• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ବିଶ୍ୱ ପାଳୁଛି ଆତ୍ମହତ୍ୟା ନିବାରଣ ଦିବସ । ହେଲେ ବିଡ଼ମ୍ବନା, ଆଜିର ଦିନରେ ବି ଅବଶାଦରୁ ମୁକୁଳି ନପାରି ମରଣର ରାସ୍ତାକୁ ବାଛିଛନ୍ତି ବରଗଡ଼ ସୋହେଲାର ଏକ ପୁରା ପରିବାର । ଆତ୍ମହତ୍ୟା ଉଦ୍ୟମ କରି ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଥିଲା ବେଳେ ଜୀବନ ସହ ଜୁଝୁଛନ୍ତି ମାଆ । NCRB ରିପୋର୍ଟ କହୁଛି, ଦେଶରେ ପ୍ରତି ୪୦ ସେକେଣ୍ଡରେ ଜଣେ ଆତ୍ମହତ୍ୟା କରୁଥିବା ବେଳେ ଆମ ରାଜ୍ୟରେ ଦିନକୁ ୧୫ ଜଣ ଆତ୍ମହତ୍ୟା କରୁଛନ୍ତି । ହେଲେ ମାନସିକ ଅବଶାଦରୁ କେମିତି ମୁକୁଳିବେ ? କ’ଣ ଏହାର ନିରାକରଣ ?

ଅବସାଦ, ହତାଶ ଆଉ ନିରାଶ । ସାଜିଛି ଶୀତଳ ମୃତ୍ୟୁର ସୌଦାଗର । କେତେବେଳେ ଭେଣ୍ଡିଆ ପୁଅକୁ ଟାଣି ନେଉଛି ମରଣର କୋଳକୁ, ତ’ ଆଉ କେବେ ଅନାଥ କରିଦେଉଛି ପରିବାରକୁ । ଚରମ ନିଷ୍ପତ୍ତି ନେଇ ଜୀବନ ହାରିବାକୁ ପଛାଉନି ମଣିଷ । ଏଇ ଯେମିତି ବରଗଡ଼ ଜିଲ୍ଲା ସୋହେଲା ମାଷ୍ଟରପଡ଼ାର ଆଜିର କାହାଣୀ । ଜୀବନ ଜିଇଁବା କଷ୍ଟସାଧ୍ୟ ହେଲା ବୋଲି ବିଷ ପିଇ ଗଣଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି ମାଆ, ପୁଅ ଓ ଝିଅ । ପୁଅ ଓ ଝିଅର ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ଅଛନ୍ତି । ଘରର ମୁରବୀଙ୍କ ମୃତ୍ୟୁ ପରେ ଏମାନେ ଆଉ ଜିଇଁବାକୁ ଇଚ୍ଛା ନ କରି ଆପଣେଇଥିଲେ ଏମିତିଆ ବାଟ । ଖାଲି ବରଗଡ଼ କାହିଁକି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ଆସୁଛି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତିର ଗଦାଗଦା କାହାଣୀ ।

ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ- NCRB ତଥ୍ୟ କହୁଛି, ୨୦୨୧ରେ ଓଡ଼ିଶାରେ ୫ ହଜାର ୬୫୧ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି । ଅର୍ଥାତ୍ ପ୍ରତିଦିନ ରାଜ୍ୟରେ ଆତ୍ମହତ୍ୟା ନେଉଛି ୧୫ ଜୀବନ । ସାରା ଦେଶରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରୁ ୩.୪ ପ୍ରତିଶତ କେବଳ ଓଡ଼ିଶାର । ଏମିତିକି ରାଜ୍ୟର ଆତ୍ମହତ୍ୟା ହାର ଜାତୀୟ ହାରଠୁ ଅଧିକ । ଦେଶରେ ପ୍ରତି ଲକ୍ଷେ ଲୋକଙ୍କ ଭିତରୁ ୧୨ ଜଣ ଆତ୍ମହତ୍ୟା କରୁଥିବା ବେଳେ ରାଜ୍ୟରେ ଏହା ୧୨.୩ । ଏବେ ପ୍ରଶ୍ନ, କାହିଁକି ଏଭଳି ମୃତ୍ୟୁକୁ ବାଛିନେଉଛନ୍ତି ଲୋକେ ? ବିଶେଷଜ୍ଞଙ୍କ ମତରେ, ମାନସିକ ଚାପ ହିଁ ଆତ୍ମହତ୍ୟାର ମୁଖ୍ୟ କାରଣ । କେଉଁଠି ଋଣ ବୋଝ ଯୋଗୁ ଚାଷୀ ଓ ବ୍ୟବସାୟୀ ଆତ୍ମହତ୍ୟା କରୁଛି ତ’ ପରିବାର ଓ ତଥା ଶିକ୍ଷକଙ୍କ ଚାପରେ ଛାତ୍ରଛାତ୍ରୀ, ପ୍ରେମ ବିଫଳତା ତଥା ନିଶା ସେବନ ଯୋଗୁ ଯୁବବର୍ଗ ଆତ୍ମହତ୍ୟା ବାଟ ବାଛୁଛନ୍ତି ।

ଏବେ ପ୍ରଶ୍ନ, କିଭଳି ଜାଣିବେ ଜଣେ ଆଗକୁ ଆତ୍ମହତ୍ୟା ଭଳି ବାଟ ବାଛିପାରେ ? କିଭଳି ଏହାକୁ ରୋକାଯାଇ ପାରିବ ? ମାନସିକ ରୋଗ ବିଶେଷଜ୍ଞଙ୍କ ମତରେ, ଆତ୍ମହତ୍ୟା ଭଳି ବିକଳ୍ପ ବାଛୁଥିବା ଲୋକଙ୍କ ବ୍ୟବହାର ବଦଳିଯାଏ । ସେମାନେ ଏକୁଟିଆ ରହିବାକୁ ପସନ୍ଦ କରନ୍ତି । ଚିଡ଼ିଚିଡ଼ା ହୁଅନ୍ତି, ଜିନିଷପତ୍ର ଫୋପଡ଼ା ଫୋପଡ଼ି କରନ୍ତି । ଏମିତିକି ଏଭଳି ବ୍ୟକ୍ତି ସୋସିଆଲ ମିଡିଆରେ I AM ALONE କିମ୍ବା କଳା ଚିତ୍ର ଭଳି ଷ୍ଟାଟସ ରଖନ୍ତି ।

ଆଜି ସାରା ବିଶ୍ୱ ପାଳୁଛି ଆତ୍ମହତ୍ୟା ନିବାରଣ ଦିବସ । କେଉଁଠି ସଭାସମିତି ତ’ ଆଉ କେଉଁଠି ନିଆରା ଢଙ୍ଗରେ ସାଇକ୍ଲୋଥନ କରି ସଚେତନ କରାଯାଉଛି । ମାନସିକ ଅବସାଦ ରହିଲେ, ଶାରୀରିକ ବ୍ୟାୟାମ କିମ୍ବା ଡାକ୍ତରଙ୍କ ପରାମର୍ଶ କରିବାକୁ ବାର୍ତ୍ତା ଦିଆଯାଇଛି । ସମସ୍ତଙ୍କ ସେଇ ଗୋଟିଏ ଆଭିମୁଖ୍ୟ, ଆତ୍ମହତ୍ୟା କୌଣସି ସମସ୍ୟା ସମାଧାନର ବାଟ ନୁହେଁ ।

  • Reported by:
  • KAPILENDRA PRADHAN