• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ରତନ ଟାଟାଙ୍କ ଦେହାନ୍ତ ପରେ ଟାଟା ଟ୍ରଷ୍ଟସ୍ ର ନୂଆ ଅଧ୍ୟକ୍ଷ ହୋଇଛନ୍ତି ତାଙ୍କ ସାବତ ଭାଇ ନୋଏଲ ଟାଟା । ୬୭ ବର୍ଷୀୟ ନୋଏଲ ହେଉଛନ୍ତି ନଭଲ ଟାଟା ଏବଂ ସିମୋନ୍ ଟାଟାଙ୍କ ପୁଅ । ଗତ ୪୦ ବର୍ଷ ଧରି ଟାଟା ଗ୍ରୁପ୍ ସହ ଜଡ଼ିତ ଥିବା ନୋଏଲ୍ ଟାଟା ଗ୍ରୁପ୍ ଅନ୍ତର୍ଗତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କଂପାନୀର ଚେୟାରମ୍ୟାନ୍ ଓ ଭାଇସ୍ ଚେୟାରମ୍ୟାନ ଅଛନ୍ତି । ତାଙ୍କ ନେତୃତ୍ୱରେ କେବଳ ଟାଟା ଟ୍ରଷ୍ଟ ନୁହେଁ, ସାମଗ୍ରିକ ଭାବେ ଟାଟା ଗ୍ରୁପ୍ ଯାତ୍ରାକୁ ବି ନୂଆ ଗତି ମିଳିପାରେ ବୋଲି ଆଶା କରାଯାଉଛି ।

ନୋଏଲ୍ ନଭଲ୍ ଟାଟା । ଶିଳ୍ପସମ୍ରାଟ୍ ରତନ ଟାଟାଙ୍କ ଅନ୍ତେ ତାଙ୍କ ସାବତ ଭାଇ ନୋଏଲ୍ ବନିଛନ୍ତି ଟାଟା ଟ୍ରଷ୍ଟସ୍ ର ଚେୟାରମ୍ୟାନ୍ । ଆଜି ମୁମ୍ବାଇରେ ଟାଟା ଟ୍ରଷ୍ଟସ୍ ଅଧୀନସ୍ଥ ସମସ୍ତ ୧୪ଟି ଟ୍ରଷ୍ଟର ଟ୍ରଷ୍ଟିମାନେ ସର୍ବସମ୍ମତି କ୍ରମେ ତାଙ୍କୁ ନୂଆ ଅଧ୍ୟକ୍ଷ ଭାବେ ବାଛିଛନ୍ତି । ଏହି ନିଯୁକ୍ତି ସହ ସାର୍ ରତନ ଟାଟା ଟ୍ରଷ୍ଟର ଷଷ୍ଠ ଚେୟାରମ୍ୟାନ୍ ଏବଂ ସାର୍ ଦୋରାବ୍ ଜୀ ଟାଟା ଟ୍ରଷ୍ଟର ଏକାଦଶ ଚେୟାରମ୍ୟାନ୍ ମଧ୍ୟ ବନିଛନ୍ତି ନୋଏଲ୍ । ୧୮୯୨ରେ ସ୍ଥାପିତ ଦେଶର ସର୍ବପୁରାତନ ବଦାନ୍ୟ ସଂସ୍ଥା ଟାଟା ଟ୍ରଷ୍ଟ୍ ର ଭାଗ୍ୟଡୋରି ଧରିବା ପରେ, ନୋଏଲ୍ ଟାଟା କହିଛନ୍ତି- ମୁଁ ରତନ ଟାଟା ଏବଂ ଟାଟା ଗ୍ରୁପ୍ ପ୍ରତିଷ୍ଠାତାମାନଙ୍କ ଲିଗାସିକୁ ଆଗେଇ ନେବା ପାଇଁ ଆଶାବାଦୀ ଅଛି । ବିକାଶମୂଳକ ଓ ପରୋପକାର ପ୍ରୟାସକୁ ଆହୁରି ଆଗକୁ ନେବାକୁ ତଥା ଦେଶ ନିର୍ମାଣରେ ଭୂମିକା ନିର୍ବାହ କରିବାକୁ ଆମେ ପୁଣିଥରେ ଆମକୁ ଉତ୍ସର୍ଗ କରୁଛୁ ।

୬୭ ବର୍ଷୀୟ ନୋଏଲ ଟାଟା ହେଉଛନ୍ତି, ନଭଲ୍ ଟାଟା ଏବଂ ତାଙ୍କ ଦ୍ୱିତୀୟ ପତ୍ନୀ ସିମୋନ୍ ଟାଟାଙ୍କ ପୁଅ । ଗତ ୪୦ ବର୍ଷ ଧରି ଟାଟା ଗ୍ରୁପ୍ ସହିତ ଜଡ଼ିତ ଥିବା ନୋଏଲ୍ ଏବେ ଟ୍ରେଣ୍ଟ୍, ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡ୍, ଭୋଲଟାସ୍ ଓ ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନର ଚେୟାରମ୍ୟାନ ଏବଂ ଟାଟାଷ୍ଟିଲ ଓ ଟାଇଟନ୍ ର ଭାଇସ୍ ଚେୟାରମ୍ୟାନ ଅଛନ୍ତି ।ସେ ବ୍ରିଟେନର ସସେକ୍ସ ୟୁନିଭର୍ସିଟିରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ନିଜକୁ ଲାଇମଲାଇଟରୁ ଦୂରେଇ ରଖୁଥିବା ନୋଏଲଙ୍କ ନେତୃତ୍ୱରେ ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡର ବ୍ୟବସାୟ ୧୧ ବର୍ଷରେ ୫ଶହ ମିଲିୟନ ଡଲାରରୁ ୩ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା ।

ସେହିପରି ଗୋଟିଏ ଷ୍ଟୋରରୁ ଆରମ୍ଭ ହୋଇଥିବା ଟ୍ରେଣ୍ଟ ୭ଶହ ଷ୍ଟୋରକୁ ବଢ଼ିଥିଲା । ଏକଦା ନୋଏଲ୍ 'ଟାଟା ସନ୍ସ'ର ଚେୟାରମ୍ୟାନ ବି ବନିବାର ଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କର ଶାଳକ ଦିବଂଗତ ସାଇରସ ମିସ୍ତ୍ରୀ ଏହି ଆସନ ଅକ୍ତିଆର କରିଥିଲେ । ତେବେ ବର୍ତ୍ତମାନ ଟାଟା ଟ୍ରଷ୍ଟସ୍ ର ଗୁରୁଦାୟିତ୍ୱ ହାତକୁ ଆସିବା ପରେ, ନୋଏଲ 'ଟାଟା ଗ୍ରୁପ୍' ଭଳି ବିଶାଳ ସାମ୍ରାଜ୍ୟର ଭବିଷ୍ୟତ ନିର୍ଦ୍ଧାରଣରେ ବି ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି । କାରଣ ଟାଟା ଗ୍ରୁପ୍ ର ହୋଲ୍ଡିଂ କଂପାନୀ ଟାଟା ସନ୍ସର ୬୬ ପ୍ରତିଶତ ଅଂଶଧନ, ଟାଟା ଟ୍ରଷ୍ଟସ୍ ପାଖରେ ରହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now