନମନ୍ତ୍ରୀ ମୋଦି ଇସ୍ରୋ ହିରୋଙ୍କୁ ଭେଟିବା ବେଳେ ଆଜି କେମିତି ଥିଲା ପରିବେଶ ।

ଭାରତର ଚନ୍ଦ୍ରବିଜୟର ସେ ଚମତ୍କୃତ ଘଡ଼ିକୁ ସେଦିନ ଜୋହାନସବର୍ଗରୁ ଦେଖି ଉତ୍‌ଫୁଲିତ ହୋଇଥିଲେ । ଆଉ ବିଦେଶରୁ ଭାରତ ଫେରୁ ଫେରୁ ଆଜି ସିଧା ବେଙ୍ଗାଳୁରୁ ଯାଇ ଇସ୍ରୋ ହିରୋଙ୍କୁ ଭେଟିଲେ । ଇସ୍ରୋ ମୁଖ୍ୟ ଏସ୍. ସୋମନାଥଙ୍କୁ ଆଲିଙ୍ଗନ କଲେ । ଭାବବିହ୍ୱଳ ହୋଇ ବିଶ୍ୱବାସୀଙ୍କ ସାମ୍ନାରେ ଭାରତର ମଥାକୁ ଚନ୍ଦ୍ରର ଉଚ୍ଚତା ଯାଏଁ ନେଇଥିବା ବୈଜ୍ଞାନିକ ମାନଙ୍କୁ ଅଭିନନ୍ଦନ ଦେବା ସହ ଏଇ ଭଳି ଢଙ୍ଗରେ ସଲାମ କଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ, ମୁନ୍ ମିଶନକୁ ସଫଳତା ମିଳିବା କ୍ଷଣି ହିଁ ଏଠାକୁ ଆସି ଆପଣଙ୍କୁ ଦର୍ଶନ କରିବାକୁ ଆତୁର ଥିଲି।

ଇସ୍ରୋ କମାଣ୍ଡ ସେଣ୍ଟରରେ ଉଦବୋଧନ ଦେବାବେଳେ ମୁନ୍ ମିଶନର ବୈଜ୍ଞାନିକଙ୍କ ପ୍ରଶଂସାରେ ଶତମୁଖ ହୋଇ ପଡ଼ିଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ ଚନ୍ଦ୍ର ଅଭିଯାନ କୌଣସି ସାଧାରଣ ସଫଳତା ନୁହେଁ । ଆମେ ସେଠି ପହଞ୍ଚିଲୁ, ଯେଉଁଠି କେହି ପହଞ୍ଚି ନଥିଲେ । ଅନ୍ଧାରୀ ମୂଲକରେ ପହଞ୍ଚି ଆମେ ଆଲୁଅ ଜାଳିଲୁ । ଏହାହିଁ ହେଉଛି ଆଜିର ଭାରତ, ନିର୍ଭୀକ ଭାରତ, ଲଢୁଆ ଭାରତ। ଆପଣଙ୍କ ଯେତେ ଗୁଣଗାନ କଲେ, ତାହା କମ୍ ହେବ କହିବା ସହ ଏହି ଅବସରରେ ଚନ୍ଦ୍ରରେ ଚନ୍ଦ୍ରୟାନ-ଥ୍ରୀର ଲ୍ୟାଣ୍ଡିଂ ସ୍ଥାନର ନାମକରଣ ବି କରିଥିଲେ ପ୍ରଧାନମନ୍ତ୍ରୀ ।

ଯେଉଁ ସ୍ଥାନରେ ଚନ୍ଦ୍ରୟାନ-ଥ୍ରୀ ଲ୍ୟାଣ୍ଡର ଜହ୍ନର ପୃଷ୍ଠ ଦେଶକୁ ଛୁଇଁଥିଲା ତାର ନାଁ ଶିବଶକ୍ତି ଏବଂ ଯେଉଁ ସ୍ଥାନରେ ଚନ୍ଦ୍ରୟାନ ଟୁ କ୍ରାସଲ୍ୟାଣ୍ଡ କରିଥିଲା ସେ ସ୍ଥାନକୁ ଦୁନିଆ ଏଣିକି ତ୍ରିରଙ୍ଗା ପଏଣ୍ଟ ନାଁରେ ଜାଣିବ ବୋଲି କହିଛନ୍ତି ପ୍ରଧାନନ୍ତ୍ରୀ । ଏଥିସହ ଚନ୍ଦ୍ର ଉପରେ ଭାରତ ତ୍ରିରଙ୍ଗା ଉଡ଼ାଇବାର ସେହି ଐତିହାସିକ ଦିନ ଅଗଷ୍ଟ ୨୩କୁ ଏଣିକି ନ୍ୟାସନାଲ ସ୍ପେଶ୍ ଡେ ବା ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବ ବୋଲି ବି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ଅବସରରେ ମିଶନରେ ଥିବା ମହିଳା ବୈଜ୍ଞାନିକମାନଙ୍କୁ ସ୍ବତନ୍ତ୍ର ଭାବେ ଭେଟି ସେମାନଙ୍କର ବି ଭୂରିଭୂରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ବୈଜ୍ଞାନିକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଚନ୍ଦ୍ର ବିଜୟ ପରେ ଆଜି ପୁରା ଦୁନିଆ ଭାରତର ବିଜ୍ଞାନ ଶକ୍ତିକୁ, ଆମର ଟେକ୍ନୋଲଜିକୁ ସଲାମ କରୁଛି । ଚନ୍ଦ୍ରୟାନ ଥ୍ରୀ ସଫଳତା ପୂରା ପିଢ଼ିକୁ ଜାଗ୍ରତ କରିଛି, ଯୁବ ପୀଢ଼ିକୁ ଉଦବୁଧ କରିଛି, ସେମାନଙ୍କ ଭିତରେ ଉତ୍ସାହ ଭରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ପ୍ରଶାସନରରେ ମହାକାଶ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ନେଇ ଏକ ହାକାଥନର ଆୟୋଜନ କରିବାକୁ ନେଇ ଇସ୍ରୋକୁ ଆହ୍ୱାନ ଦେଇଛନ୍ତି ।

ଗ୍ରୀସରୁ ଫେରି ଆଜି ସକାଳୁ ପ୍ରଧାନମନ୍ତ୍ରୀ ସିଧା ବେଙ୍ଗାଳୁରୁ ଏୟାରପୋର୍ଟରେ ଓହ୍ଲାଇବା ପରେ ସେଠାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଚନ୍ଦ୍ରୟାନ-ଥ୍ରୀ ସଫଳତା ନେଇ ପ୍ରଥମେ ଏଠି ଜନତାକୁ ସମ୍ବୋଧନ କରିବା ପରେ ବିଶାଳ ରୋଡ୍ ସୋରେ ଇସ୍ରୋ କମାଣ୍ଡ ସେଣ୍ଟରକୁ ଯାଇଥିଲେ ପ୍ରଧାନମନ୍ତ୍ରୀ ।