• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ କରୁଥିବା ଟାର୍ଗେଟ କିଲିଂ ବା ହତ୍ୟାକାଣ୍ଡର ବଦଲା ନେବାକୁ ଆରମ୍ଭ ହେବ ବଡ଼ଧରଣର ଅପରେସନ । ଏଥିପାଇଁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ। ମେ’ ୧ରୁ ଜୁନ୍‌ ୨ ମଧ୍ୟରେ ଆତଙ୍କବାଦୀମାନେ ୮ ଜଣ ସାଧାରଣ ଲୋକଙ୍କୁ ହତ୍ୟା କାରି ସାରିଲେଣି । ପୂର୍ବରୁ କଶ୍ମୀର ପଣ୍ଡିତମାନେ ସୁରକ୍ଷା ଦାବି କରୁଥିବା ବେଳେ ସରକାରଙ୍କ ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ ।

ମେ ୧୨- ତହସିଲ ଅଫିସ୍ କର୍ମଚାରୀ ରାହୁଲ ଭଟ୍ଟ ।
ମେ ୨୫- ଟିଭି ଅଭିନେତ୍ରୀ ଅମ୍ରିନ୍ ଭଟ୍ଟ ।

ମେ ୩୧- ସ୍କୁଲ ଶିକ୍ଷୟିତ୍ରୀ ରଜନୀ ବାଲା ।

ଖାଲି ଏମାନେ ନୁହଁନ୍ତି, ତିନି ତିନି ଜଣ ଅଫ୍ ଡ୍ୟୁଟି ପୋଲିସ କର୍ମଚାରୀ ଏବଂ ଜଣେ ମଦଦୋକାନ ମାଲିକ । କେବଳ ମେ’ ମାସରେ ସାତ ସାତଟି ଟାର୍ଗେଟ୍ କିଲିଂ ହୋଇଥିବା ବେଳେ, ଆଜି ମଧ୍ୟ ଜଣଙ୍କୁ ହତ୍ୟା କରାଯାଇଛି । ଏକ ସିସିଟିଭି ଭିଡିଓରୁ ସ୍ପଷ୍ଟ ଯେ, ଆତଙ୍କୀ ପ୍ରଥମେ ଏଣେତେଣେ ଦେଖୁଛି, ଆଉ ତା ପରେ ସିଧା ଭିତରେ ପଶି ଗୁଳି ଚଳାଉଛି ।

କାଶ୍ମୀର କୁଲଗାମରେ ଦିନ ଦ୍ୱିପହରରେ ଆତଙ୍କୀ ଗୁଳିର ଶିକାର ହୋଇଛନ୍ତି ଇଲାକେ ଦେହାତି ବ୍ୟାଙ୍କ ମ୍ୟାନେଜର ବିଜୟ କୁମାର । ଆକ୍ରମଣ ପରେ ବିଜୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ବି, ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ରଜନୀ ବାଲାଙ୍କ ମୃତ୍ୟୁକୁ ୭୨ ଘଣ୍ଟା ନପୁରୁଣୁ ପୁଣି ଜଣଙ୍କ ମୁଣ୍ଡ ଗଡ଼ିବା ପରେ, ବ୍ୟାଙ୍କ ପରିସରକୁ ଘେରି ରହିଛନ୍ତି ସୁରକ୍ଷାକର୍ମୀ । ଏଥିସହ ଆତଙ୍କୀକୁ ମଧ୍ୟ ଖୋଜା ଚାଲିଛି । 

ତେଣେ ବିଜୟଙ୍କ ଗାଁ ଏବେ ଶୋକାକୂଳ ପରିବେଶରେ ପରିଣତ ହୋଇଛି । ଶୋକ ସାଗରରେ ରାଜସ୍ଥାନର ହନୁମାନଗଡ଼ । ବିଜୟ କିଛି ବର୍ଷ ହେଲା କୁଲଗାମର ବ୍ୟାଙ୍କରେ ମ୍ୟାନେଜର ଭାବେ ନିଯୁକ୍ତ ହୋଇଥିଲେ । ହେଲେ ଅକାଳରେ ରୋଜଗାରିଆ ପୁଅକୁ ହରାଇ ମ୍ରିୟମାଣ ପରିବାରବର୍ଗ ।

ଲଗାତାର ଟାର୍ଗେଟ୍ କିଲିଂ, ଖାସ୍ କରି ହିନ୍ଦୁଙ୍କୁ ନିଶାନା ପରେ, କାଶ୍ମୀର ଘାଟିରେ ପୁଣି ଫେରିଛି ୯୦ ଦଶକର ଆତଙ୍କ । ସୁରକ୍ଷା ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ଶହଶହ କାଶ୍ମୀରୀ ପଣ୍ଡିତ । ସୁରକ୍ଷା ସୁନିଶ୍ଚିତ ନକଲେ, ପୁଣି ଏକ ସମୂହ ପଳାୟନ ହେବ ବୋଲି ସେମାନେ ଚେତାବନୀ ଦେଇଥିବା ବେଳେ, ବହୁ ପରିବାର ଭୟଭୀତ ହୋଇ ଘାଟି ଛାଡ଼ୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଶ୍ରୀନଗର ଏୟାର୍ପୋର୍ଟରେ ପ୍ରବଳ ଭିଡ଼ ଜମିଛି ।

 

ବାରାମୁଲ୍ଲାରେ ଥିବା ହିନ୍ଦୁ କାଶ୍ମୀର ପଣ୍ଡିତ କଲୋନୀର ଶତାଧିକ ପରିବାର ଅନ୍ୟତ୍ର ପଳାଇଗଲେଣି ବୋଲି ସେଠାକାର ସଭାପତି ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେଣେ କାଶ୍ମୀରରେ ହିନ୍ଦୁ ସରକାରୀ କର୍ମଚାରୀଙ୍କୁ ଅପେକ୍ଷାକୃତ ସୁରକ୍ଷିତ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିବାକୁ ନିଷ୍ପତ୍ତି ନେଇଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ଆଜି ନୂଆଦିଲ୍ଲୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଏଭିତରେ କାଶ୍ମୀର ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ କରି କଂଗ୍ରେସ ଏକାଧିକ ଟୁଇଟ୍ କରିଥିବା ବେଳେ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା କହିଛନ୍ତି ନିରୀହଙ୍କ ମୃତ୍ୟୁ ଦୁଃଖଦାୟକ । କିନ୍ତୁ ଏଭଳି ଆତଙ୍କୀଙ୍କ ପ୍ରତି ଜିରୋ ଟଲେରାନ୍ସ ନୀତି ଆପଣାଉଛନ୍ତି କେନ୍ଦ୍ର ସରକାର । ୧୯୯୦ ବେଳକୁ କାଶ୍ମୀରରେ ହିନ୍ଦୁ ବିରୋଧୀ ନରସଂହାର ପରେ, ଭିଟାମାଟି ଛାଡ଼ି ସମୂହ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ ଲକ୍ଷାଧିକ କାଶ୍ମୀର ପଣ୍ଡିତ, ଏବେ ପୁଣି ଇତିହାସ କଡ଼ ଲେଉଟାଉଛି ।