Advertisment

ଗୁରୁଦାୟିତ୍ୱକୁ ପୂରିଲା ବର୍ଷେ ! ପଢ଼ନ୍ତୁ ମାଡାମ୍‌ ଦ୍ରୌପଦୀଙ୍କର କ’ଣ ରହିଛି ଉପଲବ୍ଧି

ରାଷ୍ଟ୍ରପତି ଭାବେ ସଫଳତାର ସହ ଏକ ବର୍ଷ ପୂରଣ କରିଛନ୍ତି ମାଡାମ୍ ଦ୍ରୌପଦୀ ମୁର୍ମୁ । ଗତବର୍ଷ ଆଜିର ଦିନରେ ଭାରତର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ମାଡାମ ପ୍ରେସିଡେଣ୍ଟ୍ ।

author-image
Manoranjan Behera
ଅଦ୍ୟତନ ହୋଇଛି
One Year of President Smt Droupadi Murmu

President Draupadi Murmu

ଜୁଲାଇ ୨୫,୨୦୨୨ ଠିକ୍‌ ବର୍ଷେ ତଳେ ଆଜିର ଦିନରେ ଭାରତର ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଦେଶର ଦ୍ୱିତୀୟ ମହିଳା ତଥା ପ୍ରଥମ ଆଦିବାସୀ ମହିଳା ଭାବେ ଗଣତନ୍ତ୍ରର ମୁଖ୍ୟ ପୁରୋଧା ହୋଇ ପଦ ଓ ଗୋପନୀୟତାର ଶପଥ ନେଇଥିଲେ ଦ୍ରୌପଦୀ । ଆଦିବାସୀ ଅଧ୍ୟୁଷିତ ମୟୂରଭଂଜ ରାଇରଙ୍ଗପୁରରରୁ ରାଇସିନା ହିଲ୍‌ର ଯାତ୍ରା ଥିଲା ବେଶ୍‌ ଜଟିଳ । ଏନ୍‌ଡିଏରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ଦ୍ରୌପଦୀ । ଆଜିକୁ ବର୍ଷେ ତଳେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଶପଥ ନେବା ପରେ ଇତିହାସରେ ଯୋଡ଼ି ହୋଇଥିଲା ନୂଆ ଅଧ୍ୟାୟ । ତାଙ୍କ ଜୀବନର ସଂଘର୍ଷ ପ୍ରତିଟି ଭାରତୀୟଙ୍କ ପାଇଁ ପ୍ରେରଣା ।

Advertisment

ଆଉ ଏହାରି ମଧ୍ୟରେ ରାଷ୍ଟ୍ରପତି ଭାବେ ସଫଳତାର ସହ ଏକ ବର୍ଷ ପୂରଣ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଗତବର୍ଷ ଆଜିର ଦିନରେ ଭାରତର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ମାଡାମ ପ୍ରେସିଡେଣ୍ଟ୍ । ଶପଥ ଗ୍ରହଣ ପରଠାରୁ ତାଙ୍କ ପ୍ରଥମ ବର୍ଷ ବେଶ୍‌ ବ୍ୟସ୍ତବହୁଳ ରହିଛି । ରାଷ୍ଟ୍ରପତି ଭାବେ ବର୍ଷକର କାର୍ଯ୍ୟକାଳ ଭିତରେ ୨୬ଟି ରାଜ୍ୟ ଗସ୍ତ କରିସାରିଛନ୍ତି । ପ୍ରଥମ ବର୍ଷରେ ସେ ଭାରତ ପକ୍ଷରୁ ବିଟ୍ରେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସୁରିନାମ ଓ ସର୍ବିୟା ଗସ୍ତରେ ରାଷ୍ଟ୍ରପତିଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଶପଥ ପାଠ କରାଇବା ସହିତ ଦେଶର ୧୩ ଜଣ ରାଜ୍ୟପାଳଙ୍କ ନିଯୁକ୍ତି, ସୁପ୍ରିମକୋର୍ଟର ଦୁଇ ପ୍ରଧାନ ବିଚାରପତିଙ୍କୁ ମଧ୍ୟ ଶପଥ ପାଠ କରାଇଛନ୍ତି ଦ୍ରୌପଦୀ ମୁର୍ମୁ। ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ରୂପେ ତେଜପୁର ବାୟୁସେନା ଘାଟିରୁ ସୁଖୋଇ-୩୦ ଏମକେଆଇ ଯୁଦ୍ଧବିମାନରେ ଉଡ଼ି ସାହସର ଅନ୍ୟତମ ନିଦର୍ଶନ ଦେଇଛନ୍ତି ରାଷ୍ଟ୍ରପତି ମୁର୍ମୁ ।

କେବଳ ଏତିକି ନୁହେଁ ଜନ୍ମମାଟି ଗସ୍ତରେ ଯେତେଥର ଆସିଛନ୍ତି, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ରାଷ୍ଟ୍ରପତି ହେବା ପରେ ନିଜର ପ୍ରଥମ ଓଡ଼ିଶା ଗସ୍ତ ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଗସ୍ତ କରିଥିଲେ । ବ୍ଲୁ ବୁକ୍‌ ସୁରକ୍ଷା ଅନୁଯାୟୀ ସବୁ ପ୍ରକାର ବ୍ୟବସ୍ଥା କରିଥିଲା ପ୍ରଶାସନ । ହେଲେ ପ୍ରୋଟୋକଲ୍‌ ଭାଙ୍ଗି ବଡ଼ଦାଣ୍ତରେ ଚାଲି ଚାଲି ଶୁଭେଚ୍ଛୁ ପୁରୀବାସୀ ଓ କୁନି କୁନି ପିଲାଙ୍କୁ ଅଭିବାଦନ ଜଣାଇଥିଲେ ମହାମହିମ । ଏମିତିକି ପିଲାଙ୍କ ସହ ଫଟୋ ଉଠାଇଥିଲେ, ବଡ଼ଦାଣ୍ତର ଧୂଳିକୁ ମୁଣ୍ତରେ ମାରି ଭାବବିହ୍ୱଳ ହୋଇପଡ଼ିଥିଲେ ମାଡାମ୍‌ ପ୍ରେସିଡେଣ୍ଟ । ଗଣତନ୍ତ୍ରର ସର୍ବୋଚ୍ଚ ପଦରେ ଥିଲେ ବି ନିଜର ସହପାଠିନୀଙ୍କୁ ସେ କେବେ ଭୁଲି ନଥିଲେ । ଏମିତିକି ରମାଦେବୀ ବିଶ୍ୱବିଦ୍ୟାଳୟ ଗସ୍ତ ସମୟରେ ଚିନୁ କାହିଁ ବୋଲି ପ୍ରଶ୍ନ କରିଥିଲେ । ଯାହା ରାଜ୍ୟଠୁ ଜାତୀୟ ପର୍ଯ୍ୟନ୍ତ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । କେବଳ ପୁରୀରେ ନୁହେଁ ବରଂ ବାରିପଦା ଗସ୍ତ ସମୟରେ ପ୍ରୋଟୋକଲ୍‌ ଭାଙ୍ଗି ନିଜ ଘରେ ରାତ୍ରିଯାପନ କରିଥିଲେ । ପରଦିନ ସକାଳୁ ପହଞ୍ଚିଥିଲେ ଶିମିଳିପାଳ । ସେଠାରେ ବନ୍ୟପ୍ରାଣୀ ସୁରକ୍ଷା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ।

Advertisment


କେମିତି କଟିଥିଲା ପ୍ରଥମ ବର୍ଷ:

  • ୧- ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦେଇଥିଲେ । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଝାଡ଼ଖଣ୍ତ ଖୁଣ୍ଟିରେ ଆଦିବାସୀ ମହିଳାଙ୍କୁ ସାକ୍ଷାତ କରିଥିଲେ ।
  • ୨- ଆସାମ ଗସ୍ତରେ ଯାଇ କାଜିରଙ୍ଗା ଜାତୀୟ ଉଦ୍ୟାନରେ ‘ଗଜ ଉତ୍ସବ ୨୦୨୩’ ର ଶୁଭ ଉଦ୍‌ଘାଟନ କରିଥିଲେ ।
  • ୩- ଦେଶର ବିଭିନ୍ନ ରାଜ୍ୟ ଗସ୍ତ କରି ୧୭୫୦ PVTGs ର ବ୍ୟକ୍ତିବିଶେଷଙ୍କୁ ଭେଟିଥିଲେ ।
  • ୪- ସ୍ୱାଧିନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ।
  • ୫- ଶିଶୁ ଦିବସ ଅବସରରେ ରାଷ୍ଟ୍ରପତି ଭବନକୁ ଯାଇଥିବା କୁନି କୁନି ପିଲାଙ୍କୁ ସ୍ନେହ ଓ ଶ୍ରଦ୍ଧା ବାଣ୍ଟୁଥିବାର ଫଟୋକୁ ନେଇ ବେଶ୍‌ ଚର୍ଚ୍ଚା ହେଉଥିଲା ।
  • ୬- ନବନିଯୁକ୍ତ ପ୍ରଶାସନିକ ଅଧିକାରୀଙ୍କୁ ଦେଶର ସୁଶାସନ ସମ୍ପର୍କରେ ଗୁରୁମନ୍ତ୍ର ଦେଇଥିଲେ ।
  • ୭- ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଶପଥ ପାଠ କରାଇବା ସହିତ ଦେଶର ୧୩ ଜଣ ରାଜ୍ୟପାଳଙ୍କ ନିଯୁକ୍ତି, ସୁପ୍ରିମକୋର୍ଟର ଦୁଇ ପ୍ରଧାନ ବିଚାରପତିଙ୍କୁ ମଧ୍ୟ ଶପଥ ପାଠ କରାଇଥିଲେ ।
  • ୮- ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ରୂପେ ତେଜପୁର ବାୟୁସେନା ଘାଟିରୁ ସୁଖୋଇ-୩୦ ଏମକେଆଇ ଯୁଦ୍ଧବିମାନରେ ଉଡ଼ି ସାହସର ଅନ୍ୟତମ ନିଦର୍ଶନ ଦେଇଥିଲେ ।
  • ୯- ଦେଶର ବିଶିଷ୍ଟ ବ୍ୟକ୍ତିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଥିଲେ ।
  • ୧୦- ବିଭିନ୍ନ ଦେଶ ଗସ୍ତ କରି ଭାରତର ବୈଦେଶିକ ସମ୍ପର୍କକୁ ବୃଦ୍ଧି କରିଛନ୍ତି ।
President Of India Droupadi Murmu President Draupadi Murmu
Advertisment
Advertisment