• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପୁଣି ପାକିସ୍ତାନୀ ଆତଙ୍କୀଙ୍କ ଟାର୍ଗେଟ୍‌ରେ ଉରି ।

  • ୨୦୧୬ ଭଳି ପୁଣି ଏକ ଉରି ଆଟାକ୍ ପାଇଁ ହୋଇଥିଲା ଷଡ଼ଯନ୍ତ୍ର ।

  • ସବୁ ଆତଙ୍କୀ ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଛି ଭାରତ ।

ନୂଆଦିଲ୍ଲୀ: ପୁଣି ପାକିସ୍ତାନୀ ଆତଙ୍କୀଙ୍କ ଟାର୍ଗେଟ୍‌ରେ ଉରି । ୨୦୧୬ ଭଳି ପୁଣି ଏକ ଉରି ଆଟାକ୍ ପାଇଁ ହୋଇଥିଲା ଷଡ଼ଯନ୍ତ୍ର । ସହାୟତା କରିଥିଲା ପାକିସ୍ତାନ ସେନା । ହେଲେ ସବୁ ଆତଙ୍କୀ ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଛି ଭାରତ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଜାମ୍ମୁ ଓ କାଶ୍ମୀରର ଉରିରୁ ଧରାପଡ଼ିଛି ଲସ୍କର-ଏ-ତୋଇବାର ୧୯ ବର୍ଷୀୟ ଆତଙ୍କବାଦୀ । ଏଥିସହ ସେନା ଅପରେସନ୍‌ରେ ଆଉ ଏକ ଆତଙ୍କୀ ନିହତ ହୋଇଛି । ଗତ ୧୮ ତାରିଖ ରାତିରେ ଏଲ୍ଓସିରେ ଏକ ବଡ଼ ଅନୁପ୍ରବେଶ ଉଦ୍ୟମ ହେଉଛି ବୋଲି ଗୁଇନ୍ଦା ସୂଚନା ମିଳିବା ପରେ ଜୋରଦାର ଅପରେସନ୍ ଆରମ୍ଭ କରିଥିଲା ୧୯ ଇନ୍‌ଫାନ୍‌ଟ୍ରି ଡିଭିଜନ୍ । ଏହା ଗତ ୧୦ ଦିନ ଧରି ଚାଲିଥିଲା । ମୋଟ ୬ ଆତଙ୍କୀ ତାରବାଡ଼ ଟପି ସୀମା ଭିତରକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ, ସେମାନଙ୍କ ମଧ୍ୟରୁ ୪ ଜଣ ପାକିସ୍ତାନ ପଟକୁ ଫେରିଯାଇଥିବା ଆଶଙ୍କା କରାଯାଉଛି । ବାକି ୨ ଜଣରୁ ଜଣେ ନିହତ ହୋଇଥିବା ବେଳେ, ଆଉ ଜଣେ ଆତ୍ମସମର୍ପଣ କରିଛି । ଏହି ଅପରେସନ୍ ବେଳେ ୭ଟି AK ସିରିଜ୍ ରାଇଫଲ୍, ୯ଟି ପିସ୍ତଲ୍ ଓ ରିଭଲ୍‌ଭର, ୮୦ରୁ ଅଧିକ ଗ୍ରେନେଡ୍ ଏବଂ ଭାରତୀୟ ଓ ପାକିସ୍ତାନୀ ଟଙ୍କା ଜବତ ହୋଇଛି ।

ଜଣେ ଆତଙ୍କବାଦୀ ଭାରତୀୟ ଯବାନଙ୍କ ଗୁଳିରେ ନିହତ ହେବା ପରେ ଆଉ ଜଣେ ଆତ୍ମସମର୍ପଣ କରିଛି । ନାଁ ଅଲି ବାବର୍ । ବୟସ ମାତ୍ର ୧୯ । ଘର ପାକିସ୍ତାନ । ପଞ୍ଜାବ ପ୍ରଦେଶର ଓକାରା । ଲସ୍କର୍-ଏ-ତୋଇବା ସଦସ୍ୟ, ମୁଜାଫରାବାଦ୍‌ରେ ଟ୍ରେନିଂ । ୨୦୧୯ରେ ୩ ସପ୍ତାହ ମୁଜାଫରାବାଦ୍ ଘଡ଼ିଓ୍ୱାଲାରେ ସେ ଟ୍ରେନିଂ ନେଇଥିଲା । ମାତ୍ର ୫୦ ହଜାର ଟଙ୍କା ବିନିମୟରେ ତାକୁ ବାରାମୁଲ୍ଲା ପଟ୍ଟାନରେ କିଛି ହତିଆର ପହଞ୍ଚାଇବା ଦାୟିତ୍ୱ ଦିଆଯାଇଥିଲା ବୋଲି କହିଛି ଅଲି ବାବର୍ । ହେଲେ ଏତେ ପରିମାଣର ମାରଣାସ୍ତ୍ରକୁ ଦୃଷ୍ଟିରେ ରଖି ଆତଙ୍କୀମାନେ ଆକ୍ରମଣ ଯୋଜନା କରିଥିଲେ ବୋଲି ଆଶଙ୍କା କରାଯାଉଛି ।

୨୦୧୬ରେ ଘଟିଥିଲା ଉରି ଆତଙ୍କୀ ହମ୍‌ଲା । ଯେଉଁଥିରେ ସହିଦ ହୋଇଥିଲେ ଭାରତୀୟ ସେନାର ୧୯ ଯବାନ । ତେବେ ଏହାର ୫ ବର୍ଷ ପରେ ପୁଣି ସେହିଭଳି ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲେ କି ଆତଙ୍କୀ ? କାରଣ ଗତ ଉରି ଆକ୍ରମଣ ଭଳି ଏଥର ମଧ୍ୟ ସମାନ୍ ରୁଟ୍‌ରେ ଆସିଥିଲେ ଅନୁପ୍ରବେଶକାରୀ । ସଓ୍ୱାଇ ନାଲା କ୍ୟାମ୍ପରୁ ହଲ୍ଲାନ ଶୁମାଲି ଲଞ୍ଚ୍ ପ୍ୟାଡ୍, ସେଠାରୁ ଜବ୍ରି ଏବଂ ଶେଷରେ ସାଲାମାବାଦ ନାଲା ଦେଇ ଅନୁପ୍ରବେଶ । ଏହି ଉଦ୍ୟମକୁ ପଣ୍ଡ କରିଦିଆଯାଇଥିଲେ ବି, LoC ସେପଟେ ଆହୁରି ଅନେକ ଲଞ୍ଚ ପ୍ୟାଡ୍ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ଗତ ୭ ଦିନରେ ୭ଜଣ ଅନୁପ୍ରବେଶକାରୀ ବିଭିନ୍ନ ସ୍ଥାନରେ ନିହତ ହେଲେଣି । ପାକିସ୍ତାନ ସେନା ବିନା ସହାୟତାରେ ଏତେ ବଡ଼ ଅନୁପ୍ରବେଶ ଉଦ୍ୟମ ସମ୍ଭବ ନୁହେଁ ବୋଲି କହିଛନ୍ତି ୧୯ ଇନ୍‌ଫାନ୍‌ଟାରୀ ଡିଭିଜନ୍ ଜିଓସି ମେଜର୍ ଜେନେରାଲ୍ ବୀରନ୍ଦ୍ର ବତ୍ସ୍ ।