• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ଜ୍ୟାକେଟ୍‌ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦରେ ଏକ ନୂଆ ଅବତାରରେ ଦେଖିବାକୁ ମିଳିଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ସବୁଜ ପରିବେଶ ପାଇଁ ସମାଜକୁ ବାର୍ତ୍ତା ଦେଇଛନ୍ତି । ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍ ବୋତଲରୁ ତିଆରି ହୋଇଥିବା ଜ୍ୟାକେଟ୍‌କୁ ପିନ୍ଧି ସଂସଦରେ ନିଜର ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ।

ସୂଚନା ମୁତାବକ ୨୮ଟି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବୋତଲରୁ ପ୍ରସ୍ତୁତ କରାଯାଇଥିବା ଜ୍ୟାକେଟ ପ୍ରଧାନମନ୍ତ୍ରୀ ପିନ୍ଧିବା ସହ ସଂସଦ କାର୍ଯ୍ୟରେ ଭାଗନେଇଛନ୍ତି । ପରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅଭିଭାଷଣ ଦେବାବେଳେ ଉକ୍ତ ଜ୍ୟାକେଟ୍‌ ପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବକ୍ତବ୍ୟ ରଖିଛନ୍ତି ।

ବେଙ୍ଗାଲୁରୁରେ ଚାଲିଥିବା ଭାରତୀୟ ଉର୍ଜା ସପ୍ତାହରେ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ବା (ଆଇଓସିଏଲ୍‌) ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏହି ଜ୍ୟାକେଟ୍‌ ପ୍ରଦାନ କରାଯାଇଛି । ଆଇଓସିଏଲ୍ କର୍ମଚାରୀ ଓ ସଶସ୍ତ୍ର ବାହିନୀ ପାଇଁ ବସ୍ତ୍ର ତିଆରି କରାଯିବାକୁ ୧୦ କୋଟିରୁ ଅଧିକ ପେଟ୍ ବୋତଲ ବ୍ୟବହାର କରାଯିବ ବୋଲି କୁହାଯାଇଛି ।

ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରୀନ ହାଇଡ୍ରୋଜେନ୍‌ ମିଶନ କରାଯାଇଛି । ୧୯ ହଜାର ୭ଶହ କୋଟି ଟଙ୍କା ବ୍ୟୟରେ ଏହି ମିଶନ ଆରମ୍ଭ ହୋଇଛି । ଯେଉଁଥିରେ ଅଙ୍ଗାରକାମ୍ଳର ତୀବ୍ରତାକୁ ପରିବର୍ତ୍ତନ କରାଯାଇପାରିବ । ଦେଶକୁ ଏହି କ୍ଷେତ୍ରରେ ଆହୁରି ସୁଦୃଢ଼ କରିବାକୁ ସରକାର କାମ କରୁଛନ୍ତି ।

ପ୍ରଦୂଷଣ ଓ ପରିବେଶ ସୁରକ୍ଷାକୁ ନେଇ ପୂର୍ବରୁ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସ୍ୱଚ୍ଛ ଭାରତ ମିଶନ ଭଳି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିବା ବେଳେ ପ୍ରଦୂଷଣକୁ ରୋକିବାକୁ ମହିଳାଙ୍କ ପାଇଁ ଉଜ୍ଜ୍ୱଳା ଯୋଜନା କରିଥିଲେ କେନ୍ଦ୍ର ସରକାର । ଯାହା ଦ୍ୱାରା ମହିଳା ମାନେ ଉପକୃତ ହୋଇପାରୁଛନ୍ତି ।