ମୁମ୍ବାଇର ବିଲବୋର୍ଡ ଟ୍ରାଜେଡି: ମିଳିଲା ଆଉ ୨ ଜଣଙ୍କ ମୃତଦେହ

ଏହି ମୃତଦେହ ଅବସରପ୍ରାପ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି) ମ୍ୟାନେଜର ମନୋଜ ଚାନସୋରିଆ ଏବଂ ତାଙ୍କ ପତ୍ନୀ ଅନୀତାଙ୍କର ଅଟେ ।

billboard collapse

ମୁମ୍ବାଇର ଘାଟକୋପରରେ ହୋର୍ଡିଂ ଭୁଶୁଡ଼ିବା ଘଟଣାରେ ଗୁରୁବାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ରେସ୍କ୍ୟୁ ଅପରେସନ୍ ବେଳେ ବୁଧବାର ବିଳମ୍ବିତ ରାତିରେ ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । ଏହି ମୃତଦେହ ଅବସରପ୍ରାପ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି) ମ୍ୟାନେଜର ମନୋଜ ଚାନସୋରିଆ ଏବଂ ତାଙ୍କ ପତ୍ନୀ ଅନୀତାଙ୍କର ଅଟେ ।

ମନୋଜ ମାର୍ଚ୍ଚ ୨୦୨୪ରେ ମୁମ୍ବାଇ ଏଟିସିର ଜେନେରାଲ ମ୍ୟାନେଜର ପଦରୁ ଅବସର ନେଇଥିଲେ। ସେ ମଧ୍ୟପ୍ରଦେଶର ଜବଲପୁରରେ ରହୁଥିଲେ । କିନ୍ତୁ ତାଙ୍କ ପତ୍ନୀ ଅନୀତାଙ୍କ ଭିସା କାମ ପାଇଁ କାରରେ ମୁମ୍ବାଇ ଯାଇଥିଲେ । କାମ ସରିବା ପରେ ସେ ମେ’ ୧୩ରେ ପେଟ୍ରୋଲ୍‌ ଭରିବାକୁ ଘାଟକୋପର ପେଟ୍ରୋଲ ପମ୍ପକୁ ଯାଇଥିଲେ। ଏହି ସମୟ ମଧ୍ୟରେ ମୁମ୍ବାଇରେ ପ୍ରବଳ ପବନ ଓ ଝଡ଼ ସୃଷ୍ଟି ହୋଇଥିଲା ଏବଂ ୨୫୦ ଟନ୍ ଓଜନ ବିଶିଷ୍ଟ ଏକ ହୋର୍ଡିଂ ପେଟ୍ରୋଲ ପମ୍ପ ଉପରେ ପଡ଼ିଥିଲା।

ଅଧିକ ପଢ଼ନ୍ତୁ: ମୁମ୍ବାଇରେ ଭୁଶୁଡ଼ିଲା ବିଲବୋର୍ଡ, ଭୁବନେଶ୍ୱର-କଟକ ସୁରକ୍ଷିତ ତ?

ମେ ୧୩ରେ ଦୁର୍ଘଟଣାର ଖବର ଶୁଣି ମନୋଜଙ୍କ ପୁଅ ତାଙ୍କୁ ଫୋନ୍‌ କରିଥିଲେ। କିନ୍ତୁ କେହି କଲ୍‌ ରିସିଭ୍‌ କରିନଥିଲେ । ଏହା ପରେ ମନୋଜଙ୍କ ପୁଅ ମୁମ୍ବାଇରେ ରହୁଥିବା ତାଙ୍କ ସାଙ୍ଗଙ୍କୁ ଡାକିଥିଲେ । ତାଙ୍କ ବନ୍ଧୁ ମନୋଜ ଏବଂ ଅନୀତାଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ମନୋଜଙ୍କ ଫୋନର ଲୋକେସନ୍‌ ପୋଲିସ ଟ୍ରେସ୍‌ କରିଥିଲା । ତେବେ ତାଙ୍କ ଫୋନ୍‌ ଘାଟକୋପର ପେଟ୍ରୋଲ ପମ୍ପ ନିକଟରେ ଚିହ୍ନଟ ହୋଇଥିଲା ।

ମନୋଜ ଏବଂ ଅନୀତା ହୋଡିଂ ତଳେ ଥାଇପାରନ୍ତି ବୋଲି ପୋଲିସ୍‌ ସନ୍ଦେହ କରିଥିଲା । ଏହା ପରେ NDRF ଟିମ୍‌ ମଙ୍ଗଳବାର ରାତିରେ ଦୁଇଟି ମୃତଦେହ ଭଗ୍ନାବିଶେଷ ତଳେ ପୋତି ହୋଇଥିବା ନିଶ୍ଚିତ କରିଥିଲେ । ତେବେ ବୁଧବାର ଉଭୟଙ୍କ ମୃତଦେହକୁ ଉଦ୍ଧାର କରିଥିଲେ NDRF ।

ବାସ୍ତବରେ, ଘାଟକୋପରରେ ପଡ଼ିଥିବା ହୋର୍ଡିଂ ୧୦୦ ଫୁଟ ଉଚ୍ଚ ଥିଲା। ଅନେକ କାର୍, ଦୁଇ ଚକିଆ ଯାନ ଏବଂ ଲୋକ ଭଗ୍ନାବିଶେଷ ତଳେ ଚାପି ହୋଇରହିଥିଲେ । ଏହି ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।