Operation Sindoor
ମଧ୍ୟପ୍ରଦେଶ ଭୋପାଳରେ ପ୍ରଧାନମନ୍ତ୍ରୀଙ୍କ ରଣହୁଙ୍କାର । ପାକିସ୍ତାନକୁ କଡ଼ା ଚେତାବନୀ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ''ନାରୀ ଶକ୍ତିର ପ୍ରତୀକ ‘ଅପରେସନ୍ ସିନ୍ଦୂର’ । ଆତଙ୍କବାଦୀମାନେ ଭାରତର ନାରୀଶକ୍ତିକୁ ଚ୍ୟାଲେଞ୍ଜ କରି ନିଜର ବିନାଶକୁ ଡାକିଥିଲେ । ଅପରେସନ୍ ସିନ୍ଦୂର’ରେ ଆତଙ୍କୀ ମାଟିରେ ମିଶିଛନ୍ତି । ଆମ ସେନା ପାକିସ୍ତାନର ଏମିତି ସ୍ଥାନରେ ପହଞ୍ଚି ଆତଙ୍କବାଦୀ ଆଡ୍ଡାକୁ ଧ୍ୱସ୍ତ କରିଛି, ଯାହାକୁ ପାକିସ୍ତାନୀ ସେନା କେବେ କଳ୍ପନା କରିପାରିନଥିଲେ । ଏଥିସହ 'ଅପେରସନ ସିନ୍ଦୂର' ଆତଙ୍କବାଦ ବିରୋଧରେ ଭାରତ ଇତିହାସର ସବୁଠୁ ବଡ଼ ଓ ସଫଳ ଅପେରସନ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।''
ଅଧିକ ପଢନ୍ତୁ: ପୁଣି ଧମକ ଦେଲେ ମୁନୀର, 'ସିନ୍ଧୁ ଚୁକ୍ତି ଆମ ପାଇଁ ଲକ୍ଷ୍ମଣ ରେଖା, ପାକିସ୍ତାନ କେବେ ମୁଣ୍ଡ ନୁଆଁଇବନି'
ଆଜି ଭୋପାଳରେ 'ମହିଳା ସଶକ୍ତିକରଣ ମହାସମ୍ମିଳନୀ'ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ପହଲଗାମରେ ଆତଙ୍କୀମାନେ ଖାଲି ରକ୍ତ ବୁହାଇ ନଥିଲେ, ବରଂ ଆମ ପରମ୍ପରା ଉପରେ ଆକ୍ରମଣ କରିଥିଲେ । ଆମ ସମାଜକୁ ଭାଗ କରିବାକୁ ଚେଷ୍ଟା କରିଥିଲେ । ଆମ ନାରୀ ଶକ୍ତିଙ୍କୁ ଚ୍ୟାଲେଞ୍ଜ କରିଥିଲେ । ଆଉ ଏହି ଚ୍ୟାଲେଞ୍ଜ ଆତଙ୍କବାଦୀ ଓ ଏହାର ପ୍ରାୟୋଜକ ଦେଶ ପାଇଁ ବିନାଶ ସାଜିଥିଲା । ଜମ୍ମୁଠାରୁ ଗୁଜରାଟ ସୀମା ଯାଏଁ ମହିଳା ବିଏସ୍ଏଫ୍ମାନେ ନେତୃତ୍ୱ ନେଇଥିଲେ । ସୀମା ପାର୍ରୁ ଆସୁଥିବା ଗୁଳିମାଡ଼ର ସେମାନେ ଉଚିତ୍ ଜବାବ ଦେଇଥିଲେ । ଆଜି ନକ୍ସଲ କିମ୍ବା ସୀମା ପାର୍ ଆତଙ୍କୀ ଲଢ଼େଇ ସବୁଠି ଆମ ଝିଅ ସୁରକ୍ଷା ଢାଲ । ଆଜି ୧୪୦ କୋଟି ଭାରତୀୟଙ୍କ ଗର୍ଜନ- ଗୁଳିର ଜବାବ, ଗୋଳାରେ ଦିଆଯିବ ।
ଏଥିସହ ଆତଙ୍କୀଙ୍କ ଚରାଭୂଇଁ ପାକିସ୍ତାନକୁ କଡ଼ା ସନ୍ଦେଶ ଦେଇ ମୋଦି କହିଛନ୍ତି, ଏଥର ଆମେ ତମ ମାଟିରେ ପଶି ଆକ୍ରମଣ କରିବୁ, ଯିଏ ଆତଙ୍କବାଦୀଙ୍କ ସମର୍ଥନ କରିବ ତାକୁ ବହୁମୂଲ୍ୟ ଦେବାକୁ ପଡିବ । ରାଣୀ ଅହଲ୍ୟାବାଇ ହୋଲକରଙ୍କ ୩୦୦ତମ ଜନ୍ମବାର୍ଷିକୀରେ ଭୋପାଳରେ ଆୟୋଜିତ ମହିଳା ସଶକ୍ତିକରଣ ମହାସମ୍ମିଳନୀ ମଞ୍ଚରୁ ପୁଣିଥରେ ପାକିସ୍ତାନ ଉଦ୍ଦେଶ୍ୟରେ ଏଭଳି ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଏଠାରେ ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୨ ତାରିଖ ଦିନ ପହଲଗାମ ବୈସାରନ ଘାଟିରେ ୨୫ ଜଣ ନିରୀହ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ସେମାନଙ୍କ ସ୍ତ୍ରୀ ଓ ପରିବାର ଆଗରେ ହତ୍ୟା କରିଥିଲେ ଆତଙ୍କବାଦୀ । ଏହାର ଜବାବରେ ଭାରତ ଅପରେସନ ସିନ୍ଦୂର ଚଳାଇ ପାକିସ୍ତାନର ଶହ ଶହ କିଲୋମିଟର ଭିତରକୁ ପଶି ଆତଙ୍କୀ ଶିବିର ଉପରେ ଆକ୍ରମଣ କରିଥିଲା । ଅସ୍ତ୍ରବିରତି ଚୁକ୍ତି ପୂର୍ବରୁ ପାକିସ୍ତାନୀ ସାମରିକ ଘାଟି ଉପରେ ମଧ୍ୟ ପ୍ରଚଣ୍ଡ ଆକ୍ରମଣ କରି ପହଲଗାମ୍ ପ୍ରତିଶୋଧ ନେଇଥିଲା । ଯଦିଓ ଅସ୍ତ୍ରବିରତି ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଥମିଥିଲା କିନ୍ତୁ ଏବେ ବି କୂଟନୈତିକ ଯୁଦ୍ଧ ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748689619.jpg)