• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚେନ୍ନାଇରେ ପୁଣି NEET ପରୀକ୍ଷାକୁ ନେଇ ଆସିଲା ବିବାଦ । ପରୀକ୍ଷା ହଲକୁ ଯିବା ପୂର୍ବରୁ ଛାତ୍ରୀଙ୍କୁ ଅନ୍ତବସ୍ତ୍ର କାଢ଼ିବା ପାଇଁ କରାଗଲା ବାଧ୍ୟ । କାରଣ ପରୀକ୍ଷା ହଲକୁ ଅନ୍ତବସ୍ତ୍ର ପିନ୍ଧି ଯିବାକୁ କରାଯାଇଥିଲା ବାରଣ । ତେବେ କିଏ କରିଛି ଏଭଳି ନିୟମ ? କାହା ଇଙ୍ଗିତରେ ବାରମ୍ବାର ହେଉଛି ଏଭଳି କାର୍ଯ୍ୟ ? ଜାତୀୟ ଗଣମାଧ୍ୟମରେ ବି ଏନେଇ କରାଯାଉଛି ଢ଼େର୍ ଚର୍ଚ୍ଚା ।

ସ୍ଥାନୀୟ ଅଞ୍ଚଳର ଜଣେ ସାମ୍ବାଦିକା ଏହି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ । ଆଉ ସେଠାରେ ଏଭଳି ସ୍ଥିତି ଦେଖି ଏକ ଟ୍ୱିଟ୍‌ କରିଥିଲେ । ଯାହାକି ଲୋକଙ୍କ ଖୁବ୍‌ ଦୃଷ୍ଟି ଆକର୍ଷଣ କରିଛି ।

ସେ ନିଜ ଟ୍ୱିଟ୍‌ରେ ଲେଖିଥିଲେ ଯେ, ‘ଜଣେ ଛାତ୍ରୀଙ୍କୁ ସେ ପରୀକ୍ଷା କେନ୍ଦ୍ର ନିକଟରେ ଦେଖିଥିଲେ । ସେ ଅସହଜ ଅବସ୍ଥାରେ ଖୁବ୍‌ ଚୁପ୍‌ଚାପ୍‌ ବସିଥିଲେ । ମୁଁ ଯାଇ ତାଙ୍କୁ ପଚାରିଲି କ’ଣ ହୋଇଛି । ଆପଣ ଠିକ୍ ଅଛନ୍ତି ତ ? ଛାତ୍ରୀ ଜଣଙ୍କ ଉତ୍ତର ଦେଲେ ଯେ, ପରୀକ୍ଷା କେନ୍ଦ୍ରରେ ଅନ୍ତବସ୍ତ୍ର (BRA) ପିନ୍ଧି ଉତ୍ତର ଲେଖିବାକୁ ବାରଣ କରାଯାଇଛି । ତେଣୁ ସେ ପିନ୍ଧି ନାହାନ୍ତି । ସେଇଥିପାଇଁ ସେ ଅସହଜ ଅନୁଭବ କରୁଛନ୍ତି । ଛାତ୍ରୀଙ୍କ ମୁହଁ ଏଭଳି ବିସ୍ଫୋରକ କଥା ଶୁଣିବା ପରେ ମୁଁ ତାଙ୍କୁ ମୋ ସାଲ ଘୋଡ଼ାଇ ହେବା ପାଇଁ କହିଥିଲି । କିନ୍ତୁ ସେ ମନା କରିଥିଲେ । ଆଉ କହିଥିଲେ, ମୋ ଭାଇ ଆସୁଛନ୍ତି ମୁଁ ଘରକୁ ଫେରିଯିବି।’

ତେବେ ସାମ୍ବାଦିକାଙ୍କ ଏହି ଟ୍ୱିଟ ପରେ ତାଙ୍କୁ ଖୁବ୍‌ ଟ୍ରୋଲ କରାଯିବା ସହ ଢ଼େର୍‌ ସମାଲୋଚନା ମଧ୍ୟ କରାଯାଇଥିଲା । ଏମିତିକି ଟ୍ୱିଟ୍ ଡିଲିଟ କରିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା । ହେଲେ ସାମ୍ବାଦିକା ତାହା ଡିଲିଟ୍ ନକରି ଅଧିକ ତଥ୍ୟ ରଖିବାକୁ ସାହସ କଲେ । ସେ ପୁଣି ଟ୍ୱିଟ୍‌ କଲେ ଯେ, ‘ସେଠାରେ କେବଳ ସେହି ଜଣେ ଛାତ୍ରୀ ନଥିଲେ, ଅଧିକାଂଶ ଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ବିନା ଅନ୍ତବସ୍ତ୍ରରେ ଆସିଥିଲେ । ଆଉ ଏଥିପାଇଁ ସେମାନେ ଲଜ୍ଜିତ ମଧ୍ୟ ଅନୁଭବ କରୁଥିଲେ । ମୋତେ ଯେଉଁମାନେ ଏଠାରେ ଅସ୍ୱାଭାବିକ ପ୍ରଶ୍ନ କରୁଛନ୍ତି, ଦୟାକରି ସେମାନେ ସେହି ବୋର୍ଡକୁ ପ୍ରଶ୍ନ କରନ୍ତି ଯିଏ ଏଭଳି ପରୀକ୍ଷା ଆୟୋଜନ କରିଛି । ଯେଉଁ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଛାତ୍ରୀମାନଙ୍କୁ ଲଜ୍ଜିତ ହେବାକୁ ପଡ଼ୁଛି । କ’ଣ ବାସ୍ତବରେ ଏମିତି କିଛି ନିୟମ ରହିଛି କି ? NEET ପରୀକ୍ଷା କେନ୍ଦ୍ରକୁ ଅନ୍ତ୍ରବସ୍ତ୍ର ପିନ୍ଧି ଆସିବା ମନା ?’

ସୂଚନାଯୋଗ୍ୟ, ଚଳିତ ଥର ତାମିଲ ନାଡ଼ୁରେ ୧.୫ ଲକ୍ଷ ଛାତ୍ରଛାତ୍ରୀ NEET ପରୀକ୍ଷା ଦେଇଛନ୍ତି । ରବିବାର ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ମଧ୍ୟ ବାରମ୍ବାର ଏଭଳି ଖବର ସାମ୍ନାକୁ ଆସିଛି ।