• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବହୁ ଚର୍ଚ୍ଚିତ ନିଠାରୀ ଗଣହତ୍ୟା ମାମଲାର ଆଉ ଏକ ମାମଲାରେ ରାୟ ଆସିଲା । ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିକୁ ଫାଶି ଦଣ୍ଡାଦେଶ କଲେ ସିବିଆଇ କୋର୍ଟ । ହତ୍ୟା ଅଭିଯୋଗରେ ମୃତ୍ୟୁ ଦଣ୍ଡ ଓ ଅପହରଣ ପାଇଁ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଅନ୍ୟତମ ଅଭିଯୁକ୍ତ ମନିନ୍ଦର ସିଂ ପାନ୍ଧେରକୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ନିଠାରୀ ଗଣହତ୍ୟା ନେଇ ମୋଟ ୧୬ଟି ମାମଲା ରୁଜୁ ହୋଇଛି । ୧୬ ମାମଲାରୁ ଏଯାବତ ପ୍ରାୟ ୧୧ଟି ମାମଲାର ବିଚାର ସରିଥିବା ସୂଚନା ରହିଛି । ଦୁଇ ଅଭିଯୁକ୍ତ ଡାସନା ଜେଲରେ ପୂର୍ବରୁ ଅନେକ ମାମଲାରେ ସଜା କାଟୁଛନ୍ତି ।

ସୂଚନାଯୋଗ୍ୟ, ସୁରେନ୍ଦ୍ର କୋଲିକୁ ୧୩ ମାମଲାରେ ମୃତ୍ୟୁ ଦଣ୍ଡ ଦେଇଥିଲେ କୋର୍ଟ ଏବଂ ତିନି ମାମଲାରେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଏପର୍ଯ୍ୟନ୍ତ କେବଳ ଗୋଟିଏ ମାମଲାରେ ରାଷ୍ଟ୍ରପତିଙ୍କ ଦ୍ୱାରା ଯାଚିକା ଖାରଜ ହେବା ପରେ ମେରଠରେ ଫାସୀ ଦିଆଯିବାର ଥିଲା, କିନ୍ତୁ ଡେରି ହେବାରୁ ସୁପ୍ରିମ କୋର୍ଟ ଫାସୀ ନିରସ୍ତ୍ର କରିଥିଲେ ଏବଂ ଫାସୀରେ ବିଳମ୍ବ ହେଉଥିବାରୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

୨୦୦୬ ରେ ନିଠାରୀ ଗ୍ରାମର କୋଠୀ ନମ୍ବର ଡି-୫ ରେ ନରକଙ୍କାଳ ମିଳିଥିଲା । ସେହି କୋଠୀ ନିକଟରେ ନାଳ ପାଖରେ ପିଲାଙ୍କ ଅବଶେଷ ମିଳିଥିଲା । ଏହି ମାମଲା ଗାଜିଆବାଦର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ରହିଛି । ନିଠାରୀ କାଣ୍ଡର ପୂରା ଖୁଲାସା ନିଖୋଜ ଥିବା ଜଣେ ଯୁବତୀ ପାୟଲଙ୍କ ଯୋଗୁଁ ହୋଇପାରିଥିଲା । ଆଉ ସଂପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବା ପରେ ଏହା ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା ।