ପହଲଗାମ ଆତଙ୍କୀ ଆକ୍ରମଣ ପରେ LOCରେ ଉତ୍ତେଜନା । LOCରେ ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ । ପ୍ରଥମେ ପାକିସ୍ତାନ ସେନା ପକ୍ଷରୁ ଫାୟାରିଂ ହୋଇଛି । ପାକ୍ ସେନାକୁ କଡ଼ା ଜବାବ ଦେଇଛି ଭାରତୀୟ ସେନା । ରାତିସାରା ଚାଲିଛି ଗୁଳି ବିନିମୟ । ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳି ନଥିବାବେଳେ ଏବେ ବି ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଥିବା ଜଣାପଡ଼ିଛି । ପହଲଗାମ୍ ଆତଙ୍କବାଦୀ ହମ୍ଲା ପରେ ଭାରତର ଆକ୍ସନରେ ଛାନିଆ ହୋଇପଡ଼ିଛି ପାକିସ୍ତାନ । ସାରା ରାତି ପାକ୍ ସେନା ଫାୟାରିଂ କରିଛନ୍ତି ।
ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ପହଲଗାମ୍ ନରସଂହାରର ନୃଶଂସ ଚିତ୍ର
ଏଲଓସିରେ ପାକ୍ ସେନାର ଏକାଧିକ ପୋଷ୍ଟରୁ ଏହି ଫାୟାରିଂ କରାଯାଇଛି । ଏନେଇ ଜଣେ ସେନା ଅଧିକାରୀ କହିଛନ୍ତି, ପ୍ରଥମେ ପାକିସ୍ତାନୀ ସେନା ସୀମାରେ ଛୋଟ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲା । ଆମ ସେନା ଏହାର ପାଲଟା ଜବାବ ଦେଇଥିଲା । ଏହି ଫାୟାରିଂରେ କାହାର କୌଣସି କ୍ଷତି ହୋଇନି । ତେବେ ପହଲଗାମ୍ରେ ନିରୀହ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ହମ୍ଲାକୁ ନେଇ ଭାରତ ରକ୍ତ ଚାଉଳ ଚୋବାଉ ଥିବାବେଳେ ଏଲଓସିରେ ଏହି ଉତ୍ତେଜନା ପ୍ରକାଶ ପାଇଛି ।
ଅନ୍ୟପଟେ ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଆରମ୍ଭ ହୋଇଛି ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ଯୁଦ୍ଧାଭ୍ୟାସ 'ଆକ୍ରମଣ' । ବାୟୁସେନାର ଦୁଇ ଷ୍ଟ୍ରଙ୍ଗ ଫାଇଟର ଜେଟ୍ ଯୁଦ୍ଧାଭ୍ୟାସ ଆରମ୍ଭ କରିଛନ୍ତି । ଅମ୍ବାଲା ଓ ହସିମରା ଏୟାରବେସରୁ ରାଫେଲର ଯୁଦ୍ଧାଭ୍ୟାସ କରାଯାଇଛି । ପୂର୍ବ ଭାଗରେ ଥିବା ଏୟାରବେସରୁ ବାୟୁସେନାକୁ ଯୁଦ୍ଧ ବିମାନ ସବୁର ସ୍ଥାନାନ୍ତର ପ୍ରକ୍ରିୟା ବି ଆରମ୍ଭ ହୋଇଛି । ସ୍ଥଳଭାଗରେ ଆକ୍ରମଣ ପାଇଁ ହୋଇପାରେ ଫାଇଟର୍ ଜେଟର ବ୍ୟବହାର । ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳରେ ପହଞ୍ଚିବାକୁ ସମରାଭ୍ୟାସ କରାଯାଉଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମ୍ରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଥିଲା । ଆତଙ୍କବାଦୀଙ୍କ ଗୁଳିରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ବଡ଼ କଥା ହେଲା, ନାଁ ଓ ଧର୍ମ ପଚାରି ଅଣ-ମୁସଲମାନ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ ଆତଙ୍କୀ । ଏହି ପହଲଗାମ୍ ନରସଂହାରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ହୋଇଛି କୁଟନୈତିକ ଯୁଦ୍ଧ । ଭାରତ ଅଟାରୀ-ୱାଘା ବର୍ଡର ବନ୍ଦ କରିବା ସହ ସିନ୍ଧୁ ଜଳଚୁକ୍ତି ସ୍ଥଗିତ ଘୋଷଣା କରିଛି ।